୧୬
ଅବିଶ୍ୱସ୍ତ ଚତୁର ବେବର୍ତ୍ତାର ଦୃଷ୍ଟାନ୍ତ
୧ ସେ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, ଜଣେ ଧନୀ ଲୋକ ଥିଲେ; ତାହାଙ୍କର ଜଣେ ବେବର୍ତ୍ତା ଥିଲେ, ଆଉ ସେ ତାହାଙ୍କର ସମ୍ପତ୍ତି ଅଯଥା ଖର୍ଚ୍ଚ କରିଦେଉଅଛି ବୋଲି ତାହା ବିଷୟରେ ଶୁଣି ସେ ତାହାକୁ ଡାକି କହିଲେ, ୨ ମୁଁ ତୁମ୍ଭ ବିଷୟରେ ଏ କି କଥା ଶୁଣୁଅଛି ? ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ, କାରଣ ତୁମ୍ଭେ ଆଉ ବେବର୍ତ୍ତା ହୋଇ ରହି ପାରିବ ନାହିଁ ।
୩ ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କ'ଣ କରିବି ? ମୋହର ପ୍ରଭୁ ତ ମୋଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି । ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି । ୪ ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କ'ଣ କରିବି, ତାହା ବୁଝିଲିଣି ।
୫ ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଛ ? ସେ କହିଲା, ଶହେ ମହଣ ତେଲ । ୬ ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଶୀଘ୍ର ବସି ପଚାଶ ବୋଲି ଲେଖ । ୭ ତାହା ପରେ ସେ ଆଉ ଜଣକୁ କହିଲା, ତୁମ୍ଭେ କେତେ ଧାର ନେଇଅଛ ? ସେ କହିଲା, ଶହେ ଭରଣ ଗହମ । ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଅଶୀ ବୋଲି ଲେଖ ।
୮ ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ । ୯ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ ।
୧୦ ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ଅଟେ, ପୁଣି, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ । ୧୧ ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ ? ୧୨ ଆଉ, ଯଦି ତୁମ୍ଭେମାନେ ପରର ବିଷୟରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ନିଜ ବିଷୟ ଦେବ ?
୧୩ କୌଣସି ଦାସ ଦୁଇ ପ୍ରଭୁଙ୍କର ସେବା କରି ପାରିବ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାରିବ ନାହିଁ ।
ମୋଶାଙ୍କ ବ୍ୟବସ୍ଥା ଓ ଈଶ୍ୱରଙ୍କ ରାଜ୍ୟ
(ମାଥିଉ 11:12,13; 5:31,32; ମାର୍କ 10:11,12)
୧୪ ଏହି ସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ । ୧୫ ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଯେଉଁମାନେ ନିଜ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହି ପ୍ରକାର ଲୋକ, କିନ୍ତୁ ଈଶ୍ୱର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଘୃଣିତ ।
୧୬ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମ ପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି । ୧୭ କିନ୍ତୁ ମୋଶାଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ ।
୧୮ ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ପୁଣି, ଯେ ସ୍ୱାମୀ ଦ୍ୱାରା ପରିତ୍ୟାଗ କରାଯାଇଥିବା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ ।
ଧନୀ ଲୋକ ଓ ଲାଜାର
୧୯ ଜଣେ ଧନୀ ଲୋକ ଥିଲା, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା; ୨୦ କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା, ୨୧ ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ ।
୨୨ କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରାହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା । ୨୩ ଆଉ, ସେ ନର୍କଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରାହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲେ ।
୨୪ ସେଥିରେ ସେ ଡାକି କହିଲେ, ହେ ପିତା ଅବ୍ରାହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି ।
୨୫ କିନ୍ତୁ ଅବ୍ରାହାମ କହିଲେ, ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ । ୨୬ ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ ।
୨୭ ସେଥିରେ ସେ କହିଲେ, ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ, ୨୮ କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ ।
୨୯ କିନ୍ତୁ ଅବ୍ରାହାମ କହିଲେ, ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ । ୩୦ ସେଥିରେ ସେ କହିଲେ, ହେ ପିତା ଅବ୍ରାହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ ପରିବର୍ତ୍ତନ କରିବେ । ୩୧ କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ ।