ବାହିନୀ ଭୂତଗ୍ରସ୍ତ ଲୋକର ସୁସ୍ଥତା
(ମାଥିଉ 8:28-34; ଲୂକ 8:26-39)
୧ ପରେ ସେମାନେ ସମୁଦ୍ରର ଅପର ପାର୍ଶ୍ୱସ୍ଥ ଗରାଶୀୟମାନଙ୍କ ଅଞ୍ଚଳରେ ଉପସ୍ଥିତ ହେଲେ । ୨ ଯୀଶୁ ନୌକାରୁ ଓହ୍ଲାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା । ୩ ସେ ସମାଧି ସ୍ଥାନରେ ବାସ କରୁଥିଲା, ପୁଣି, କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ, ୪ କାରଣ ସେ ଅନେକ ଥର ବେଡ଼ି ଓ ଜଞ୍ଜିରରେ ବନ୍ଧା ହୋଇଥିଲା, କିନ୍ତୁ ସେ ଜଞ୍ଜିର ଛିଣ୍ଡାଇଦେଇ ବେଡ଼ିସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଥିଲା ଓ ତାହାକୁ ବଶରେ ରଖିବାକୁ କାହାର ବଳ ନ ଥିଲା । ୫ ସେ ଦିନରାତି ସବୁବେଳେ ସମାଧି-ସ୍ଥାନ ଓ ପର୍ବତରେ ରହି ଚିତ୍କାର କରୁଥିଲା, ପୁଣି, ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା । ୬ ସେ ଯୀଶୁଙ୍କୁ ଦୂରରୁ ଦେଖି ଦୌଡ଼ିଆସି ତାହାଙ୍କୁ ପ୍ରଣାମ କଲା, ୭ ଆଉ ଉଚ୍ଚସ୍ୱରରେ ଚିତ୍କାର କରି କହିଲା, ହେ ପରାତ୍ପର ଈଶ୍ୱରଙ୍କ ପୁତ୍ର ଯୀଶୁ , ତୁମ୍ଭ ସାଙ୍ଗରେ ମୋର କ'ଣ ଅଛି ? ତୁମ୍ଭକୁ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛି, ମୋତେ ଯନ୍ତ୍ରଣା ଦିଅ ନାହିଁ । ୮ କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା । ୯ ଆଉ ଯୀଶୁ ତାହାକୁ ପଚାରିଲେ, ତୋର ନାଁ କ'ଣ ? ସେ ତାହାକୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମେ ଅନେକ । ୧୦ ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ବାହାରକୁ ପଠାଇ ନ ଦିଅନ୍ତି, ସେଥିପାଇଁ ସେ ତାହାଙ୍କୁ ବହୁତ ବିନତି କଲା । ୧୧ ସେଠାରେ ପର୍ବତ କଡ଼ରେ ଗୋଟିଏ ଘୁଷୁରିପଲ ଚରୁଥିଲା । ୧୨ ଆଉ ସେମାନେ ତାହାଙ୍କୁ ବିନତି କରି କହିଲେ, ସେହି ଘୁଷୁରିମାନଙ୍କ ଭିତରେ ପଶିବା ପାଇଁ ଆମ୍ଭମାନଙ୍କୁ ସେମାନଙ୍କ ମଧ୍ୟକୁ ପଠାଅ । ୧୩ ସେ ସେମାନଙ୍କୁ ଅନୁମତି ଦିଅନ୍ତେ ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ । ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା । ୧୪ ସେମାନଙ୍କୁ ଚରାଉଥିବା ଲୋକମାନେ ପଳାଇଯାଇ ନଗର ଓ ପଲ୍ଲୀଗୁଡ଼ିକରେ ତାହା ଜଣାଇଲେ; ସେଥିରେ ଲୋକେ କଅଣ ଘଟିଛି ବୋଲି ଦେଖିବାକୁ ଆସିଲେ । ୧୫ ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି ସେହି ଭୂତଗ୍ରସ୍ତ, ଅର୍ଥାତ୍ ଯାହାକୁ ପୁର୍ବରେ ବାହିନୀ ଭୂତ ଲାଗିଥିଲା, ତାହାକୁ ଲୁଗା ପିନ୍ଧି ଭଲ ମନରେ ବସିଥିବା ଦେଖି ଭୀତ ହେଲେ । ୧୬ ଆଉ ଯେଉଁମାନେ ଦେଖିଥିଲେ, ସେମାନେ ସେହି ଭୂତଗ୍ରସ୍ତ ପ୍ରତି କିପରି କଅଣ ଘଟିଥିଲା, ଓ ଘୁଷୁରିମାନଙ୍କ ବିଷୟ ସେମାନଙ୍କ ନିକଟରେ ବର୍ଣ୍ଣନା କଲେ । ୧୭ ସେଥିରେ ସେମାନେ ସେମାନଙ୍କ ସୀମାରୁ ବାହାରିଯିବାକୁ ତାହାଙ୍କୁ ବିନତି କରିବାକୁ ଲାଗିଲେ । ୧୮ ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୁର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁଥର ବିନତି କଲା । ୧୯ କିନ୍ତୁ ଯୀଶୁ ଅନୁମତି ନ ଦେଇ ତାହାକୁ କହିଲେ, ତୁମ୍ଭର ଗୃହକୁ , ତୁମ୍ଭର ଆତ୍ମୀୟମାନଙ୍କ ନିକଟକୁ ଯାଅ, ପୁଣି, ପ୍ରଭୁ ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି, ସେହି ସବୁ ସେମାନଙ୍କୁ ଜଣାଅ । ୨୦ ତହିଁରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହି ସବୁ ଦେକାପଲିରେ ଘୋଷଣା କରିବାକୁ ଲାଗିଲେ; ସେଥିରେ ସମସ୍ତେ ଚମତ୍କୃତ ହେଲେ ।
ମୃତ ବାଳିକା ଜୀବିତ-ପ୍ରଦର ରୋଗଗ୍ରସ୍ତା ସୁସ୍ଥ
(ମାଥିଉ 9:18-26; ଲୂକ 8:40-56)
୨୧ ଯୀଶୁ ନୌକାରେ ପାର ହୋଇ ପୁନର୍ବାର ଅପର ପାରିକି ବାହୁଡ଼ିଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ; ଆଉ ସେ ସମୁଦ୍ରକୂଳରେ ରହିଲେ । ୨୨ ସେତେବେଳେ ସମାଜଗୃହ ଅଧ୍ୟକ୍ଷଙ୍କ ମଧ୍ୟରୁ ଯାଈରସ ନାମକ ଜଣେ ବ୍ୟକ୍ତି ଆସି ତାହାଙ୍କୁ ଦେଖି ତାହାଙ୍କ ଚରଣ ତଳେ ପଡ଼ିଲେ, ୨୩ ପୁଣି, ବହୁତ ବିନତି କରି କହିଲେ, ମୋହର କନ୍ୟାଟି ମୃତପ୍ରାୟ; ସେ ଯେପରି ରକ୍ଷା ପାଇ ବଞ୍ଚିବ, ଏଥିପାଇଁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ । ୨୪ ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ । ୨୫ ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, ୨୬ ଯେ କି ଅନେକ ବୈଦ୍ୟଙ୍କ ଦ୍ୱାରା ବହୁ କ୍ଲେଶ ଭୋଗ କରି ସର୍ବସ୍ୱ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା, ୨୭ ସେ ଯୀଶୁଙ୍କ ବିଷୟ ଶୁଣି ଲୋକଗହଳି ମଧ୍ୟରେ ପଛଆଡ଼ୁ ଆସି ତାହାଙ୍କ ଲୁଗା ଛୁଇଁଲା; ୨୮ କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି । ୨୯ ସେହିକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହେଲା, ପୁଣି, ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଶରୀରରେ ଅନୁଭବ କଲା । ୩୦ ସେହିକ୍ଷଣି ଯୀଶୁ ଆପଣାଠାରୁ ଶକ୍ତି ନିର୍ଗତ ହେବା ଅନ୍ତରରେ ଜ୍ଞାତ ହୋଇ ଲୋକଗହଳି ମଧ୍ୟରେ ବୁଲିପଡ଼ିି କହିଲେ, କିଏ ମୋହର ଲୁଗା ଛୁଇଁଲା ? ୩୧ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, କିଏ ମୋତେ ଛୁଇଁଲା ? ୩୨ କିନ୍ତୁ ଯେ ଏହା କରିଥିଲା, ତାହାକୁ ଦେଖିବା ନିମନ୍ତେ ସେ ଚାରିଆଡ଼େ ଦୃଷ୍ଟିପାତ କରିବାକୁ ଲାଗିଲେ । ୩୩ ସେଥିରେ ସେହି ସ୍ତ୍ରୀଲୋକଟି ଆପଣା ପ୍ରତି ଯାହା ଘଟିଅଛି, ତାହା ଜାଣି ଭୟରେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି ସମସ୍ତ ସତ୍ୟ କଥା ତାହାଙ୍କୁ କହିଲା । ୩୪ ତହିଁରେ ଯୀଶୁ ତାହାକୁ କହିଲେ, ବତ୍ସେ, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲିଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇରହ । ୩୫ ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷ୍ୟଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି ? ୩୬ କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ପରି ସମାଜଗୃହର ଅଧ୍ୟକ୍ଷ୍ୟଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର । ୩୭ ପୁଣି, ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଯିବାକୁ ଦେଲେ ନାହିଁ । ୩୮ ସେମାନେ ସମାଜଗୃହର ଅଧ୍ୟକ୍ଷ୍ୟଙ୍କ ଘରକୁ ଆସନ୍ତେ, ସେ କୋଳାହଳ ହେଉଥିବା ଏବଂ ଲୋକେ ଅତ୍ୟନ୍ତ ରୋଦନ ଓ ବିଳାପ କରୁଥିବା ଦେଖିଲେ, ୩୯ ପୁଣି, ଭିତରକୁ ଯାଇ ସେମାନଙ୍କୁ କହିଲେ, କାହିଁକି କୋଳାହଳ ଓ ରୋଦନ କରୁଅଛ ? ପିଲାଟି ମରି ନାହିଁ, ମାତ୍ର ଶୋଇପଡ଼ିଅଛି। ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ। ୪୦ କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମା ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ, ୪୧ ଆଉ ପିଲାର ହାତ ଧରି ତାହାକୁ କହିଲେ, 'ଟଲିଥାକୁମ୍', ଅର୍ଥାତ୍ ଆଗୋ ବାଳିକା, ମୁଁ ତୋତେ କହୁଅଛି ଉଠ୍ । ୪୨ ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା । ଏଥିରେ ସେମାନେ ଅତିଶୟ ଆଚମ୍ବିତ ହୋଇଗଲେ । ୪୩ ପୁଣି, କେହି ଯେପରି ଏହି ବିଷୟ ନ ଜାଣେ, ଏଥିପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ, ଆଉ ବାଳିକାକୁ କିଛି ଖାଇବାକୁ ଦେବା ପାଇଁ କହିଲେ ।