ଇସ୍ରାଏଲର ଯର୍ଦ୍ଦନ ଅତିକ୍ରମ
୧ ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠିଲେ; ପୁଣି ସେ ଓ ଇସ୍ରାଏଲର ସମସ୍ତ ସନ୍ତାନ ଶିଟୀମ୍‍ରୁ ଯାତ୍ରା କରି ଯର୍ଦ୍ଦନରେ ଉପସ୍ଥିତ ହେଲେ; ମାତ୍ର ସେମାନେ ପାର ହେବା ପୂର୍ବେ ସେଠାରେ ବସା କଲେ। ୨ ତହୁଁ ତିନି ଦିନ ଉତ୍ତାରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ; ୩ ପୁଣି ସେମାନେ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ଯେତେବେଳେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ଓ ତହିଁର ବାହକ ଲେବୀୟ ଯାଜକମାନଙ୍କୁ ଦେଖିବ, ସେତେବେଳେ ତୁମ୍ଭେମାନେ ଆପଣା ଆପଣା ସ୍ଥାନରୁ ଉଠି ତହିଁର ପଛେ ପଛେ ଗମନ କରିବ। ୪ ତଥାପି ପରିମାଣାନୁସାରେ ତୁମ୍ଭମାନଙ୍କର ଓ ତାହାର ମଧ୍ୟରେ ପ୍ରାୟ ଦୁଇ ହଜାର ହାତ* ପ୍ରାୟ ଏକ କିଲୋ ମିଟର୍ ଅନ୍ତର ରହିବ; ତୁମ୍ଭେମାନେ ଆପଣାମାନଙ୍କ ଗମନର ପଥ ଜାଣିବା ନିମନ୍ତେ ତାହା ନିକଟକୁ ଆସିବ ନାହିଁ, କାରଣ ଏଥିପୂର୍ବେ ତୁମ୍ଭେମାନେ ଏହି ପଥ ପାର ହୋଇ ଯାଇ ନାହଁ। ୫ ଏଥିଉତ୍ତାରେ ଯିହୋଶୂୟ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣାକୁ ପବିତ୍ର କର, କାରଣ କାଲି ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟକ୍ରିୟା କରିବେ। ୬ ପୁଣି ଯିହୋଶୂୟ ଯାଜକମାନଙ୍କୁ କହିଲେ, ନିୟମ-ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କର। ତହିଁରେ ସେମାନେ ନିୟମ-ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କଲେ। ୭ ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବା, ତହିଁରେ ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେହିପରି ତୁମ୍ଭ ସଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ। ୮ ଏନିମନ୍ତେ ତୁମ୍ଭେ ନିୟମ-ସିନ୍ଦୁକବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ତୁମ୍ଭେମାନେ ଯର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ, ସେଠାରେ ଯର୍ଦ୍ଦନ ତୀରରେ ଠିଆ ହୋଇ ରହିବ। ୯ ତହିଁରେ ଯିହୋଶୂୟ ଇସ୍ରାଏଲ ସନ୍ତାନଗଣକୁ କହିଲେ, ତୁମ୍ଭେମାନେ ଏହି ସ୍ଥାନକୁ ଆସି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଶୁଣ। ୧୦ ଯିହୋଶୂୟ ଆହୁରି କହିଲେ, ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତ୍ତୀୟ ଓ ହିବ୍ବୀୟ ଓ ପରିଷୀୟ ଓ ଗିର୍ଗାଶୀୟ ଓ ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ଯେ ତୁମ୍ଭମାନଙ୍କ ସମ୍ମୁଖରୁ ନିତାନ୍ତ ତଡ଼ିଦେବେ, ତାହା ତୁମ୍ଭେମାନେ ଏହା ଦ୍ୱାରା ଜାଣି ପାରିବ। ୧୧ ଦେଖ, ସମଗ୍ର ଜଗତର ପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ଯାଉଅଛି। ୧୨ ଏନିମନ୍ତେ ତୁମ୍ଭେମାନେ ଇସ୍ରାଏଲର ଏକ ବଂଶରୁ ଏକ ଏକ ଜଣ, ଏରୂପେ ବାର ବଂଶରୁ ବାର ଜଣ ଗ୍ରହଣ କର। ୧୩ ସମଗ୍ର ଜଗତର ପ୍ରଭୁ ସଦାପ୍ରଭୁଙ୍କର ସିନ୍ଦୁକ-ବାହକ ଯାଜକମାନଙ୍କ ପଦତଳ ଯର୍ଦ୍ଦନ ଜଳରେ ପ୍ରବିଷ୍ଟ ହେବାମାତ୍ର ସେହି ଯର୍ଦ୍ଦନର ଜଳ, ଅର୍ଥାତ୍‍, ଉର୍ଦ୍ଧ୍ୱ ସ୍ଥାନରୁ ଯେଉଁ ଜଳ ବହି ଆସୁଅଛି, ତାହା କଟା ହେବ ଓ ତାହା ଏକ ରାଶି ହୋଇ ସ୍ଥଗିତ ହେବ। ୧୪ ସେତେବେଳେ ଲୋକମାନେ ଯର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ବୁରୁ ଯାତ୍ରା କରନ୍ତେ, ଯାଜକମାନେ ନିୟମ-ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ। ୧୫ ଆଉ ଯଦ୍ୟପି ଶସ୍ୟଚ୍ଛେଦନର ସମସ୍ତ କାଳ ଯର୍ଦ୍ଦନର ସବୁ-ତୀର ଉପରକୁ ବଢ଼ି ଉଠେ, ତଥାପି ସିନ୍ଦୁକ- ବାହକମାନେ ଯେତେବେଳେ ଯର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରରେ ସିନ୍ଦୁକ-ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର, ୧୬ ଉର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା; ପୁଣି ପଦାଭୂମିର ସମୁଦ୍ର, ଅର୍ଥାତ୍‍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ। ୧୭ ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବାଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।

*୩:୪ ପ୍ରାୟ ଏକ କିଲୋ ମିଟର୍