୧୩
ଶିଷ୍ୟମାନଙ୍କ ପାଦ ପ୍ରକ୍ଷାଳନ
୧ ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ । ୨ ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା, ୩ ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ୱରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ୱରଙ୍କ ନିକଟକୁ ଯାଉଅଛନ୍ତି, ୪ ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ । ୫ ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ । ୬ କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋର ପାଦ ଧୋଇ ଦେଉଅଛନ୍ତି ? ୭ ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ । ୮ ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋର ପାଦ ଧୋଇଦେବେ ନାହିଁ । ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋ' ସହିତ ତୁମ୍ଭର କୌଣସି ଅଂଶ ନାହିଁ । ୯ ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ । ୧୦ ଯୀଶୁ ତାଙ୍କୁ କହିଲେ, ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ । ୧୧ କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ । ୧୨ ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପ୍ରତି କ'ଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ ? ୧୩ ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି । ୧୪ ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ । ୧୫ କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି । ୧୬ ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ । ୧୭ ଯଦି ତୁମ୍ଭେମାନେ ଏହି ସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ । ୧୮ ମୁଁ ତୁମ୍ଭ ସମସ୍ତଙ୍କ ସମ୍ବନ୍ଧରେ କହୁ ନାହିଁ; କେଉଁ ପ୍ରକାର ଲୋକମାନଙ୍କୁ ମୁଁ ମନୋନୀତ କରିଅଛି, ତାହା ମୁଁ ଜାଣେ; କିନ୍ତୁ ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିପାଇଁ ଏହିପରି ଘଟୁଅଛି, ଯେ ମୋହର ଅନ୍ନ ଖାଏ, ସେ ମୋହର ବିରୁଦ୍ଧରେ ଗୋଇଠା ଉଠାଇଲା । ୧୯ ତାହା ଘଟିବା ସମୟରେ, ମୁଁ ସେହି ଅଟେ ବୋଲି ତୁମ୍ଭେମାନେ ଯେପରି ବିଶ୍ୱାସ କର, ଏଥି ନିମନ୍ତେ ତାହା ଘଟିବା ପୂର୍ବେ ମୁଁ ବର୍ତ୍ତମାନ ତୁମ୍ଭମାନଙ୍କୁ କହୁଅଛି । ୨୦ ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ପ୍ରେରିତ ବ୍ୟକ୍ତିଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ ।
ବିଶ୍ୱାସଘାତକ ସମ୍ପର୍କରେ ଯୀଶୁଙ୍କ ସୂଚନା
(ମାଥିଉ 26:20-25; ମାର୍କ 14:17-21; ଲୂକ 22:21-23)
୨୧ ଯୀଶୁ ଏହି ସମସ୍ତ କଥା କହିଲା ଉତ୍ତାରେ ଆତ୍ମାରେ ଉଦ୍ବିଗ୍ନ ହେଲେ ଓ ସାକ୍ଷ୍ୟ ଦେଇ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ। ୨୨ ସେ କାହା ସମ୍ବନ୍ଧରେ କହିଲେ, ସେ ବିଷୟରେ ହତବୁଦ୍ଧି ହୋଇ ଶିଷ୍ୟମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ । ୨୩ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ - ଯାହାକୁ ଯୀଶୁ ପ୍ରେମ କରୁଥିଲେ - ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ । ୨୪ ଅତଏବ, ଶିମୋନ ପିତର ତାଙ୍କୁ ସଙ୍କେତ କରି କହିଲେ, ସେ କାହା ସମ୍ବନ୍ଧରେ କହୁଅଛନ୍ତି, ତାହା କୁହ । ୨୫ ସେ ସେହି ପ୍ରକାର ବସିଥାଇ ଯୀଶୁଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି ତାହାଙ୍କୁ ପଚାରିଲେ, ପ୍ରଭୁ, ସେ କିଏ ? ୨୬ ତେଣୁ ଯୀଶୁ ଉତ୍ତର ଦେଲେ, ଯାହା ନିମନ୍ତେ ମୁଁ ଏହି ରୁଟିଖଣ୍ଡକ ବୁଡ଼ାଇବି ଓ ଯାହାକୁ ତାହା ଦେବି, ସେ । ତହିଁରେ ସେ ସେହି ରୁଟିଖଣ୍ଡକ ବୁଡ଼ାଇ ତାହା ଘେନି ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଦେଲେ । ୨୭ ସେ ରୁଟିଖଣ୍ଡକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା । ସେଥିରେ ଯୀଶୁ ତାକୁ କହିଲେ, ଯାହା କରୁଅଛ, ତାହା ଶୀଘ୍ର କର । ୨୮ କିନ୍ତୁ ସେ କି ଉଦ୍ଦେଶ୍ୟରେ ତାକୁ ଏହି କଥା କହିଥିଲେ, ତାହା ଭୋଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ କେହି ଜାଣିଲେ ନାହିଁ । ୨୯ କାରଣ ଯିହୂଦା ନିକଟରେ ଟଙ୍କାଥଳୀ ଥିବାରୁ, ପର୍ବ ନିମନ୍ତେ ଯାହା ଯାହା ପ୍ରୟୋଜନ, ତାହା କ୍ରୟ କରିବାକୁ କିମ୍ବା ଦରିଦ୍ରମାନଙ୍କୁ କିଛି ଦାନ କରିବାକୁ ଯୀଶୁ ତାକୁ କହିଲେ ବୋଲି କେହି କେହି ମନେ କଲେ ।
ନୂତନ ଆଜ୍ଞା
୩୦ ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ । ୩୧ ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ୱର ମହିମାନ୍ୱିତ ହେଲେ । ୩୨ ଯଦି ଈଶ୍ୱର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ୱର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ । ୩୩ ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି । ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୂଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି । ୩୪ ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର । ୩୫ ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଵାରା ଜ୍ଞାତ ହେବେ ।
ପିତରଙ୍କ ଅସ୍ୱୀକାରର ପୂର୍ବ ସୂଚନା
(ମାଥିଉ 26:31-35; ମାର୍କ 14:27-31; ଲୂକ 22:31-34)
୩୬ ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁଠାକୁ ଯାଉଅଛନ୍ତି ? ଯୀଶୁ ଉତ୍ତର ଦେଲେ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ । ୩୭ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି । ୩୮ ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ମୋ' ନିମନ୍ତେ ନିଜ ପ୍ରାଣ ଦେବ ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ ।