କହାତ ବଂଶୀୟ ଲେବୀୟମାନଙ୍କ ଦାୟିତ୍ୱ
୧ ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, ୨ “ତୁମ୍ଭେମାନେ ଲେବୀର ସନ୍ତାନଗଣ ମଧ୍ୟରୁ କହାତ-ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ୩ ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବାକୁ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର।” ୪ ସମାଗମ-ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର (ରକ୍ଷା) କହାତ-ସନ୍ତାନଗଣର ସେବା ଅଟେ। ୫ ଛାଉଣି ଅଗ୍ରସର ହେବା ସମୟରେ ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ନେଇ ସାକ୍ଷ୍ୟ-ସିନ୍ଦୁକ ଢାଙ୍କିବେ ୬ ଓ ତହିଁ ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତହିଁ ଉତ୍ତାରେ ତହିଁର ସାଙ୍ଗୀ ଲଗାଇବେ। ୭ ଏଥିଉତ୍ତାରେ ସେମାନେ ଦର୍ଶନୀୟ ରୁଟିର ମେଜ ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇବେ, ତହିଁ ଉପରେ ଥାଳୀ, ଚାମଚ, ଗଡ଼ୁ ଓ ଢାଳିବା ପାତ୍ରସକଳ ରଖିବେ ଓ ତହିଁ ଉପରେ ନିତ୍ୟ ରୁଟି ରହିବ। ୮ ସେହି ସମସ୍ତର ଉପରେ ସେମାନେ ଏକ ସିନ୍ଦୂରବର୍ଣ୍ଣ ବସ୍ତ୍ର ବିଛାଇବେ ଓ ଶିଶୁକଚର୍ମର ଆଚ୍ଛାଦନ ଦେଇ ତାହା ଢାଙ୍କିବେ, ତହୁଁ ତହିଁର ସାଙ୍ଗୀ ଲଗାଇବେ। ୯ ଏଉତ୍ତାରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୁଅର ଦୀପବୃକ୍ଷ, ତହିଁର ପ୍ରଦୀପ, ଚିମୁଟା, ଅଙ୍ଗାରଧାନୀ ଓ ତହିଁର ସେବାର୍ଥକ ସମସ୍ତ ତୈଳପାତ୍ର ଆଚ୍ଛାଦନ କରିବେ। ୧୦ ପୁଣି, ସେମାନେ ତାହା ଓ ତହିଁର ସମସ୍ତ ପାତ୍ର ଶିଶୁକଚର୍ମର ଏକ ଆଚ୍ଛାଦନରେ ରଖି ଦୋଳା ଉପରେ ଥୋଇବେ। ୧୧ ପୁଣି, ସେମାନେ ସ୍ୱର୍ଣ୍ଣମୟ ବେଦି ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁକଚର୍ମରେ ଢ଼ାଙ୍କିବେ ଓ ତହିଁରେ ସାଙ୍ଗୀ ଲଗାଇବେ। ୧୨ ଆଉ ସେମାନେ ପବିତ୍ର ସ୍ଥାନର ସେବାର୍ଥକ ସମସ୍ତ ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ରଖିବେ ଓ ଶିଶୁକଚର୍ମର ଏକ ଆଚ୍ଛାଦନରେ ତାହା ଢାଙ୍କି ଦୋଳା ଉପରେ ରଖିବେ। ୧୩ ପୁଣି, ସେମାନେ ବେଦିରୁ ଭସ୍ମ କାଢ଼ି ନେଇ ତହିଁ ଉପରେ ବାଇଗଣିଆ ବର୍ଣ୍ଣ ବସ୍ତ୍ର ବିଛାଇବେ। ୧୪ ଆଉ ତହିଁ ଉପରେ ସେମାନେ ଅଙ୍ଗାରଧାନୀ, ତ୍ରିଶୂଳ, କରଚୁଲି ଓ କୁଣ୍ଡ ପ୍ରଭୃତି ବେଦିର ସେବାର୍ଥକ ସମସ୍ତ ପାତ୍ର ରଖିବେ; ତହୁଁ ସେମାନେ ତହିଁ ଉପରେ ଶିଶୁକଚର୍ମର ଆଚ୍ଛାଦନ ଦେଇ ସାଙ୍ଗୀ ଲଗାଇବେ। ୧୫ ଏହିରୂପେ ଛାଉଣି ଅଗ୍ରସର ହେବା ସମୟରେ ହାରୋଣ, ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସ୍ଥାନର ସମସ୍ତ ଦ୍ରବ୍ୟ ଢାଙ୍କିବାର ଶେଷ କଲା ଉତ୍ତାରେ କହାତ-ସନ୍ତାନଗଣ ତାହା ବହିବା ପାଇଁ ଆସିବେ; ମାତ୍ର ସେମାନଙ୍କର ମୃତ୍ୟୁୁ ଯେପରି ନ ହୁଏ, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ସ୍ପର୍ଶ କରିବେ ନାହିଁ। ଏହା ହିଁ ସମାଗମ-ତମ୍ବୁରେ କହାତ-ସନ୍ତାନଗଣର ଭାର ହେବ। ୧୬ ଆଉ ସମସ୍ତ ଆବାସର ଓ ତନ୍ମଧ୍ୟସ୍ଥିତ ସମସ୍ତ ଦ୍ରବ୍ୟର, ପବିତ୍ର ସ୍ଥାନର ଓ ତହିଁରେ ସ୍ଥିତ ସମସ୍ତ ଦ୍ରବ୍ୟର ତତ୍ତ୍ୱାବଧାନ, ଅର୍ଥାତ୍‍, ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ, ନିତ୍ୟ ଭକ୍ଷ୍ୟ-ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ, ଏହି ସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକର ହେବ। ୧୭ ଏଥିଉତ୍ତାରେ ସଦାପ୍ରଭୁ ମୋଶା ହାରୋଣଙ୍କୁ କହିଲେ, ୧୮ “ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ” ! ୧୯ ମାତ୍ର ସେମାନେ ମହାପବିତ୍ର ସ୍ଥାନର ନିକଟବର୍ତ୍ତୀ ହେଲା ସମୟରେ ଯେପରି ନ ମରି ବଞ୍ଚନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ସେମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ। ୨୦ ମାତ୍ର ସେମାନେ ଯେପରି ନ ମରନ୍ତି, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ଦେଖିବା ନିମନ୍ତେ ଏକ ନିମିଷ ପର୍ଯ୍ୟନ୍ତ ଭିତରକୁ ଯିବେ ନାହିଁ।”
ଗେର୍ଶୋନ ବଂଶୀୟ ଲେବୀୟମାନଙ୍କ ଦାୟିତ୍ୱ
୨୧ ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ୨୨ “ତୁମ୍ଭେ ଗେର୍ଶୋନ-ସନ୍ତାନଗଣର ପିତୃଗୃହ ଓ ବଂଶାନୁସାରେ ସେମାନଙ୍କର ସଂଖ୍ୟା ନିଅ; ୨୩ ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କର। ୨୪ ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ଶୋନୀୟ ବଂଶର ସେବା ଏହି; ୨୫ ସେମାନେ ଆବାସର ଯବନିକା ସକଳ ଓ ସମାଗମ-ତମ୍ବୁ, ତହିଁର ଆଚ୍ଛାଦନ ଓ ତହିଁର ଉପରିସ୍ଥିତ ଶିଶୁକର ଚର୍ମର ଛାତ ଓ ସମାଗମ-ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର; ୨୬ ଆଉ ପ୍ରାଙ୍ଗଣର ପରଦାସକଳ, ଆବାସର ଓ ବେଦିର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହିବେ ଓ ସେହି ସବୁରେ ଯେଉଁ ଯେଉଁ କାର୍ଯ୍ୟ କରିବାକୁ ହୁଏ, ତାହାସବୁ କରିବେ। ୨୭ ହାରୋଣ ଓ ତାଙ୍କର ପୁତ୍ରଗଣର ଆଜ୍ଞାନୁସାରେ ଗେର୍ଶୋନର ସନ୍ତାନଗଣ ଆପଣା ଆପଣା ଭାର ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବେ ଆଉ ତୁମ୍ଭେମାନେ ରକ୍ଷଣୀୟ ବୋଲି ସେମାନଙ୍କ ସମସ୍ତ ଭାରରେ ସେମାନଙ୍କୁ ନିଯୁକ୍ତ କରିବ। ୨୮ ସମାଗମ-ତମ୍ବୁରେ ଗେର୍ଶୋନୀୟ ସନ୍ତାନମାନଙ୍କ ବଂଶର ଏହି ସେବା; ପୁଣି, ସେମାନଙ୍କ ରକ୍ଷଣୀୟ ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ।
ମରାରି ବଂଶୀୟ ଲେବୀୟମାନଙ୍କ ଦାୟିତ୍ୱ
୨୯ ଏଉତ୍ତାରେ ତୁମ୍ଭେ ମରାରି-ସନ୍ତାନଗଣର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ। ୩୦ ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି, ସେମାନଙ୍କୁ ଗଣନା କରିବ। ୩୧ ପୁଣି, ସମାଗମ-ତମ୍ବୁରେ ସେମାନଙ୍କର ସମସ୍ତ ସେବାକର୍ମ ସମ୍ବନ୍ଧୀୟ ଏହି ଏହି ଭାର ସେମାନଙ୍କର ରକ୍ଷଣୀୟ ହେବ; ଆବାସର ପଟା, ତହିଁର ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀସକଳ, ୩୨ ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ, ତହିଁର ଚୁଙ୍ଗୀ, ମେଖ, ରଜ୍ଜୁ ଓ ତହିଁ ସମ୍ବନ୍ଧୀୟ ସମସ୍ତ ଦ୍ରବ୍ୟ ଓ କାର୍ଯ୍ୟ; ତୁମ୍ଭେମାନେ ସେମାନଙ୍କ ରକ୍ଷଣୀୟ-ଭାରର ଦ୍ରବ୍ୟାଦି ନାମ ଦ୍ୱାରା ନିରୂପଣ କରିବ। ୩୩ ସମାଗମ-ତମ୍ବୁରେ ମରାରି-ସନ୍ତାନମାନଙ୍କ ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ; ଏହା ହାରୋଣ ଯାଜକର ପୁତ୍ର ଈଥାମରର ହସ୍ତଗତ ହେବ। ୩୪ ଏଥିଉତ୍ତାରେ ମୋଶା ଓ ହାରୋଣ ଓ ମଣ୍ଡଳୀର ଅଧିପତିଗଣ କହାତୀୟ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କ ମଧ୍ୟରୁ ୩୫ ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, ସେମାନଙ୍କୁ ଗଣନା କଲେ। ୩୬ ତହିଁରେ ସେମାନଙ୍କ ବଂଶାନୁସାରେ ଗଣିତ ଲୋକ ଦୁଇ ହଜାର ସାତ ଶହ ପଚାଶ ଜଣ ହେଲେ; ୩୭ ଏମାନେ କହାତୀୟ ବଂଶର ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ। ୩୮ ପୁଣି, ଗେର୍ଶୋନର ସନ୍ତାନଗଣ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ, ୩୯ ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, ୪୦ ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯା’ନ୍ତେ, ଦୁଇ ହଜାର ଛଅ ଶହ ତିରିଶ ଜଣ ହେଲେ। ୪୧ ଏମାନେ ଗେର୍ଶୋନ-ସନ୍ତାନଗଣର ବଂଶରେ ଗଣିତ ଓ ସମାଗମ-ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ; ମୋଶା ଓ ହାରୋଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏମାନଙ୍କୁ ଗଣନା କଲେ। ୪୨ ଆଉ ମରାରି-ସନ୍ତାନଗଣର ବଂଶ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ, ୪୩ ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, ୪୪ ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯା’ନ୍ତେ, ତିନି ହଜାର ଦୁଇ ଶହ ଜଣ ହେଲେ। ୪୫ ଏମାନେ ମରାରି ସନ୍ତାନଗଣ ବଂଶର ଗଣିତ ଲୋକ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଏମାନଙ୍କୁ ଗଣନା କଲେ। ୪୬ ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲର ଅଧିପତିଗଣ ଦ୍ୱାରା ଯେଉଁ ଲେବୀୟ ଲୋକମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣିତ ହେଲେ, ୪୭ ଅର୍ଥାତ୍‍, ତିରିଶ ବର୍ଷ ବୟସ୍କଠାରୁ ପଚାଶ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ-ତମ୍ବୁରେ ସେବାକର୍ମରେ ଓ ଭାର ବହିବା କର୍ମରେ ନିଯୁକ୍ତ ହେଲେ, ୪୮ ସେମାନେ ଗଣାଯା’ନ୍ତେ, ଆଠ ହଜାର ପାଞ୍ଚ ଶହ ଅଶୀ ଜଣ ହେଲେ। ୪୯ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରତ୍ୟେକେ ମୋଶାଙ୍କର ହସ୍ତ ଦ୍ୱାରା ଆପଣା ଆପଣା ସେବା ଓ ଭାର ବହିବା କର୍ମ ଅନୁସାରେ ଗଣିତ ହେଲେ; ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ଦ୍ୱାରା ସେମାନେ ଗଣିତ ହେଲେ।