ନୀନିବୀର ପତନ
୧ ଯେଉଁ ଲୋକ କଚାଡ଼ି ଖଣ୍ଡ ଖଣ୍ଡ କରେ, ସେ ତୁମ୍ଭ (ନୀନିବୀ) ସମ୍ମୁଖରେ ଉପସ୍ଥିତ ହୋଇଅଛି; ଦୁର୍ଗ ରକ୍ଷା କର, ପଥ ନିରୀକ୍ଷଣ କର, ଆପଣା କଟି ଦୃଢ଼ କର, ଆପଣାକୁ ଅତିଶୟ ବଳବାନ କର। ୨ କାରଣ ସଦାପ୍ରଭୁ ଇସ୍ରାଏଲର ଗୌରବ ସଦୃଶ୍ୟ ଯାକୁବର ଗୌରବ ପୁନର୍ବାର ଆଣୁଅଛନ୍ତି; ଯେହେତୁ ଶତ୍ରୁମାନେ ସେମାନଙ୍କୁ ଧ୍ୱଂସ କରିଅଛନ୍ତି; ଓ ସେମାନଙ୍କର ଦ୍ରାକ୍ଷାଲତାସବୁ ନଷ୍ଟ କରିଅଛନ୍ତି। ୩ ତାହାର ବୀରଗଣର ଢାଲ ରକ୍ତୀକୃତ, ବିକ୍ରମୀଗଣ ସିନ୍ଦୂର ବର୍ଣ୍ଣ ବସ୍ତ୍ର ପରିହିତ; ତାହାର ଆୟୋଜନ ଦିନରେ ରଥସକଳ ଲୌହରେ ଚକ୍‍ଚକ୍‍ ଓ ବର୍ଚ୍ଛାସକଳ ଭୟାନକ ରୂପେ ଚାଳିତ ହୁଅଇ। ୪ ରାଜଦାଣ୍ଡସକଳରେ ରଥସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେହିସବୁର ଧକ୍କା ଏକଆରେକର ଉପରେ ଲାଗେ; ସେସବୁର ଦୃଶ୍ୟ ମଶାଲ ତୁଲ୍ୟ, ସେମାନେ ବିଜୁଳି ପରି ଦୌଡ଼ନ୍ତି। ୫ ସେ ଆପଣା ପ୍ରତାପାନ୍ୱିତ ଲୋକମାନଙ୍କୁ ସ୍ମରଣ କରେ; ସେମାନେ ଗମନ କରୁ କରୁ ଝୁଣ୍ଟି ପଡ଼ନ୍ତି; ସେମାନେ ତହିଁର ପ୍ରାଚୀର ଆଡ଼କୁ ଦୌଡ଼ାଦୌଡ଼ି କରନ୍ତି ଓ ଅବରୋଧ ଯନ୍ତ୍ର ସ୍ଥାପିତ ହୋଇଅଛି। ୬ ନଦୀର ଦ୍ୱାରସବୁ ମୁକ୍ତ ହୋଇଅଛି ଓ ରାଜଗୃହ ମିଳେଇ ଯାଇଅଛି। ୭ ପୁଣି, ରାଣୀ ବିବସ୍ତ୍ରା ହୋଇଅଛି, ସେ ଦୂରକୁ ନୀତା ହୋଇଅଛି, ତାହାର ଦାସୀଗଣ ବକ୍ଷରେ ହାତ ମାରି କପୋତ ସ୍ୱର ପରି ଶୋକ କରୁଅଛନ୍ତି। ୮ ମାତ୍ର ନୀନିବୀ ପୂର୍ବ କାଳଠାରୁ ଜଳବିଶିଷ୍ଟ ଏକ ପୁଷ୍କରିଣୀ ସ୍ୱରୂପା ହୋଇଅଛି; ତଥାପି ସେମାନେ ସମସ୍ତେ ପଳାୟନ କରନ୍ତି; ଠିଆ ହୁଅ, ଠିଆ ହୁଅ କହିଲେ ମଧ୍ୟ କେହି ପଛକୁ ଅନାନ୍ତି ନାହିଁ। ୯ ତୁମ୍ଭେମାନେ ରୂପା ଲୁଣ୍ଠନ କର, ସୁନା ଲୁଣ୍ଠନ କର, କାରଣ ସବୁ ପ୍ରକାର ମନୋହର ସାମଗ୍ରୀର ଐଶ୍ୱର୍ଯ୍ୟ ସ୍ୱରୂପ ଭଣ୍ଡାରର ସୀମା ନାହିଁ। ୧୦ ସେ (ନିନିବୀ) ଖାଲି ଓ ଶୂନ୍ୟ ଓ ଉଜାଡ଼ ହୋଇଅଛି; ଅନ୍ତଃକରଣ ତରଳି ଯାଉଅଛି ଓ ଆଣ୍ଠୁରେ ଆଣ୍ଠୁ ବାଜୁଅଛି, ସମସ୍ତ କଟିରେ ବେଦନା ଅଛି ଓ ସେହି ସମସ୍ତଙ୍କର ମୁଖ ମଳିନ ହୋଇଅଛି। ୧୧ ସିଂହମାନଙ୍କର ଗର୍ତ୍ତ, ଯେଉଁ ସ୍ଥାନରେ ସିଂହ ଓ ସିଂହୀ ଓ ସିଂହଶାବକ ଭ୍ରମଣ କଲେ ଓ କେହି ସେମାନଙ୍କୁ ଭୟ ଦେଖାଇଲା ନାହିଁ, ଏପରି ଯୁବା ସିଂହଗଣର ଖାଇବା ସ୍ଥାନ କାହିଁ ? ୧୨ ସିଂହ ଆପଣା ଶାବକଗଣ ନିମନ୍ତେ ଯଥେଷ୍ଟ ପଶୁ ବିଦୀର୍ଣ୍ଣ କରିଅଛି ଓ ଆପଣା ସିଂହୀଗଣ ନିମନ୍ତେ ଅନେକଙ୍କ ଗଳା ଚିପି ମାରିଅଛି, ଆଉ ଆପଣା ଗହ୍ୱର ମୃଗୟାରେ ଓ ଗର୍ତ୍ତ ବିଦୀର୍ଣ୍ଣ ପଶୁରେ ପୂର୍ଣ୍ଣ କରିଅଛି। ୧୩ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ, ଆମ୍ଭେ ତାହାର ରଥସବୁ ଦଗ୍ଧ କରି ଧୂଆଁରେ ଲୀନ କରିବା ଓ ଖଡ୍ଗ ତୁମ୍ଭର ଯୁବା ସିଂହଗଣକୁ ଗ୍ରାସ କରିବ; ପୁଣି, ଆମ୍ଭେ ପୃଥିବୀରୁ ତୁମ୍ଭର ମୃଗୟା ଉଚ୍ଛିନ୍ନ କରିବା ଓ ତୁମ୍ଭ ଦୂତଗଣର ରବ ଆଉ ଶୁଣାଯିବ ନାହିଁ।