୨୦
ଶୂନ୍ୟ ସମାଧି
(ମାଥିଉ 28:1-8; ମାର୍କ 16:1-8; ଲୂକ 24:1-12)
୧ ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍‍ଦଲୀନୀ ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ । ୨ ତେଣୁ ସେ ଦୌଡ଼ିଯାଇ ଶିମୋନ ପିତର ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ, ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, କେଉଁମାନେ ସମାଧିରୁ ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ପୁଣି, ତାହାଙ୍କୁ କେଉଁଠାରେ ରଖିଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହୁଁ । ୩ ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ । ୪ ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ, ୫ ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ଲୁଗାସବୁ ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ । ୬ ପରେ ଶିମୋନ ପିତର ମଧ୍ୟ ତାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ଲୁଗାଗୁଡ଼ିକ ପଡ଼ିଅଛି, ୭ ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି । ୮ ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଥିଲେ, ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ; ୯ କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ଉତ୍ଥାନ କରିବାକୁ ହେବ, ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେପର୍ଯ୍ୟନ୍ତ ବୁଝି ନ ଥିଲେ । ୧୦ ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କ ଗୃହକୁ ଚାଲିଗଲେ ।
ପୁନରୁତ୍ଥିତ ଯୀଶୁଙ୍କ ମରିୟମଙ୍କୁ ଦର୍ଶନ
(ମାଥିଉ 28:9,10; ମାର୍କ 16:9-11)
୧୧ କିନ୍ତୁ ମରିୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ; ପୁଣି, ରୋଦନ କରୁ କରୁ ସେ ନଇଁପଡ଼ି ସମାଧି ଭିତରକୁ ଚାହିଁ, ୧୨ ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ । ୧୩ ସେମାନେ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ତାହା ମୁଁ ଜାଣେ ନାହିଁ । ୧୪ ସେ ଏହା କହି ପଛକୁ ବୁଲିପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ, ତାହା ଜାଣିଲେ ନାହିଁ । ୧୫ ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ ? କାହାର ଅନ୍ୱେଷଣ କରୁଅଛ ? ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି । ୧୬ ଯୀଶୁ ତାଙ୍କୁ କହିଲେ, ମରିୟମ । ସେ ବୁଲିପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବ୍ବୂନୀ, ଅର୍ଥାତ୍‍, ହେ ଗୁରୁ । ୧୭ ଯୀଶୁ ତାଙ୍କୁ କହିଲେ, ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ୱର ଓ ତୁମ୍ଭମାନଙ୍କର ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି । ୧୮ ମଗ୍‍ଦଲୀନୀ ମରିୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହି ସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ ।
ପୁନରୁତ୍ଥିତ ଯୀଶୁଙ୍କ ଶିଷ୍ୟମାନଙ୍କୁ ଦର୍ଶନ
(ମାଥିଉ 28:16-20; ମାର୍କ 16:14-18; ଲୂକ 24:36-49)
୧୯ ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୂଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । ୨୦ ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ । ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ । ୨୧ ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି । ୨୨ ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କର । ୨୩ ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ ।
ଯୀଶୁ ଓ ଥୋମା
୨୪ କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ । ୨୫ ଅତଏବ, ଅନ୍ୟ ଶିଷ୍ୟମାନେ ତାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ । କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହି ସବୁ ସ୍ଥାନରେ ମୋହର ଆଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ । ୨୬ ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ । ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ । ୨୭ ପରେ ସେ ଥୋମାଙ୍କୁ କହିଲେ, ଏଆଡ଼େ ତୁମ୍ଭର ଆଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ । ୨୮ ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର । ୨୯ ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ ।
ଏହି ପୁସ୍ତକର ଉଦ୍ଦେଶ୍ୟ
୩୦ ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହି ସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ; ୩୧ କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥି ନିମନ୍ତେ ଏସମସ୍ତ ଲେଖାଯାଇଅଛି ।