ଦାନଧର୍ମ
୧ ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ । ୨ ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି । ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି ।
୩ କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କ'ଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, ୪ ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।
ପ୍ରଭୁଙ୍କ ଆଦର୍ଶ ପ୍ରାର୍ଥନା
(ଲୂକ 11:2-4)
୫ ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲପାନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । ୬ କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର କବାଟ ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ । ୭ ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୂଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି ।
୮ ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କ'ଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ୱର ତାହା ଜାଣନ୍ତି । ୯ ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ ।
୧୦ ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।
୧୧ ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ ।
୧୨ ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର ।
୧୩ ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର । [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର । ଆମେନ୍ ।]
୧୪ କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ; ୧୫ କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।
ପ୍ରକୃତ ଉପବାସ
୧୬ ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି । ୧୭ କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର, ୧୮ ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।
ସ୍ୱର୍ଗରେ ସଂଞ୍ଚିତ ଧନ
(ଲୂକ 12:33,34)
୧୯ ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ; ୨୦ ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର, ୨୧ କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ ।
ଶରୀରର ଜ୍ୟୋତିଃ
(ଲୂକ 11:34-36)
୨୨ ଚକ୍ଷୁ ଶରୀରର ପ୍ରଦୀପ । ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ । ୨୩ କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର !
ଈଶ୍ୱର ଓ ଧନ
(ଲୂକ 12:22-31)
୨୪ କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ । ତୁମ୍ଭେମାନେ ଈଶ୍ୱର ଓ ଧନ ଉଭୟର ଦାସ ହୋଇ ପାର ନାହିଁ ।
ଚିନ୍ତିତ ନ ହୁଅ
(ଲୂକ 10:41)
୨୫ ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କ'ଣ ଖାଇବ ବା କ'ଣ ପିଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କ'ଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ । ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ ? ୨୬ ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି । ତୁମ୍ଭମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ ?
୨୭ ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରି ପାରେ ? ୨୮ ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ ? କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ, ୨୯ ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ ।
୩୦ କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲ୍ଲିରେ ପକାଯାଏ, ତାହାକୁ ଯେବେ ଈଶ୍ୱର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ ? ୩୧ ଏଣୁ କ'ଣ ଖାଇବା ? ଅବା କ'ଣ ପିଇବା ? କିଅବା କ'ଣ ପିନ୍ଧିବା ? ଏହା କହି ଚିନ୍ତିତ ହୁଅ ନାହିଁ ।
୩୨ କାରଣ ଅଣଯିହୂଦୀମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି । ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି । ୩୩ କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ । ୩୪ ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ । ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ ।