ପରମେଶ୍ୱରଙ୍କ ଅଭିଯୋଗ
୧ ସଦାପ୍ରଭୁ ଯାହା କହନ୍ତି, ତାହା ତୁମ୍ଭେମାନେ ଏବେ ଶୁଣ; ତୁମ୍ଭେ ଉଠ, ପର୍ବତଗଣର ସମ୍ମୁଖରେ ବିବାଦ କର ଓ ଉପପର୍ବତଗଣ ତୁମ୍ଭର ରବ ଶୁଣନ୍ତୁ। ୨ ହେ ପର୍ବତଗଣ, ହେ ପୃଥିବୀର ଅଟଳ ଭିତ୍ତିମୂଳସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦ ବାକ୍ୟ ଶୁଣ; କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ। ୩ ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କ’ଣ କରିଅଛୁ ? ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳାନ୍ତ କରିଅଛୁ ? ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦିଅ। ୪ ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ। ୫ ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ୍‍ କି ମନ୍ତ୍ରଣା କରିଥିଲା ଓ ବିୟୋରର ପୁତ୍ର ବିଲୀୟମ୍‍ ତାହାକୁ କି ଉତ୍ତର ଦେଇଥିଲା, ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍‍ଗଲ୍‍ ପର୍ଯ୍ୟନ୍ତ ସ୍ମରଣ କର,* ଶିଟୀମଠାରୁ ଗିଲ୍‍ଗଲ୍‍ ପର୍ଯ୍ୟନ୍ତ ସ୍ମରଣ କର, ଦେଖନ୍ତୁ ଯିହୋଶୂୟ ୩ ଓ ୪ ଅଧ୍ୟାୟ ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ।
ପରମେଶ୍ୱର କ’ଣ ଚାହାନ୍ତି ?
୬ ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା ଓ ଉର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବା ? ଆମ୍ଭେ କି ହୋମବଳି ରୂପେ ଏକ ବର୍ଷୀୟ ଗୋବତ୍ସମାନ ନେଇ ତାହାଙ୍କ ସମ୍ମୁଖକୁ ଆସିବା ? ୭ ସହସ୍ର ସହସ୍ର ମେଷରେ ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ ? ଆମ୍ଭେ ଆପଣା ଆଜ୍ଞା-ଲଙ୍ଘନ ସକାଶେ କି ଆପଣା ପ୍ରଥମଜାତକୁ, ଆମ୍ଭ ପ୍ରାଣର ପାପ ସକାଶେ କି ଆପଣା ଶରୀରର ଫଳ ଦାନ କରିବା ? ୮ ହେ ମନୁଷ୍ୟ, ଯାହା ଉତ୍ତମ, ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି; ନ୍ୟାୟାଚରଣ, ଦୟା ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି ?
ଦୁଷ୍ଟର ବିନାଶ
୯ ସଦାପ୍ରଭୁ ଏହି ନଗର ପ୍ରତି ଘୋଷଣା କରୁଅଛି ଓ ଜ୍ଞାନବାନ ମନୁଷ୍ୟ ତୁମ୍ଭର ନାମ ଦେଖିବ। ତୁମ୍ଭେମାନେ ଦଣ୍ଡ ଓ ତନ୍ନିରୂପଣକାରୀଙ୍କୁ ମାନ। ୧୦ ଦୁଷ୍ଟର ଗୃହରେ କି ଏବେ ହେଁ ଦୁଷ୍ଟତାର ଭଣ୍ଡାର ଓ ଘୃଣାଯୋଗ୍ୟ ସାନ ଐଫା ଅଛି ? ୧୧ ଆମ୍ଭେ କି ଦୁଷ୍ଟତାର ନିକ୍ତିରେ ଓ ଛଳନାରୂପ ବଟଖରାର ଥଳୀରେ ନିର୍ଦ୍ଦୋଷ ହେବା। ୧୨ ସେହି ସ୍ଥାନର ଧନୀ ଲୋକମାନେ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଅଛନ୍ତି ଓ ତହିଁର ନିବାସୀଗଣ ମିଥ୍ୟା କହିଅଛନ୍ତି, ପୁଣି ସେମାନଙ୍କ ମୁଖ ମଧ୍ୟରେ ସେମାନଙ୍କ ଜିହ୍ୱା ପ୍ରବଞ୍ଚକ। ୧୩ ଏଥିପାଇଁ ଆମ୍ଭେ ମଧ୍ୟ ବେଦନାଯୁକ୍ତ କ୍ଷତରେ ତୁମ୍ଭକୁ ପ୍ରହାର କରିଅଛୁ; ଆମ୍ଭେ ତୁମ୍ଭର ସମସ୍ତ ପାପ ସକାଶୁ ତୁମ୍ଭକୁ ଉଚ୍ଛିନ୍ନ କରିଅଛୁ। ୧୪ ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା। ୧୫ ତୁମ୍ଭେ ବୁଣିବ, ମାତ୍ର କାଟିବ ନାହିଁ; ତୁମ୍ଭେ ଜୀତ ଫଳ ପେଷିବ, ମାତ୍ର ଆପଣା ଦେହରେ ତୈଳ ମର୍ଦ୍ଦନ କରିବ ନାହିଁ; ଦ୍ରାକ୍ଷାଫଳ ପେଷିବ, ମାତ୍ର ଦ୍ରାକ୍ଷାରସ ପାନ କରିବ ନାହିଁ। ୧୬ କାରଣ ଅମ୍ରିର ବିଧି ଓ ଆହାବ-ବଂଶର କ୍ରିୟାସକଳ ପାଳନ କରାଯାଉଅଛି ଓ ତୁମ୍ଭେମାନେ ସେମାନଙ୍କ ପରାମର୍ଶରେ ଚାଲୁଅଛ; ତହିଁ ସକାଶୁ ଆମ୍ଭେ ତୁମ୍ଭକୁ ଉତ୍ସନ୍ନ (ସ୍ଥାନ) କରିବା ଓ ତହିଁର ନିବାସୀମାନଙ୍କୁ ଶୀସ୍‍ ଶବ୍ଦର ବିଷୟ କରିବା; ଆଉ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ଅପମାନର ଭାର ବହିବ।

*୬:୫ ଶିଟୀମଠାରୁ ଗିଲ୍‍ଗଲ୍‍ ପର୍ଯ୍ୟନ୍ତ ସ୍ମରଣ କର, ଦେଖନ୍ତୁ ଯିହୋଶୂୟ ୩ ଓ ୪ ଅଧ୍ୟାୟ