୨୧
ଯିରୂଶାଲମର ପରାଜୟ ବିଷୟରେ ଭବିଷ୍ୟତବାଣୀ
୧ ସିଦିକୀୟ ରାଜା ଯେଉଁ ସମୟରେ ମଲ୍‍କୀୟର ପୁତ୍ର ପଶ୍‍ହୂରକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟଙ୍କ ନିକଟକୁ ପଠାଇ କହିଲା, ୨ “ଯଥା, ବିନୟ କରୁଅଛୁ, ତୁମ୍ଭେ ଆମ୍ଭମାନଙ୍କ ପକ୍ଷରୁ ସଦାପ୍ରଭୁଙ୍କୁ ପଚାର; କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି; କେଜାଣି ସଦାପ୍ରଭୁ ଆପଣାର ସକଳ ଆଶ୍ଚର୍ଯ୍ୟ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିବେ, ତାହାହେଲେ ସେ ଆମ୍ଭମାନଙ୍କ ନିକଟରୁ ଉଠି ପ୍ରସ୍ଥାନ କରିବ,” ସେସମୟରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।
୩ ତହିଁରେ ଯିରିମୀୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସିଦିକୀୟକୁ ଏହି କଥା କହିବ; ୪ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସକଳ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭମାନଙ୍କର ଅବରୋଧକାରୀ କଲ୍‍ଦୀୟମାନଙ୍କ ସହିତ ପ୍ରାଚୀରର ବାହାରେ ଯୁଦ୍ଧ କରୁଅଛ, ଆମ୍ଭେ ସେହିସବୁକୁ ଫେରାଇ ଦେବା ଓ ଆମ୍ଭେ ଏହି ନଗର ମଧ୍ୟରେ ସେସବୁକୁ ସଂଗ୍ରହ କରିବା। ୫ ପୁଣି, ଆମ୍ଭେ ଆପେ ବିସ୍ତୃତ ହସ୍ତ ଓ ବଳବାନ ବାହୁ ଦ୍ୱାରା କ୍ରୋଧରେ, ପ୍ରଚଣ୍ଡ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା। ୬ ଆଉ, ଆମ୍ଭେ ଏହି ନଗରବାସୀ ମନୁଷ୍ୟ ଓ ପଶୁ ସମସ୍ତଙ୍କୁ ସଂହାର କରିବା; ସେମାନେ ମହାମାରୀରେ ମରିବେ।’
୭ ଆଉ, ସଦାପ୍ରଭୁ କହନ୍ତି, ‘ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍‍, ଏହି ନଗରର ଯେଉଁସକଳ ଲୋକ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ୍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା, ଦୟା କି କରୁଣା କରିବ ନାହିଁ।’
୮ ପୁଣି, ତୁମ୍ଭେ ଏହି ଲୋକମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁୁର ପଥ ରଖୁଅଛୁ। ୯ ଯେଉଁ ଲୋକ ଏହି ନଗର ମଧ୍ୟରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେଉଁ ଲୋକ ବାହାରି ଯାଇ ତୁମ୍ଭମାନଙ୍କର ଅବରୋଧକାରୀ କଲ୍‍ଦୀୟମାନଙ୍କର ପକ୍ଷ ହେବ, ସେ ବଞ୍ଚିବ ଓ ତାହାର ପ୍ରାଣ ତାହା ପ୍ରତି ଲୁଟିତ ଦ୍ରବ୍ୟ ତୁଲ୍ୟ ହେବ।’
୧୦ କାରଣ ସଦାପ୍ରଭୁ କହନ୍ତି, ‘ମଙ୍ଗଳର ନିମନ୍ତେ ନୁହେଁ, ପୁଣି ଅମଙ୍ଗଳର ନିମନ୍ତେ ଏହି ନଗର ପ୍ରତି ଆମ୍ଭେ ଆପଣା ମୁଖ ରଖିଅଛୁ; ତାହା ବାବିଲ ରାଜାର ହସ୍ତଗତ କରାଯିବ ଓ ସେ ଅଗ୍ନିରେ ତାହା ଦଗ୍ଧ କରିବ।’ ”
ଦାଉଦ ବଂଶ ପ୍ରତି ବାର୍ତ୍ତା
୧୧ ଆଉ, ଯିହୁଦାର ରାଜବଂଶ ବିଷୟରେ ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
୧୨ ହେ ଦାଉଦ ବଂଶ, ସଦାପ୍ରଭୁ ଏହି କଥା କହନ୍ତି,
“ତୁମ୍ଭେମାନେ ପ୍ରଭାତରେ ବିଚାର ନିଷ୍ପତ୍ତି କର
ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର,
ନୋହିଲେ ତୁମ୍ଭମାନଙ୍କ ଦୁଷ୍ଟାଚରଣ ହେତୁରୁ
ଆମ୍ଭର ପ୍ରଚଣ୍ଡ କ୍ରୋଧ ଅଗ୍ନି ତୁଲ୍ୟ ବାହାରି ଦଗ୍ଧ କରିବ
ଓ କେହି ତାହା ଲିଭାଇ ପାରିବ ନାହିଁ।”
୧୩ ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳନିବାସିନୀ, ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ;
ତୁମ୍ଭେମାନେ କହୁଅଛ, ଆମ୍ଭମାନଙ୍କ ବିରୁଦ୍ଧରେ କିଏ ଆସିବ ?
ଅବା କିଏ ଆମ୍ଭମାନଙ୍କ ନିବାସ ସ୍ଥାନରେ ପ୍ରବେଶ କରିବ ?”
୧୪ ସଦାପ୍ରଭୁ କହନ୍ତି,
“ଆମ୍ଭେ ତୁମ୍ଭମାନଙ୍କ କର୍ମର ଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା;
ପୁଣି, ଆମ୍ଭେ ତାହାର ବନରେ ଅଗ୍ନି ଜ୍ୱଳାଇବା,
ତହିଁରେ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।”