୧୫
ଯିହୁଦାର ସର୍ବନାଶ ସୁନିଶ୍ଚିତ
୧ ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ। ୨ ପୁଣି, ଯଦି ସେମାନେ ତୁମ୍ଭକୁ କହନ୍ତି, ‘ଆମ୍ଭେମାନେ କେଉଁଠାକୁ ବାହାରି ଯିବା ?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସଦାପ୍ରଭୁ ଏହି କଥା କହନ୍ତି,
‘ହତଯୋଗ୍ୟ ଲୋକମାନେ ହତ ସ୍ଥାନକୁ,
ଖଡ୍ଗଯୋଗ୍ୟ ଲୋକମାନେ ଖଡ୍ଗ ନିକଟକୁ,
ଦୁର୍ଭିକ୍ଷଯୋଗ୍ୟ ଲୋକମାନେ ଦୁର୍ଭିକ୍ଷ ସ୍ଥାନକୁ
ଓ ବନ୍ଦୀତ୍ୱର ଯୋଗ୍ୟ ଲୋକମାନେ ବନ୍ଦୀ ସ୍ଥାନକୁ ଯାଉନ୍ତୁ।’ ”
୩ ପୁଣି, ସଦାପ୍ରଭୁ କହନ୍ତି, “ଆମ୍ଭେ ବଧ କରିବା ନିମନ୍ତେ ଖଡ୍ଗ, ବିଦୀର୍ଣ୍ଣ କରିବା ନିମନ୍ତେ କୁକ୍କୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ ଓ ଭୂଚର ପଶୁଗଣ, ଏହି ଚାରି ଜାତିକୁ ସେମାନଙ୍କ ଉପରେ ନିଯୁକ୍ତ କରିବା। ୪ ଆଉ, ଯିହୁଦାର ରାଜା ହିଜକୀୟର ପୁତ୍ର ମନଃଶିର ଯିରୂଶାଲମରେ କୃତକାର୍ଯ୍ୟ ସକାଶୁ ଆମ୍ଭେ ସେମାନଙ୍କୁ ପୃଥିବୀର ଯାବତୀୟ ରାଜ୍ୟରେ ଏଣେତେଣେ ନିକ୍ଷିପ୍ତ କରାଇବା।
୫ କାରଣ ହେ ଯିରୂଶାଲମ, କିଏ ତୁମ୍ଭକୁ ଦୟା କରିବ ?
ଅବା କିଏ ତୁମ୍ଭ ଲାଗି ବିଳାପ କରିବ ?
ଅଥବା ତୁମ୍ଭର ମଙ୍ଗଳ ବିଷୟ ପଚାରିବା ପାଇଁ କିଏ ତୁମ୍ଭ ନିକଟକୁ ଆସିବ ?”
୬ ସଦାପ୍ରଭୁ କହନ୍ତି, “ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ;
ଏନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ;
ଆମ୍ଭେ କ୍ଷମା କରି କରି କ୍ଳାନ୍ତ ହୋଇଅଛୁ।
୭ ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାରସମୂହରେ କୁଲାରେ ପାଛୁଡ଼ି ଅଛୁ;
ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତନ୍ତି ବିହୀନ କରିଅଛୁ,
ଆମ୍ଭେ ଆପଣା ଲୋକମାନଙ୍କୁ ବିନାଶ କରିଅଛୁ;
ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।
୮ ଆମ୍ଭ ସାକ୍ଷାତରେ ସେମାନଙ୍କର ବିଧବାମାନେ
ସମୁଦ୍ରର ବାଲି ଅପେକ୍ଷା ବହୁସଂଖ୍ୟକ ହୋଇଅଛନ୍ତି,
ଆମ୍ଭେ ସେମାନଙ୍କ ମଧ୍ୟରେ ଯୁବାଗଣର ମାତା ବିରୁଦ୍ଧରେ
ବିନାଶକ ଏକ ଜଣକ ମଧ୍ୟାହ୍ନ କାଳରେ ଆଣିଅଛୁ;
ଆମ୍ଭେ ଅକସ୍ମାତ୍‍ ତାହା ପ୍ରତି ଦୁଃଖ ଓ ଆଶଙ୍କା ଉପସ୍ଥିତ କରାଇଅଛୁ।
୯ ସାତ ସନ୍ତାନପ୍ରସୂତା ସ୍ତ୍ରୀ କ୍ଷୀଣା ହେଉଅଛି; ସେ ପ୍ରାଣତ୍ୟାଗ କରିଅଛି;
ଦିନ ଥାଉ ଥାଉ ତାହାର ସୂର୍ଯ୍ୟ ଅସ୍ତ ହୋଇଅଛି; ସେ ଲଜ୍ଜିତା ଓ ହତାଶା ହୋଇଅଛି;
ପୁଣି, ସେମାନଙ୍କର ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ
ସେମାନଙ୍କ ଶତ୍ରୁଗଣର ସମ୍ମୁଖରେ ଖଡ୍ଗରେ ସମର୍ପଣ କରିବା,” ଏହା ସଦାପ୍ରଭୁ କହନ୍ତି।
ଯିରିମୀୟଙ୍କ ଅଭିଯୋଗ
୧୦ ଗୋ ଆମ୍ଭର ମାତା, ମୁଁ ସନ୍ତାପର ପାତ୍ର,
ତୁମ୍ଭେ ମୋତେ ସମୁଦାୟ ପୃଥିବୀର ବିରୋଧ ଓ ବିବାଦର ପାତ୍ର କରି ଜାତ କରିଅଛ !
ମୁଁ ସୁଧ ନିମନ୍ତେ ଋଣ ଦେଇ ନାହିଁ; କିଅବା ଲୋକେ ମୋତେ ସୁଧ ଲାଗି ଋଣ ଦେଇ ନାହାନ୍ତି;
ତଥାପି ସେମାନଙ୍କର ପ୍ରତ୍ୟେକ ଜଣ ମୋତେ ଅଭିଶାପ ଦିଅନ୍ତି।
୧୧ ସଦାପ୍ରଭୁ କହିଲେ, “ଆମ୍ଭେ ନିଶ୍ଚୟ ମଙ୍ଗଳ ନିମନ୍ତେ ତୁମ୍ଭକୁ ସବଳ କରିବା;
ଆମ୍ଭେ ନିଶ୍ଚୟ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ବିନତି କରାଇବା।
୧୨ ଲୌହ, ଉତ୍ତର ଦେଶୀୟ ଲୌହ ଓ ପିତ୍ତଳ କି କେହି ଭାଙ୍ଗିପାରେ ?
୧୩ ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ଡାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା
ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।
୧୪ ପୁଣି, ଆମ୍ଭେ ସେସମସ୍ତଙ୍କୁ ତୁମ୍ଭ ଶତ୍ରୁଗଣର ସଙ୍ଗରେ ତୁମ୍ଭ ଅଜ୍ଞାତ ଏକ ଦେଶକୁ ନେଇଯିବା;
କାରଣ ଆମ୍ଭର କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ ହୋଇଅଛି, ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।
୧୫ ହେ ସଦାପ୍ରଭୁ, ତୁମ୍ଭେ ଜାଣୁଅଛ;
ମୋତେ ସ୍ମରଣ କର ଓ ମୋହର ତତ୍ତ୍ୱାନୁସନ୍ଧାନ କର,
ପୁଣି ମୋର ତାଡ଼ନାକାରୀମାନଙ୍କଠାରୁ ପରିଶୋଧ ନିଅ;
ତୁମ୍ଭର ଦୀର୍ଘ ସହିଷ୍ଣୁତା ସକାଶୁ ମୋତେ ସଂହାର କର ନାହିଁ;
ମୁଁ ତୁମ୍ଭ ସକାଶୁ ନିନ୍ଦାଭୋଗ କରିଅଛି, ଏହା ଜ୍ଞାତ ହୁଅ।
୧୬ ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି;
ଆଉ, ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା;
କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।
୧୭ ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ,
କିଅବା ଆନନ୍ଦ କଲି ନାହିଁ; ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି;
କାରଣ ତୁମ୍ଭେ ମୋତେ କ୍ରୋଧରେ ପୂର୍ଣ୍ଣ କରିଅଛ।
୧୮ ମୋର ବେଦନା ନିତ୍ୟସ୍ଥାୟୀ ଓ ମୋର କ୍ଷତ ଅପ୍ରତୀକାର୍ଯ୍ୟ ହୋଇ
ସୁସ୍ଥ ହେବାକୁ ଅସ୍ୱୀକାର କରେ କାହିଁକି ?
ତୁମ୍ଭେ କି ମୋ’ ପ୍ରତି ନିତାନ୍ତ ପ୍ରବଞ୍ଚନାଜନକ ନଦୀସ୍ରୋତ, ଅସ୍ଥାୟୀ ଜଳ ତୁଲ୍ୟ ହେବ ?
୧୯ ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେ ଯଦି ଫେରିବ, ତେବେ ଆମ୍ଭ ସମ୍ମୁଖରେ ଠିଆ ହେବା ନିମନ୍ତେ
ଆମ୍ଭେ ତୁମ୍ଭକୁ ପୁନର୍ବାର ଆଣିବା;
ପୁଣି, ତୁମ୍ଭେ ଯଦି ନିକୃଷ୍ଟ ବସ୍ତୁରୁ ବହୁମୂଲ୍ୟ ବସ୍ତୁ ବାହାର କରି ନେବ,
ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ;
ସେମାନେ ତୁମ୍ଭ ନିକଟକୁ ଫେରି ଆସିବେ,
ମାତ୍ର ତୁମ୍ଭେ ସେମାନଙ୍କ ନିକଟକୁ ଫେରି ଯିବ ନାହିଁ।”
୨୦ ପୁଣି, ଆମ୍ଭେ ଏହି ଲୋକମାନଙ୍କ ନିକଟରେ
ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀରସ୍ୱରୂପ କରିବା;
ସେମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ;
କାରଣ ସଦାପ୍ରଭୁ କହନ୍ତି,
“ତୁମ୍ଭକୁ ତ୍ରାଣ କରିବା ପାଇଁ ଓ ତୁମ୍ଭର ଉଦ୍ଧାର କରିବା ପାଇଁ
ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
୨୧ ପୁଣି, ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା
ଓ ଆମ୍ଭେ ତୁମ୍ଭକୁ ଭୟାନକ ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”