୧୭
ଆୟୁବ - ମୋହର ଭରସା କାହିଁ ?
୧ ମୋହର ପ୍ରାଣ କ୍ଷୟ ପାଉଅଛି ଓ ମୋହର ଦିନ ଅବସାନ ହେଉଅଛି, ମୋ’ ନିମନ୍ତେ କବର ପ୍ରସ୍ତୁତ ଅଛି। ୨ ନିଶ୍ଚୟ ପରିହାସକମାନେ ମୋ’ ନିକଟରେ ଅଛନ୍ତି ଓ ସେମାନଙ୍କ ବିରୋଧ ମୋ’ ଚକ୍ଷୁଗୋଚରରେ ଅଛି। ୩ ହେ ପରମେଶ୍ଵର ବିନୟ କରୁଅଛି, ପ୍ରତିନିଧି ଦିଅ, ଆପଣା ନିକଟରେ ଆପେ ମୋ’ ପାଇଁ ଲଗା ହୁଏ; ଆଉ କିଏ ମୋ’ ହାତରେ ହାତ ଦେବ ? ୪ କାରଣ ତୁମ୍ଭେ ସେମାନଙ୍କ ଅନ୍ତଃକରଣକୁ ବୁଦ୍ଧିରୁ ଗୁପ୍ତ କରିଅଛ; ଏହେତୁ ତୁମ୍ଭେ ସେମାନଙ୍କୁ ଉନ୍ନତ କରିବ ନାହିଁ। ୫ ଯେ ଆପଣା ମିତ୍ରଗଣକୁ ଲୁଟ ରୂପେ ସମର୍ପଣ କରେ, ତାହାର ସନ୍ତାନଗଣର ଚକ୍ଷୁ ନିସ୍ତେଜ ହେବ। ୬ ମଧ୍ୟ ସେ ମୋତେ ଲୋକମାନଙ୍କର ହାସ୍ୟାସ୍ପଦ କରିଅଛନ୍ତି; ମୁଁ ପ୍ରକାଶରେ ଘୃଣାପାତ୍ର ହୋଇଅଛି। ୭ ଦୁଃଖ ସକାଶୁ ମଧ୍ୟ ମୋର ଚକ୍ଷୁ କ୍ଷୀଣ ହୋଇଅଛି ଓ ମୋହର ସର୍ବାଙ୍ଗ ଛାୟା ତୁଲ୍ୟ ହୋଇଅଛି। ୮ ସରଳ ଲୋକେ ଏଥିରେ ଚମତ୍କୃତ ହେବେ ଓ ନିର୍ଦ୍ଦୋଷ ଲୋକ ଅଧାର୍ମିକ ବିରୁଦ୍ଧରେ ଆପଣାକୁ ଉତ୍ତେଜିତ କରିବ। ୯ ତଥାପି ଧାର୍ମିକ ଆପଣା ମାର୍ଗ ଦୃଢ଼ କରି ଧରିବ ଓ ଶୁଚିହସ୍ତ ଲୋକ ଆହୁରି ଆହୁରି ବଳବାନ ହେବ। ୧୦ ମାତ୍ର ତୁମ୍ଭେ ସମସ୍ତେ ଏବେ ଫେରି ଆସ; ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନବାନ ଲୋକ ପାଇବି ନାହିଁ। ୧୧ ମୋହର ବଞ୍ଚିବାର ଦିନସବୁ ଅତୀତ ହେଲା, ମୋହର ଅଭିପ୍ରାୟ, ଅର୍ଥାତ୍‍, ମୋର ମନର ସଂକଳ୍ପସବୁ ନିଷ୍ଫଳ ହେଲା। ୧୨ ସେମାନେ ରାତ୍ରିକୁ ଦିନ କରନ୍ତି; ସେମାନେ ଆଲୁଅକୁ ଅନ୍ଧକାରର ସନ୍ନିକଟ ବୋଲି କହନ୍ତି। ୧୩ ଯଦି ମୁଁ ପାତାଳକୁ ଆପଣାର ଗୃହ ବୋଲି ଅନାଏ; ଯଦି ମୁଁ ଅନ୍ଧକାରରେ ଆପଣା ଶଯ୍ୟା ବିଛାଇଅଛି; ୧୪ ଯଦି ମୁଁ କ୍ଷୟକୁ କହିଅଛି, ତୁମ୍ଭେ ମୋହର ପିତା; କୀଟକୁ କହିଅଛି, ତୁମ୍ଭେ ମୋହର ମାତା ଓ ଭଗିନୀ; ୧୫ ତେବେ ମୋହର ଭରସା କାହିଁ ? ଓ ମୋହର ଭରସା କିଏ ଦେଖିବ ? ୧୬ ତାହା ପାତାଳର ଅର୍ଗଳ ଆଡ଼କୁ ଓହ୍ଲାଇ ଯିବ, ତହିଁରେ ଏକାବେଳେ ମାଟିରେ ବିଶ୍ରାମ ହେବ।