୩୦
ଇସ୍ରାଏଲ ଓ ଯିହୁଦାର ପୁନଃସ୍ଥାପନ
୧ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ଯଥା, ୨ “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭକୁ ଯେଉଁ ସକଳ କଥା କହିଅଛୁ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ।’ ୩ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ଏପରି ସମୟ ଆସୁଅଛି,’ ସଦାପ୍ରଭୁ କହନ୍ତି; ‘ହଁ, ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।’ ”
୪ ଇସ୍ରାଏଲ ଓ ଯିହୁଦା ବିଷୟରେ ସଦାପ୍ରଭୁଙ୍କର କଥିତ ବାକ୍ୟ ଏହି।
୫ “ସଦାପ୍ରଭୁ ଏହି କଥା କହନ୍ତି;
‘ଆମ୍ଭେମାନେ କମ୍ପିବାର ଓ ଭୟର ଶବ୍ଦ ଶୁଣିଅଛୁ, କିନ୍ତୁ ଶାନ୍ତିର ଶବ୍ଦ ନୁହେଁ।
୬ କୌଣସି ପୁରୁଷର ପ୍ରସବ ବେଦନା ହେଉଅଛି କି ନାହିଁ, ତୁମ୍ଭେମାନେ ପଚାରି ବୁଝ;
ପ୍ରସବ ବେଦନାର ସମୟରେ ଯେପରି ସ୍ତ୍ରୀଲୋକର,
ସେପରି ପ୍ରତ୍ୟେକ ପୁରୁଷର ଆପଣା କଟିଦେଶରେ ହସ୍ତ ଦେବାର
ଓ ସମସ୍ତଙ୍କର ମୁଖ ମଳିନ ହେବାର ଆମ୍ଭେ କାହିଁକି ଦେଖୁଅଛୁ ?
୭ ହାୟ ହାୟ ! ସେ ଦିନ ମହତ, ତାହା ତୁଲ୍ୟ ଦିନ ଆଉ ନାହିଁ,
ତାହା ଯାକୁବର ସଙ୍କଟ କାଳ; ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।’
୮ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
‘ଆମ୍ଭେ ସେହି ଦିନ ତୁମ୍ଭ ସ୍କନ୍ଧରୁ ତାହାର ଯୁଆଳି ଭାଙ୍ଗି ପକାଇବା
ଓ ତୁମ୍ଭର ବନ୍ଧନସବୁ ଛିଣ୍ଡାଇ ଦେବା;
ପୁଣି, ବିଦେଶୀମାନେ ଆଉ ଆପଣାମାନଙ୍କର ଦାସ୍ୟକର୍ମ ତାହାକୁ କରାଇବେ ନାହିଁ।
୯ ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ
ଓ ଆମ୍ଭେ ସେମାନଙ୍କ ନିମନ୍ତେ ଯାହାଙ୍କୁ ଉତ୍ପନ୍ନ କରିବା,
ଆପଣାମାନଙ୍କର ସେହି ରାଜା ଦାଉଦଙ୍କର ଦାସ୍ୟକର୍ମ କରିବେ।’
୧୦ ଏହେତୁ ସଦାପ୍ରଭୁ କହନ୍ତି,
‘ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ;
ଅଥବା ହେ ଇସ୍ରାଏଲ, ନିରାଶ ହୁଅ ନାହିଁ;
କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ
ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବୁ,
ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ
ଓ କେହି ତାହାକୁ ଭୟ ଦେଖାଇବ ନାହିଁ।’
୧୧ କାରଣ ସଦାପ୍ରଭୁ କହନ୍ତି,
‘ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା ପାଇଁ ତୁମ୍ଭ ସଙ୍ଗରେ ଅଛୁ;
ହଁ, ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛୁ,
ସେହି ସମସ୍ତଙ୍କୁ ନିଃଶେଷ ରୂପେ ସଂହାର କରିବା,
ମାତ୍ର ତୁମ୍ଭକୁ ଆମ୍ଭେ ନିଃଶେଷ ରୂପେ ସଂହାର କରିବା ନାହିଁ;
ତଥାପି ଆମ୍ଭେ ବିବେଚନାପୂର୍ବକ ତୁମ୍ଭକୁ ଶାସ୍ତି ଦେବା
ଓ କୌଣସିମତେ ତୁମ୍ଭକୁ ଦଣ୍ଡ ନ ଦେଇ ଛାଡ଼ିବା ନାହିଁ।’
୧୨ କାରଣ ସଦାପ୍ରଭୁ ଏହି କଥା କହନ୍ତି,
‘ତୁମ୍ଭର କ୍ଷତ ଅପ୍ରତୀକାର୍ଯ୍ୟ ଓ ତୁମ୍ଭର ଘା’ ବ୍ୟଥାଜନକ।
୧୩ ତୁମ୍ଭର କ୍ଷତ ଯେପରି ବନ୍ଧା ଯିବ,
ଏଥିପାଇଁ ତୁମ୍ଭ ସପକ୍ଷରେ ପ୍ରତିବାଦ କରିବାକୁ କେହି ନାହିଁ,
ତୁମ୍ଭର ସ୍ୱାସ୍ଥ୍ୟଜନକ ଔଷଧ ନାହିଁ।’
୧୪ ତୁମ୍ଭର ପ୍ରେମକାରୀ ସମସ୍ତେ ତୁମ୍ଭକୁ ପାସୋରି ଅଛନ୍ତି;
ସେମାନେ ତୁମ୍ଭକୁ ଖୋଜନ୍ତି ନାହିଁ;
କାରଣ ତୁମ୍ଭର ଅଧର୍ମ ବହୁଳ ଓ ତୁମ୍ଭର ପାପ ବୃଦ୍ଧି ହେବା ସକାଶୁ
ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟ ଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।
୧୫ ତୁମ୍ଭେ ଆପଣା କ୍ଷତ ସକାଶୁ କାହିଁକି କ୍ରନ୍ଦନ କରୁଅଛ ? ତୁମ୍ଭର ବେଦନା ଅପ୍ରତୀକାର୍ଯ୍ୟ,
ତୁମ୍ଭର ଅଧର୍ମ ବହୁଳ ଓ ତୁମ୍ଭର ପାପ ବୃଦ୍ଧି ହେବା ସକାଶୁ
ଆମ୍ଭେ ତୁମ୍ଭ ପ୍ରତି ଏହିସବୁ କରିଅଛୁ।
୧୬ ଏହେତୁ ଯେଉଁମାନେ ତୁମ୍ଭକୁ ଗ୍ରାସ କରନ୍ତି, ସେମାନେ ଗ୍ରାସିତ ହେବେ
ଓ ତୁମ୍ଭର ବିପକ୍ଷ ସମସ୍ତେ ସେମାନଙ୍କର ପ୍ରତ୍ୟେକ ଜଣର ବନ୍ଦୀତ୍ୱ ସ୍ଥାନକୁ ଯିବେ
ଓ ଯେଉଁମାନେ ତୁମ୍ଭକୁ ଲୁଟନ୍ତି, ସେମାନେ ଲୁଟିତ ହେବେ;
ଯେଉଁମାନେ ତୁମ୍ଭର ଦ୍ରବ୍ୟ ହରଣ କରନ୍ତି, ସେହି ସମସ୍ତଙ୍କର ଦ୍ରବ୍ୟ ଆମ୍ଭେ ହରଣ କରାଇବା।
୧୭ କାରଣ ସଦାପ୍ରଭୁ କହନ୍ତି,
‘ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା
ଓ ଆମ୍ଭେ ତୁମ୍ଭର ଘା’ ସବୁ ସୁସ୍ଥ କରିବା;
କାରଣ ସେମାନେ ତୁମ୍ଭକୁ ଦୂରୀକୃତା ବୋଲି ଡାକି କହନ୍ତି,
ଏ ସିୟୋନ, ଏହାକୁ କେହି ଚାହେଁ ନାହିଁ।’
୧୮ ସଦାପ୍ରଭୁ ଏହି କଥା କହନ୍ତି,
‘ଦେଖ, ଆମ୍ଭେ ଯାକୁବର ତମ୍ବୁସକଳର ବନ୍ଦୀତ୍ୱ ପରିବର୍ତ୍ତନ କରିବା
ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା;
ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ
ଓ ରାଜଗୃହ ତହିଁର ରୀତିମତେ ରହିବ।
୧୯ ଆଉ, ସେହି ସ୍ଥାନ ମଧ୍ୟରୁ ଧନ୍ୟବାଦ
ଓ ଆନନ୍ଦକାରୀମାନଙ୍କର ଧ୍ୱନି ନିର୍ଗତ ହେବ;
ପୁଣି, ଆମ୍ଭେ ସେମାନଙ୍କୁ ବୃଦ୍ଧି କରିବା ଓ ସେମାନେ ଅଳ୍ପସଂଖ୍ୟକ ହେବେ ନାହିଁ;
ଆହୁରି, ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା ଓ ସେମାନେ କ୍ଷୁଦ୍ର ହେବେ ନାହିଁ।
୨୦ ସେମାନଙ୍କର ସନ୍ତାନଗଣ ମଧ୍ୟ ପୂର୍ବ ପରି ହେବେ
ଓ ସେମାନଙ୍କର ମଣ୍ଡଳୀ ଆମ୍ଭ ସାକ୍ଷାତରେ ସ୍ଥିରୀକୃତ ହେବ
ଓ ଯେଉଁମାନେ ସେମାନଙ୍କର ଉପଦ୍ରବ କରନ୍ତି, ସେସମସ୍ତଙ୍କୁ ଆମ୍ଭେ ଶାସ୍ତି ଦେବା।
୨୧ ପୁଣି, ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ
ଓ ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ନିର୍ଗତ ହେବେ;
ଆଉ, ଆମ୍ଭେ ତାଙ୍କୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ,’
କାରଣ ସଦାପ୍ରଭୁ କହନ୍ତି,
‘ଆମ୍ଭ ନିକଟକୁ ଆସିବା ପାଇଁ ଯେ ସାହସ କରିଅଛନ୍ତି, ସେ କିଏ ?
୨୨ ପୁଣି, ତୁମ୍ଭେମାନେ ଆମ୍ଭର ଲୋକ ହେବ,
ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।’
୨୩ ଦେଖ, ସଦାପ୍ରଭୁଙ୍କର ତୋଫାନ, ଅର୍ଥାତ୍‍, ତାହାଙ୍କର ପ୍ରଚଣ୍ଡ କ୍ରୋଧ,
ସର୍ବନାଶକାରୀ ତୋଫାନ ନିର୍ଗତ ହୋଇଅଛି; ତାହା ଦୁଷ୍ଟମାନଙ୍କ ମସ୍ତକରେ ଲାଗିବ।
୨୪ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିବା ପର୍ଯ୍ୟନ୍ତ
ତାହାଙ୍କର ପ୍ରଜ୍ୱଳିତ କ୍ରୋଧ ନିବୃତ୍ତ ହେବ ନାହିଁ; ତୁମ୍ଭେମାନେ ଅନ୍ତିମ କାଳରେ ଏହା ବୁଝିବ।”