ସଦାପ୍ରଭୁଙ୍କର ଭୟଙ୍କର ଦିନ
୧ “କାରଣ ଦେଖ, ସେହିଦିନ ଆସୁଅଛି, ତାହା ଅଗ୍ନିକୁଣ୍ଡ ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ୨ ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବ; ଆଉ, ତୁମ୍ଭେମାନେ ବାହାର ହୋଇ ହୃଷ୍ଟପୁଷ୍ଟ ଗୋବତ୍ସ ତୁଲ୍ୟ କୁଦା ମାରିବ। ୩ “ପୁଣି, ତୁମ୍ଭେମାନେ ଦୁଷ୍ଟମାନଙ୍କୁ ପଦ ତଳେ ଦଳି ପକାଇବ; କାରଣ ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେହି ଦିନ ସେମାନେ ତୁମ୍ଭମାନଙ୍କର ତଳିପାର ଅଧଃସ୍ଥିତ ଭସ୍ମ ହେବେ,” ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି। ୪ “ଆମ୍ଭେ ହୋରେବରେ ସମଗ୍ର ଇସ୍ରାଏଲ ନିମନ୍ତେ ଯେଉଁ ବିଧି ଓ ଶାସନସକଳ ଆଦେଶ କଲୁ, ଆମ୍ଭ ଦାସ ମୋଶାଙ୍କର ସେହି ବ୍ୟବସ୍ଥା ତୁମ୍ଭେମାନେ ସ୍ମରଣ କର। ୫ ଦେଖ, ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପ୍ରେରଣ କରିବା। ୬ ପୁଣି, ଆମ୍ଭେ ଆସି ଯେପରି ପୃଥିବୀକୁ ଅଭିଶାପରେ ଆଘାତ ନ କରୁ, ଏଥିପାଇଁ ସେହି ସନ୍ତାନଗଣ ପ୍ରତି ପିତୃଗଣର ହୃଦୟ ଓ ପିତୃଗଣ ପ୍ରତି ସନ୍ତାନଗଣର ହୃଦୟ ଫେରାଇବ।