ଯିରୂଶାଲମର ଆସନ୍ନ ବିପଦ
୧ ହେ ବିନ୍ୟାମୀନ୍ ଲୋକମାନେ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୂଶାଲମ ମଧ୍ୟରୁ ପଳାୟନ କର,
ତକୋୟ ସହରରେ ତୂରୀ ବଜାଅ ଓ ବେଥ୍-ହକ୍‍କେରମ୍‍ ନଗରରେ ଧ୍ୱଜା ଟେକ;
କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ନିରୀକ୍ଷଣ କରୁଅଛି।
୨ ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ୟାକୁ ଆମ୍ଭେ ସଂହାର କରିବା।
୩ ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗେ ନେଇ ତାହା ନିକଟକୁ ଆସିବେ;
ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣା ଆପଣା ତମ୍ବୁ ସ୍ଥାପନ କରିବେ;
ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ପଲ ଚରାଇବେ।
୪ ତୁମ୍ଭେମାନେ ତାହା ବିରୁଦ୍ଧରେ ଯୁଦ୍ଧ ଆୟୋଜନ କର;
ଉଠ, ଆମ୍ଭେମାନେ ମଧ୍ୟାହ୍ନ କାଳରେ ଯାତ୍ରା କରୁ,
ହାୟ ହାୟ, କାରଣ ଦିନ ଅବସାନ ହେଉଅଛି, ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି।
୫ ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।
୬ କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି,
“ତୁମ୍ଭେମାନେ ବୃକ୍ଷ କାଟି ଯିରୂଶାଲମର ପ୍ରତିକୂଳରେ ବନ୍ଧ ବାନ୍ଧ;
ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ; ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।
୭ ଯେପରି ନିର୍ଝର ଜଳ ନିର୍ଗତ କରେ, ସେପରି ସେ ଆପଣା ଦୁଷ୍ଟତା ନିର୍ଗତ କରେ;
ତାହା ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ;
ପୁଣି, ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।
୮ ହେ ଯିରୂଶାଲମ, ତୁମ୍ଭେ ଶିକ୍ଷା ଗ୍ରହଣ କର,
ନୋହିଲେ ଆମ୍ଭର ପ୍ରାଣ ତୁମ୍ଭଠାରୁ ବିଛିନ୍ନ ହେବ
ଓ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ, ବସତିହୀନ ସ୍ଥାନ କରିବା।”
୯ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ସେମାନେ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କୁ ଦ୍ରାକ୍ଷାଫଳ ପରି ସମ୍ପୂର୍ଣ୍ଣ ରୂପେ ତୋଳି ନେବେ;
ତୁମ୍ଭେ ଦ୍ରାକ୍ଷାଫଳ ସଂଗ୍ରହକାରୀ ସଦୃଶ୍ୟ ବାରମ୍ବାର ଆପଣା ହସ୍ତ ଟୋକାଇରେ ଦିଅ।”
୧୦ ସେମାନେ ଯେପରି ଶୁଣିବେ, ଏଥିପାଇଁ ମୁଁ କାହାକୁ କହିବି ଓ କାହାକୁ ସାକ୍ଷ୍ୟ ଦେବି ?
ଦେଖ, ସେମାନଙ୍କର କର୍ଣ୍ଣ ବନ୍ଦ ଅଛି* ବନ୍ଦ ଅଛି ବାସ୍ତବରେ ଅସୁନ୍ନତ ଓ ସେମାନେ ଶୁଣି ପାରନ୍ତି ନାହିଁ;
ଦେଖ, ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କ ନିକଟରେ ତୁଚ୍ଛନୀୟ ହୋଇଅଛି;
ତହିଁରେ ସେମାନଙ୍କର କିଛି ଆହ୍ଲାଦ ନାହିଁ।
୧୧ ଏହେତୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି;
ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇଅଛି;
ସଡ଼କରେ ବାଳକମାନଙ୍କ ଉପରେ
ଓ ଯୁବାମାନଙ୍କ ସଭାରେ ତାହା ଏକାବେଳେ ଢାଳି ପକାଅ;
କାରଣ ସ୍ୱାମୀ ଓ ଭାର୍ଯ୍ୟା ବୃଦ୍ଧ ଜରାଗ୍ରସ୍ତ ସମସ୍ତେ ଧରାଯିବେ।
୧୨ ପୁଣି, ସେମାନଙ୍କର ଗୃହ ଓ ସେମାନଙ୍କର କ୍ଷେତ୍ର
ଓ ସେମାନଙ୍କର ଭାର୍ଯ୍ୟା ଏକାବେଳେ ଅନ୍ୟମାନଙ୍କର ହେବ;
କାରଣ ସଦାପ୍ରଭୁ କହନ୍ତି,
“ଆମ୍ଭେ ଦେଶନିବାସୀମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କରିବା।
୧୩ ଯେହେତୁ ସେମାନଙ୍କର କ୍ଷୁଦ୍ର ଠାରୁ
ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ଲୋଭାସକ୍ତ;
ପୁଣି ଭବିଷ୍ୟଦ୍‍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ମିଥ୍ୟାଚରଣ କରନ୍ତି।
୧୪ ଆହୁରି, ଶାନ୍ତି ନ ଥିଲେ ହେଁ ସେମାନେ ‘ଶାନ୍ତି ଶାନ୍ତି’ ବୋଲି କହି
ଆମ୍ଭ ଲୋକମାନଙ୍କ କ୍ଷତ ହାଲୁକା ଭାବରେ ସୁସ୍ଥ କରିଅଛନ୍ତି।
୧୫ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କି ଲଜ୍ଜିତ ହେଲେ ?
ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ;
ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ;
ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।”
୧୬ ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ପଥମାନର ମଧ୍ୟରେ ଠିଆ ହୋଇ ଦେଖ,
ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ ? ଓ ତହିଁରେ ଗମନ କର;
ତେବେ ତୁମ୍ଭେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ;”
ମାତ୍ର ସେମାନେ କହିଲେ, “ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ।”
୧୭ ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପ୍ରହରୀଗଣ ନିଯୁକ୍ତ କରି କହିଲୁ, ‘ତୂରୀର ଶବ୍ଦ ଶୁଣ;’
ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବା ନାହିଁ।’
୧୮ ଏହେତୁ ହେ ନାନା ଦେଶୀୟମାନେ, ତୁମ୍ଭେମାନେ ଶୁଣ,
ଆଉ ହେ ମଣ୍ଡଳୀ, ସେମାନଙ୍କ ମଧ୍ୟରେ କଅଣ ଅଛି, ତାହା ଜ୍ଞାତ ହୁଅ।
୧୯ ହେ ପୃଥିବୀ, ଶୁଣ; ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ,
ଅର୍ଥାତ୍‍, ସେମାନଙ୍କ କଳ୍ପନାସମୂହର ଫଳ ବର୍ତ୍ତାଇବା,
କାରଣ ସେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହାନ୍ତି
ଓ ଆମ୍ଭର ବ୍ୟବସ୍ଥା ସେମାନେ ଅଗ୍ରାହ୍ୟ କରିଅଛନ୍ତି।
୨୦ ଶିବା ଦେଶରୁ କୁନ୍ଦୁରୁ ଓ ଦୂର ଦେଶରୁ ସୁଗନ୍ଧି ବଚ ଆସିବାର ଫଳ କଅଣ ?
ତୁମ୍ଭମାନଙ୍କର ହୋମବଳିସବୁ ଗ୍ରାହ୍ୟ ନୁହେଁ,
କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।
୨୧ ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ଥୋଇବା;
ତଦ୍ଦ୍ୱାରା ପିତୃଗଣ ଓ ପୁତ୍ରଗଣ ଏକ ସଙ୍ଗେ ଝୁଣ୍ଟି ପଡ଼ିବେ;
ପ୍ରତିବାସୀ ଓ ତାହାର ମିତ୍ର ବିନଷ୍ଟ ହେବେ।”
୨୨ ସଦାପ୍ରଭୁ ଏହି କଥା କହନ୍ତି,
“ଦେଖ, ଉତ୍ତର ଦେଶରୁ ଏକ ଜନବୃନ୍ଦ ଆସୁଅଛନ୍ତି
ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହାଗୋଷ୍ଠୀ ଉତ୍ତେଜିତ ହେବେ।
୨୩ ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ;
ସେମାନଙ୍କର ରବ ସମୁଦ୍ର ପରି ଗର୍ଜ୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି;
ଆଗୋ ସିୟୋନର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ
ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।”
୨୪ ଆମ୍ଭେମାନେ ସେ ବିଷୟର ଜନରବ ଶୁଣିଅଛୁ; ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ;
ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରିଅଛି।
୨୫ ବାହାର ହୋଇ କ୍ଷେତ୍ରକୁ ଯାଅ ନାହିଁ, ଅଥବା ପଥରେ ଗମନ କର ନାହିଁ;
କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ଅଛି।
୨୬ ଆଗୋ ମୋର ଲୋକମାନଙ୍କର କନ୍ୟେ, ତୁମ୍ଭେ ଚଟ ପିନ୍ଧ, ଭସ୍ମରେ ଗଡ଼;
ଅଦ୍ୱିତୀୟ ପୁତ୍ର ଲାଗି ଶୋକ ତୁଲ୍ୟ ତୁମ୍ଭେ ଶୋକ ଓ ଅତିଶୟ ବିଳାପ କର;
କାରଣ ବିନାଶକ ଅକସ୍ମାତ୍‍ ଆମ୍ଭମାନଙ୍କୁ ଆକ୍ରମଣ କରିବ।
୨୭ ତୁମ୍ଭେ ଯେପରି ଆମ୍ଭ ଲୋକମାନଙ୍କର ପଥ ଜ୍ଞାତ ହୋଇ ପରୀକ୍ଷା କରି ପାରିବ,
ଏଥିପାଇଁ ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭକୁ ଏକ ଉଚ୍ଚ ଗୃହ ଓ ଦୁର୍ଗସ୍ୱରୂପ କରିଅଛୁ।
୨୮ ସେସମସ୍ତେ ଦାରୁଣ ଅବାଧ୍ୟ, ଚାରିଆଡ଼େ ନିନ୍ଦା ଘେନି ବୁଲନ୍ତି;
ସେମାନେ ପିତ୍ତଳ ଓ ଲୁହା ପରି; ସେସମସ୍ତେ ଭ୍ରଷ୍ଟାଚାରୀ।
୨୯ ଭାଟି ପ୍ରଚଣ୍ଡ ରୂପେ ତାତୁଛି; ସୀସା ଅଗ୍ନିରେ କ୍ଷୟ ପାଇଅଛି;
ସେମାନେ ବୃଥାରେ ଖାଦ ବାହାର କରିବା କାର୍ଯ୍ୟରେ ଲାଗିଅଛନ୍ତି;
କାରଣ ଦୁଷ୍ଟମାନେ ଉତ୍ପାଟିତ ହେଉ ନାହାନ୍ତି।
୩୦ ସଦାପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି,
ଏଣୁ ଲୋକେ ସେମାନଙ୍କୁ ଅଗ୍ରାହ୍ୟ ରୂପା ବୋଲି କହିବେ।

*୬:୧୦ ବନ୍ଦ ଅଛି ବାସ୍ତବରେ ଅସୁନ୍ନତ