୪୨
ଆୟୁବଙ୍କ ସ୍ୱୀକାରୋକ୍ତି ଏବଂ ଅନୁତାପ
୧ ଏଥିଉତ୍ତାରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, ୨ “ହେ ସଦାପ୍ରଭୁ, ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନ ପାରେ। ୩ ଜ୍ଞାନ ବିନା ମନ୍ତ୍ରଣା ଗୋପନକାରୀ ଏ କିଏ ? ସତ୍ୟ, ମୁଁ ଯାହା ବୁଝିଲି ନାହିଁ, ଯେଉଁ ଅତି ଆଶ୍ଚର୍ଯ୍ୟ କଥା ଜାଣିଲି ନାହିଁ, ତାହା ହିଁ କହିଅଛି। ୪ ବିନୟ କରୁଅଛି, ଶୁଣ, ମୁଁ କଥା କହିବି; ମୁଁ ତୁମ୍ଭଙ୍କୁ ପ୍ରଶ୍ନ କରିବି, ଆଉ ତୁମ୍ଭେ ମୋତେ ବୁଝାଇ ଦିଅ। ୫ ମୁଁ କର୍ଣ୍ଣରେ ତୁମ୍ଭ ବିଷୟ ଶୁଣିଥିଲି; ମାତ୍ର ଏବେ ମୋହର ଚକ୍ଷୁ ତୁମ୍ଭଙ୍କୁ ଦେଖୁଅଛି, ୬ ଏହେତୁ ମୁଁ ଆପଣାକୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି। ୭ ସଦାପ୍ରଭୁ ଆୟୁବକୁ ଏହିସବୁ କଥା କହିଲା ଉତ୍ତାରେ, ସଦାପ୍ରଭୁ ତୈମନୀୟ ଇଲୀଫସ୍‍କୁ କହିଲେ, “ତୁମ୍ଭ ପ୍ରତି ଓ ତୁମ୍ଭର ଦୁଇ ମିତ୍ର ପ୍ରତି ଆମ୍ଭର କୋପ ପ୍ରଜ୍ୱଳିତ ହୋଇଅଛି; କାରଣ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ। ୮ ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ସାତ ବୃଷ ଓ ସାତ ମେଷ ନେଇ ଆମ୍ଭ ଦାସ ଆୟୁବ ନିକଟକୁ ଯାଅ ଓ ଆପଣାମାନଙ୍କ ନିମନ୍ତେ ହୋମବଳି ରୂପେ ତାହା ଉତ୍ସର୍ଗ କର, ତହିଁରେ ଆମ୍ଭ ଦାସ ଆୟୁବ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବ; କାରଣ ଆମ୍ଭେ ତାହାକୁ ଗ୍ରାହ୍ୟ କରି ତୁମ୍ଭମାନଙ୍କ ମୂର୍ଖତା ପ୍ରମାଣେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିବା ନାହିଁ; ଯେହେତୁ ତୁମ୍ଭେମାନେ ଆମ୍ଭ ଦାସ ଆୟୁବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହି ନାହଁ।” ୯ ତହିଁରେ ତୈମନୀୟ ଇଲୀଫସ୍‍ ଓ ଶୂହୀୟ ବିଲ୍‍ଦଦ୍‍ ଓ ନାମାଥୀୟ ସୋଫର ଯାଇ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ଗ୍ରାହ୍ୟ କଲେ।
ଆୟୁବଙ୍କୁ ପରମେଶ୍ୱରଙ୍କ ପୁନଃସ୍ଥାପନ
୧୦ ପୁଣି, ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ; ପୁଣି, ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ। ୧୧ ତହିଁରେ ଆୟୁବର ସମସ୍ତ ଭ୍ରାତା ଓ ସମସ୍ତ ଭଗିନୀ ଓ ତାହାର ପୂର୍ବ ପରିଚିତ ସମସ୍ତେ ତାହା ନିକଟକୁ ଆସି ତାହାର ଗୃହରେ ତାହା ସଙ୍ଗେ ଭୋଜନ କଲେ; ଆଉ, ସଦାପ୍ରଭୁ ତାହା ଉପରେ ଯେସବୁ ବିପଦ ଘଟାଇଥିଲେ, ତହିଁ ସକାଶୁ ସେମାନେ ଦୁଃଖ ପ୍ରକାଶ କରି ତାହାକୁ ସାନ୍ତ୍ୱନା କଲେ; ମଧ୍ୟ ପ୍ରତ୍ୟେକ ଲୋକ ଏକ ଏକ କସୀତା ମୁଦ୍ରା ଓ ପ୍ରତ୍ୟେକେ ଏକ ଏକ ସୁବର୍ଣ୍ଣ ମୁଦ୍ରିକା ଦେଲେ। ୧୨ ଏହିରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦଯୁକ୍ତ କଲେ; ତହିଁରେ ତାହାର ଚଉଦ ହଜାର ମେଷ ଓ ଛଅ ହଜାର ଉଷ୍ଟ୍ର ଓ ଏକ ହଜାର ହଳ ବଳଦ ଓ ଏକ ହଜାର ଗର୍ଦ୍ଦଭୀ ହେଲେ। ୧୩ ମଧ୍ୟ ତାହାର ସାତ ପୁତ୍ର ଓ ତିନି କନ୍ୟା ଜନ୍ମିଲେ। ୧୪ ପୁଣି, ସେ ପ୍ରଥମ କନ୍ୟାର ନାମ ଯିମୀମା ଓ ଦ୍ୱିତୀୟାର ନାମ କତ୍‍ସୀୟା ଓ ତୃତୀୟାର ନାମ କେରଣ-ହପ୍‍ପୁକ୍‍ ଦେଲା। ୧୫ ସାରା ଦେଶରେ କୌଣସି ସ୍ତ୍ରୀ ଆୟୁବର କନ୍ୟାମାନଙ୍କ ପରି ରୂପବତୀ ନ ଥିଲେ; ଆଉ, ସେମାନଙ୍କ ପିତା ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲା। ୧୬ ପୁଣି, ଏଥିଉତ୍ତାରେ ଆୟୁବ ଏକ ଶହ ଚାଳିଶ ବର୍ଷ ବଞ୍ଚି ଚାରି ପିଢ଼ି ପର୍ଯ୍ୟନ୍ତ ଆପଣାର ପୁତ୍ରପୌତ୍ରମାନଙ୍କୁ ଦେଖିଲା। ୧୭ ଏହିରୂପେ ଆୟୁବ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲା।