୩୪
ଇଲୀହୂଙ୍କ ପରମେଶ୍ୱରଙ୍କ ନ୍ୟାୟର ଘୋଷଣା
୧ ଆହୁରି ଇଲୀହୂ ଉତ୍ତର କରି କହିଲା, ୨ “ହେ ଜ୍ଞାନୀମାନେ, ମୋ’ କଥା ଶୁଣ, ହେ ବିଜ୍ଞମାନେ, ମୋ’ କଥାରେ କର୍ଣ୍ଣ ଦିଅ। ୩ କାରଣ ସ୍ୱାଦ ଯେପରି ଭକ୍ଷ୍ୟର ସ୍ୱାଦ ବୁଝେ, କର୍ଣ୍ଣ ସେପରି ବାକ୍ୟର ପରୀକ୍ଷା କରେ। ୪ ଯାହା ଯଥାର୍ଥ, ତାହା ଆମ୍ଭେମାନେ ଆପଣାମାନଙ୍କ ପାଇଁ ମନୋନୀତ କରୁ; ଯାହା ଭଲ, ତାହା ଆମ୍ଭେମାନେ ଆପଣାମାନଙ୍କ ମଧ୍ୟରେ ନିଶ୍ଚୟ କରୁ। ୫ କାରଣ ଆୟୁବ କହିଅଛି, ମୁଁ ଧାର୍ମିକ, ପୁଣି ପରମେଶ୍ୱର ମୋହର ନ୍ୟାୟ ହରଣ କରିଅଛନ୍ତି; ୬ ମୁଁ ନ୍ୟାୟବାନ ହେଲେ ହେଁ ମିଥ୍ୟାବାଦୀ ଗଣିତ ହୋଇଅଛି; ମୁଁ ଅପରାଧରହିତ ହେଲେ ହେଁ ମୋହର କ୍ଷତି ପ୍ରତିକାରହୀନ। ୭ ଆୟୁବ ପରି କେଉଁ ଲୋକ ଅଛି ? ସେ ଜଳ ପରି ନିନ୍ଦା ପାନ କରେ। ୮ ସେ ଅଧର୍ମାଚାରୀମାନଙ୍କ ସଙ୍ଗେ ଯାଏ ଓ ଦୁଷ୍ଟଲୋକମାନଙ୍କ ସଙ୍ଗେ ଗମନାଗମନ କରେ। ୯ କାରଣ ସେ କହିଅଛି, ପରମେଶ୍ୱରଙ୍କଠାରେ ଆନନ୍ଦ କଲେ, ମନୁଷ୍ୟର କିଛି ଲାଭ ନାହିଁ। ୧୦ ହେ ବୁଦ୍ଧିମାନ ଲୋକେ, ମୋ’ କଥା ଶୁଣ; ପରମେଶ୍ୱର ଯେ ଦୁଷ୍କର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ ଓ ସର୍ବଶକ୍ତିମାନ ଯେ ଅଧର୍ମ କରିବେ, ଏହା ତାହାଙ୍କଠାରୁ ଦୂରେ ଥାଉ। ୧୧ ମନୁଷ୍ୟର କର୍ମାନୁସାରେ ସେ ତାହାକୁ ଫଳ ଦେବେ ଓ ପ୍ରତ୍ୟେକ ଲୋକକୁ ତାହାର ଆଚରଣ ପ୍ରମାଣେ ଫଳଭୋଗ କରାଇବେ। ୧୨ ନିଶ୍ଚୟ ପରମେଶ୍ୱର ଦୁଷ୍ଟାଚରଣ କରିବେ ନାହିଁ, ସର୍ବଶକ୍ତିମାନ ବିଚାର ବିପରୀତ କରିବେ ନାହିଁ। ୧୩ କିଏ ତାହାଙ୍କୁ ପୃଥିବୀର କର୍ତ୍ତୃତ୍ୱଭାର ଦେଲା ? ଅବା କିଏ ସମୁଦାୟ ଜଗତର ନିରୂପଣ କରିଅଛି ? ୧୪ ଯଦି ସେ ମନୁଷ୍ୟ ଉପରେ ଆପଣା ମନ ଦେବେ, ଯଦି ସେ ତାହାର ଆତ୍ମା ଓ ନିଶ୍ୱାସ ଆପଣା ନିକଟରେ ସଂଗ୍ରହ କରିବେ; ୧୫ ତେବେ ସକଳ ପ୍ରାଣୀ ଏକତ୍ର ବିନଷ୍ଟ ହେବେ ଓ ମନୁଷ୍ୟ ପୁନର୍ବାର ଧୂଳିରେ ମିଶିଯିବ। ୧୬ ତୁମ୍ଭର ବିବେଚନା ଥିଲେ, ଏହା ଶୁଣ; ମୋ’ ବାକ୍ୟର ରବରେ ମନୋଯୋଗ କର। ୧୭ ଯେ ନ୍ୟାୟ ଘୃଣା କରେ, ସେ କି ଶାସନ କରିବ ? ଓ ଯେ ଧାର୍ମିକ ଓ ପରାକ୍ରମୀ, ତାହାଙ୍କୁ କି ତୁମ୍ଭେ ଦୋଷୀ କରିବ ? ୧୮ ରାଜାକୁ, ତୁମ୍ଭେ ଅଧମ; ଅବା ଅଧିପତିମାନଙ୍କୁ, ତୁମ୍ଭେମାନେ ଦୁଷ୍ଟ ବୋଲି କହିବାର କି ଉପଯୁକ୍ତ ? ୧୯ ତେବେ ପରମେଶ୍ଵର ଯେ ଅଧିପତିମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ, ଅବା ସମସ୍ତେ ତାହାଙ୍କର ହସ୍ତକୃତ କର୍ମ ହେବାରୁ ଦରିଦ୍ର ଅପେକ୍ଷା ଧନୀକୁ ବିଶେଷ ଜ୍ଞାନ କରନ୍ତି ନାହିଁ, ତାହାଙ୍କୁ ଏପରି କହିବା କେତେ ଅଧିକ ଅନୁପଯୁକ୍ତ ? ୨୦ ସେମାନେ ମୁହୂର୍ତ୍ତକେ, ଅର୍ଦ୍ଧରାତ୍ରରେ ହିଁ ମରନ୍ତି; ଲୋକମାନେ କମ୍ପିତ ହୋଇ ପ୍ରାଣତ୍ୟାଗ କରନ୍ତି ଓ ବିକ୍ରମୀ ବିନା ହସ୍ତକ୍ଷେପରେ ଦୂରୀକୃତ ହୁଅନ୍ତି। ୨୧ କାରଣ ମନୁଷ୍ୟର ମାର୍ଗ ପ୍ରତି ପରମେଶ୍ବରଙ୍କ ଦୃଷ୍ଟି ଅଛି ଓ ସେ ତାହାର ସବୁ ଗତି ଦେଖନ୍ତି। ୨୨ ଯେଉଁଠାରେ ଅଧର୍ମାଚାରୀଗଣ ଲୁଚି ପାରନ୍ତି, ଏପରି ଅନ୍ଧକାର ଓ ମୃତ୍ୟୁଚ୍ଛାୟା ନାହିଁ। ୨୩ କାରଣ ମନୁଷ୍ୟର ପରମେଶ୍ୱରଙ୍କ ସାକ୍ଷାତରେ ବିଚାରାର୍ଥେ ଯିବାକୁ ହେବ ବୋଲି ତାହା ବିଷୟ ଦୀର୍ଘ ବିବେଚନା କରିବାର ତାହାଙ୍କର ଆବଶ୍ୟକ ନାହିଁ। ୨୪ ସେ ଅନୁଦ୍ଦେଶ୍ୟ ଉପାୟରେ ପରାକ୍ରାନ୍ତ ଲୋକମାନଙ୍କୁ ଖଣ୍ଡ ଖଣ୍ଡ କରନ୍ତି ଓ ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ସ୍ଥାପନ କରନ୍ତି। ୨୫ ଏହେତୁ ସେ ସେମାନଙ୍କ କର୍ମର ତତ୍ତ୍ୱ ନିଅନ୍ତି; ପୁଣି, ସେ ରାତ୍ରିରେ ସେମାନଙ୍କୁ ଓଲଟାଇ ପକାନ୍ତି, ତହିଁରେ ସେମାନେ ବିନଷ୍ଟ ହୁଅନ୍ତି। ୨୬ ସେ ଅନ୍ୟମାନଙ୍କ ଦୃଷ୍ଟିଗୋଚରରେ ଦୁଷ୍ଟଲୋକଙ୍କୁ ପ୍ରହାର କଲା ପରି ସେମାନଙ୍କୁ ପ୍ରହାର କରନ୍ତି; ୨୭ କାରଣ ସେମାନେ ତାହାଙ୍କ ଅନୁଗମନରୁ ବିମୁଖ ହେଲେ ଓ ତାହାଙ୍କର କୌଣସି ମାର୍ଗ ଆଦର କରିବାକୁ ଅନିଚ୍ଛୁକ ହେଲେ; ୨୮ ଏହିରୂପେ ସେମାନେ ତାହାଙ୍କ ଛାମୁରେ ଦରିଦ୍ରର କ୍ରନ୍ଦନ ଉପସ୍ଥିତ କରାଇଲେ, ତହୁଁ ସେ ଦୁଃଖୀର କ୍ରନ୍ଦନ ଶୁଣିଲେ। ୨୯ ସେ ଶାନ୍ତି ଦେଲେ, କିଏ ଦୋଷ ଦେଇପାରେ ? ଓ ସେ ଆପଣା ମୁଖ ଆଚ୍ଛାଦନ କଲେ, କିଏ ତାହାଙ୍କୁ ଦେଖିପାରେ ? ଏହା କୌଣସି ଗୋଷ୍ଠୀ ଅବା କୌଣସି ବ୍ୟକ୍ତି ପ୍ରତି କରାଗଲେ, ଏକ ସମାନ ଥାଏ; ୩୦ ଏଣୁ ଅଧାର୍ମିକ ଲୋକ ରାଜତ୍ୱ କରେ ନାହିଁ, ଲୋକମାନଙ୍କୁ ଫାନ୍ଦରେ ପକାଇବାକୁ କେହି ନ ଥାଏ। ୩୧ କାରଣ କେହି କି ପରମେଶ୍ୱରଙ୍କୁ କହିଅଛି, ମୁଁ ଶାସ୍ତି ଭୋଗ କରୁଅଛି, ଆଉ ଦୋଷ କରିବି ନାହିଁ; ୩୨ ଯାହା ମୁଁ ଜାଣୁ ନାହିଁ, ତାହା ତୁମ୍ଭେ ମୋତେ ଶିଖାଅ; ଯଦି ମୁଁ ଅପରାଧ କରିଅଛି, ତେବେ ଆଉ ତାହା କରିବି ନାହିଁ ? ୩୩ ତାହାଙ୍କ ଦତ୍ତ ପ୍ରତିଫଳ କି ତୁମ୍ଭ ଇଚ୍ଛାମତ ହେବ ଯେ, ତୁମ୍ଭେ ତାହା ଅଗ୍ରାହ୍ୟ କରୁଅଛ ? କାରଣ ମନୋନୀତ କରିବାର ତୁମ୍ଭର କର୍ମ, ମୋହର ନୁହେଁ; ଏଥିପାଇଁ ଯାହା ତୁମ୍ଭେ ଜାଣ, ତାହା କୁହ। ୩୪ ବୁଦ୍ଧିମାନ ଲୋକେ ଏବଂ ମୋ’ କଥା ଶ୍ରବଣକାରୀ ପ୍ରତ୍ୟେକ ଜ୍ଞାନୀ ଲୋକ ମୋତେ କହିବେ; ୩୫ ଆୟୁବ ନ ଜାଣି କଥା କହେ ଓ ତାହାର କଥାସବୁ ଜ୍ଞାନବର୍ଜ୍ଜିତ। ୩୬ ଆୟୁବ ଶେଷ ପର୍ଯ୍ୟନ୍ତ ପରୀକ୍ଷିତ ହେଉ, କାରଣ ସେ ଦୁଷ୍ଟ ଲୋକମାନଙ୍କ ପରି ଉତ୍ତର ଦେଇଅଛି। ୩୭ ଯେଣୁ ସେ ଆପଣା ପାପରେ ବିଦ୍ରୋହଭାବ ଯୋଗ କରୁଅଛି, ସେ ଆମ୍ଭମାନଙ୍କ ମଧ୍ୟରେ ହାତତାଳି ଦେଉଅଛି ଓ ପରମେଶ୍ୱରଙ୍କ ପ୍ରତିକୂଳରେ ଅନେକ କଥା କହୁଅଛି।”