ପାଞ୍ଚ ରୁଟି ଦୁଇ ମାଛ
(ମାଥିଉ 14:13-21; ମାର୍କ 6:30-44; ଲୂକ 9:10-17)
୧ ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍‍, ତିବିରୀୟା ସମୁଦ୍ରର ଆରପାରିକୁ ଗଲେ । ୨ ଆଉ, ସେ ରୋଗୀମାନଙ୍କ ପ୍ରତି ଯେ ଯେ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହି ସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ । ୩ ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ । ୪ ସେତେବେଳେ ଯିହୂଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା । ୫ ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କ କହିଲେ, ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା ? ୬ କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କ'ଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ । ୭ ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଶହେ ଟଙ୍କାର ରୁଟି ଯଥେଷ୍ଟ ନୁହେଁ । ୮ ଶିମୋନ ପିତରଙ୍କର ଭାଇ ଆନ୍ଦ୍ରୀୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, ୯ ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କ'ଣ ହେବ ? ୧୦ ଯୀଶୁ କହିଲେ, ଲୋକମାନଙ୍କୁ ବସାଅ । ସେ ସ୍ଥାନରେ ବହୁତ ଘାସ ଥିଲା । ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ । ୧୧ ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ । ୧୨ ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଯେପରି କିଛି ନଷ୍ଟ ନ ହୁଏ, ଏଥି ନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର । ୧୩ ସେଥିରେ ସେମାନେ ସେହି ସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ । ୧୪ ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି । ୧୫ ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ ।
ଯୀଶୁଙ୍କ ଜଳ ଉପରେ ଚାଲିବା
୧୬ ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ ୧୭ ଓ ନୌକାରେ ଚଢ଼ି ସମୁଦ୍ର ସେପାରସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ । ଅନ୍ଧକାର ହୋଇଗଲା, ପୁଣି, ଯୀଶୁ ସେପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲେ, ୧୮ ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା । ୧୯ ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ ବାହିଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହେଲେ । ୨୦ କିନ୍ତୁ ସେ ସେମାନଙ୍କୁ କହିଲେ, ଏ ତ ମୁଁ, ଭୟ କର ନାହିଁ । ୨୧ ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍‍କ୍ଷଣାତ୍‍ ସେହି ସ୍ଥାନରେ ପହଞ୍ଚିଲା ।
ଯୀଶୁ ଜୀବନଦାୟକ ଆହାର
୨୨ ସେ ସ୍ଥାନରେ ଗୋଟିଏ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ । ୨୩ ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା; ୨୪ ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାଁନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସବୁ ନୌକାରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ । ୨୫ ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ ? ୨୬ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ । ୨୭ କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ୱର ମୁଦ୍ରାଙ୍କିତ କଲେ । ୨୮ ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ୱରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କ'ଣ କରିବାକୁ ହେବ? ୨୯ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ୱରଙ୍କ କାର୍ଯ୍ୟ ଅଟେ । ୩୦ ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନ ସ୍ୱରୂପ କ'ଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରି ପାରୁ ? ୩୧ ଆପଣ କ'ଣ ସାଧନ କରୁଅଛନ୍ତି ? ଆମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖା ଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ । ୩୨ ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାଁନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି; ୩୩ କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ୱରଦତ୍ତ ଆହାର । ୩୪ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ । ୩୫ ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର; ଯେ ମୋ' ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋ'ଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ । ୩୬ କିନ୍ତୁ ତୁମ୍ଭେମାନେ ମୋତେ ଦେଖିଲେ ହେଁ ଯେ ବିଶ୍ୱାସ କରୁ ନାହଁ, ଏହା ମୁଁ ତୁମ୍ଭମାନଙ୍କୁ କହିଅଛି । ୩୭ ପିତା ଯେସମସ୍ତଙ୍କୁ ମୋତେ ଦାନ କରନ୍ତି, ସେମାନେ ମୋ' ନିକଟକୁ ଆସିବେ; ଆଉ, ଯେ ମୋ' ନିକଟକୁ ଆସେ, ତାହାକୁ ମୁଁ କୌଣସି ପ୍ରକାରେ ବାହାର କରିଦେବି ନାହିଁ; ୩୮ କାରଣ ମୁଁ ନିଜ ଇଚ୍ଛା ସାଧନ କରିବାକୁ ଅବତରଣ ନ କରି ବରଂ ମୋହର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବାକୁ ସ୍ୱର୍ଗରୁ ଅବତରଣ କରିଅଛି । ୩୯ ଆଉ, ମୋହର ପ୍ରେରଣକର୍ତ୍ତା ଯେସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ କାହାକୁ ହିଁ ଯେପରି ମୁଁ ନ ହରାଇ ବରଂ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଏହା ତାହାଙ୍କର ଇଚ୍ଛା । ୪୦ କାରଣ ଯେ କେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେପରି ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଏହା ହିଁ ମୋହର ପିତାଙ୍କର ଇଚ୍ଛା; ଆଉ, ମୁଁ ତାହାକୁ ଶେଷ ଦିନରେ ଉତ୍ଥାପନ କରିବି । ୪୧ ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ, ସେ ଏହା କହିବାରୁ ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ୪୨ ଏ କ'ଣ ଯୋଷେଫର ପୁଅ ଯୀଶୁ ନୁହେଁ, ଆଉ ଆମ୍ଭେମାନେ କ'ଣ ଏହାର ପିତାମାତାକୁ ଜାଣୁ ନାହୁଁ ? ତେବେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି ବୋଲି ସେ ଏବେ କିପରି କହୁଅଛି ? ୪୩ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆପଣା ଆପଣା ମଧ୍ୟରେ ବଚସା କର ନାହିଁ । ୪୪ ମୋହର ପ୍ରେରଣକର୍ତ୍ତା ପିତା ଯାହାକୁ ଆକର୍ଷଣ କରନ୍ତି, କେବଳ ସେ ମୋ' ନିକଟକୁ ଆସି ପାରେ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି । ୪୫ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରରେ ଲିଖିତ ଅଛି, ସମସ୍ତେ ଈଶ୍ୱରଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ହେବେ । ଯେ କେହି ପିତାଙ୍କଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋ' ନିକଟକୁ ଆସେ । ୪୬ କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ୱରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି । ୪୭ ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି । ୪୮ ମୁଁ ଜୀବନଦାୟକ ଆହାର । ୪୯ ତୁମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁଭୋଗ କଲେ । ୫୦ କେହି ଯେପରି ଭୋଜନ କରି ମୃତ୍ୟୁଭୋଗ ନ କରେ, ଏଥି ନିମନ୍ତେ ସ୍ୱର୍ଗରୁ ଅବତରଣ କରିବା ଆହାର ଏହି ଅଟେ । ୫୧ ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି । ୫୨ ଏଥିରେ ଯିହୂଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ ? ୫୩ ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ । ୫୪ ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି । ୫୫ କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ । ୫୬ ଯେ ମୋହର ମାଂସ ଭୋଜନ କରେ ଓ ମୋ' ରକ୍ତ ପାନ କରେ, ସେ ମୋ'ଠାରେ ରହେ ଓ ମୁଁ ତାହାଠାରେ ରହେ । ୫୭ ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ' ହେତୁ ଜୀବିତ ରହିବ । ୫୮ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି; ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ, ସେପ୍ରକାର ନୁହେଁ; ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ । ୫୯ ସେ କଫର୍ନାହୂମର ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିବା ସମୟରେ ଏହି ସମସ୍ତ କଥା କହିଲେ ।
ଅନନ୍ତ ଜୀବନର ବାକ୍ୟ
୬୦ ଅତଏବ, ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ଏହା ଶୁଣି କହିଲେ, ଏ ଘୃଣାଜନକ କଥା, କିଏ ଏହା ଶୁଣି ପାରେ ? ୬୧ କିନ୍ତୁ ଯୀଶୁ, ତାହାଙ୍କ ଶିଷ୍ୟମାନେ ଯେ ସେ ବିଷୟରେ ବଚସା କରୁଅଛନ୍ତି, ତାହା ଅନ୍ତରରେ ଅବଗତ ହୋଇ ସେମାନଙ୍କୁ କହିଲେ, ଏହା କ'ଣ ତୁମ୍ଭମାନଙ୍କ ବିଘ୍ନର କାରଣ ହେଉଅଛି ? ୬୨ ତାହାହେଲେ ମନୁଷ୍ୟପୁତ୍ର ପୂର୍ବରେ ଯେଉଁ ସ୍ଥାନରେ ଥିଲେ, ସେ ସ୍ଥାନକୁ ଯେବେ ତାହାଙ୍କୁ ଆରୋହଣ କରିବା ଦେଖିବ, ତେବେ କ'ଣ ? ୬୩ ଆତ୍ମା ଜୀବନଦାୟକ; ମାଂସ କୌଣସି ଉପକାର କରେ ନାହିଁ; ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହି ସବୁ ଆତ୍ମା ଓ ଜୀବନ ଅଟେ । ୬୪ କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାଁନ୍ତି । କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ । ୬୫ ଆଉ ସେ କହିଲେ, ଏହି ହେତୁ ମୁଁ ତୁମ୍ଭମାନଙ୍କୁ କହିଅଛି, ପିତାଙ୍କଠାରୁ ଅନୁଗ୍ରହ ଦତ୍ତ ନ ହେଲେ କେହି ମୋ' ନିକଟକୁ ଆସି ପାରେ ନାହିଁ । ୬୬ ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକେ ବିମୁଖ ହୋଇ ବାହାରିଗଲେ, ପୁଣି, ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ । ୬୭ ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ତୁମ୍ଭେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ ? ୬୮ ଶିମୋନ ପିତର ତାହାଙ୍କୁ ଉତ୍ତର ଦେଲେ, ପ୍ରଭୁ, କାହା ପାଖକୁ ଯିବା ? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି; ୬୯ ଆଉ, ଆପଣ ଯେ ଈଶ୍ୱରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରିଅଛୁ ଓ ଜାଣିଅଛୁ । ୭୦ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ କ'ଣ ତୁମ୍ଭ ଦ୍ୱାଦଶଙ୍କୁ ମନୋନୀତ କରି ନାହିଁ ? ଆଉ, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଶୟତାନ । ୭୧ ସେ ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଲେ, କାରଣ ସେ ଦ୍ୱାଦଶଙ୍କ ମଧ୍ୟରେ ଜଣେ, ଆଉ ସେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାକୁ ଯାଉଥିଲା ।