୩୬
ବିବାହିତା ସ୍ତ୍ରୀଙ୍କ ପୈତୃକ ସମ୍ପତ୍ତିର ଅଧିକାର
୧ ଏଥିଉତ୍ତାରେ ଯୋଷେଫ-ସନ୍ତାନଗଣଙ୍କର ବଂଶୀୟ ଲୋକମାନଙ୍କ ମଧ୍ୟରୁ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦ ବଂଶୀୟ ପିତୃଗୃହର ପ୍ରଧାନମାନେ ନିକଟକୁ ଆସିଲେ, ପୁଣି, ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନମାନଙ୍କ ପିତୃଗୃହର ପ୍ରଧାନ ସ୍ୱରୂପ ଅଧିପତିବର୍ଗଙ୍କ ସମ୍ମୁଖରେ ପ୍ରସ୍ତାବ କଲେ; ୨ ଆଉ ସେମାନେ କହିଲେ, “ସଦାପ୍ରଭୁ ଗୁଲିବାଣ୍ଟ ଦ୍ୱାରା ଇସ୍ରାଏଲ-ସନ୍ତାନଗଣଙ୍କୁ ଦେଶାଧିକାର ଦେବା ନିମନ୍ତେ ଆମ୍ଭ ପ୍ରଭୁଙ୍କୁ ଆଜ୍ଞା ଦେଲେ; ଆଉ ଆମ୍ଭ ପ୍ରଭୁ ଆମ୍ଭମାନଙ୍କ ଭ୍ରାତା ସଲଫାଦର ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ। ୩ ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶ ସମୂହର ସନ୍ତାନମାନଙ୍କ ମଧ୍ୟରୁ କାହାରି ସଙ୍ଗେ ଯଦି ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ; ପୁଣି, ସେମାନେ ଯେଉଁ ବଂଶରେ ଗୃହୀତ ହେବେ, ସେହି ବଂଶର ଅଧିକାରରେ ତାହା ଯୁକ୍ତ ହେବ; ଏହିରୂପେ ତାହା ଆମ୍ଭମାନଙ୍କ ଅଧିକାରର ଅଂଶରୁ କଟାଯିବ। ୪ ଆଉ ଯେତେବେଳେ ଇସ୍ରାଏଲ-ସନ୍ତାନଗଣଙ୍କର ଯୁବ୍‍ଲୀ ଉପସ୍ଥିତ ହେବ, ସେତେବେଳେ ସେମାନେ ଯେଉଁମାନଙ୍କ ମଧ୍ୟରେ ଗୃହୀତା, ସେହି ବଂଶର ଅଧିକାରରେ ସେମାନଙ୍କର ଅଧିକାର ଯୁକ୍ତ ହେବ; ଏହିରୂପେ ଆମ୍ଭମାନଙ୍କ ପୈତୃକ ବଂଶରୁ ସେମାନଙ୍କ ଅଧିକାର କଟାଯିବ।” ୫ ତହିଁରେ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ଇସ୍ରାଏଲକୁ ଆଜ୍ଞା ଦେଇ କହିଲେ, “ଯୋଷେଫ-ସନ୍ତାନଗଣଙ୍କର ବଂଶ ଯଥାର୍ଥ କହୁଅଛନ୍ତି। ୬ ସଦାପ୍ରଭୁ ସଲଫାଦର କନ୍ୟାମାନଙ୍କ ବିଷୟରେ ଏହି ଆଜ୍ଞା ଦେଉଅଛନ୍ତି, ସେମାନେ ଯେଉଁମାନଙ୍କୁ ଅତି ଭଲ ବିଚାର କରନ୍ତି, ସେମାନଙ୍କୁ ବିବାହ ହେଉନ୍ତୁ; କିନ୍ତୁ କେବଳ ସେମାନେ ଆପଣା ପିତୃବଂଶୀୟ କୌଣସି ବଂଶ ମଧ୍ୟରେ ବିବାହ କରିବେ। ୭ ତାହା କଲେ ଇସ୍ରାଏଲ-ସନ୍ତାନଗଣଙ୍କର ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଆପଣା ଆପଣା ପୈତୃକ ବଂଶର ଅଧିକାର ମଧ୍ୟରେ ରହିବେ। ୮ ପୁଣି, ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଯେପରି ଆପଣା ଆପଣା ପୈତୃକ ଅଧିକାର ଭୋଗ କରିବେ, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣଙ୍କର କୌଣସି ବଂଶ ମଧ୍ୟରେ ଯେଉଁ କନ୍ୟାର ଅଧିକାର ଥାଏ, ସେ ଆପଣା ପିତୃବଂଶୀୟ ପରିବାର ମଧ୍ୟରେ ଜଣକର ଭାର୍ଯ୍ୟା ହେବ। ୯ ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶସମୂହ ପ୍ରତ୍ୟେକେ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ।” ୧୦ ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଲେ, ତଦନୁସାରେ ସଲଫାଦର କନ୍ୟାମାନେ କର୍ମ କଲେ। ୧୧ ଅର୍ଥାତ୍‍, ମହଲା, ତିର୍ସା, ହଗ୍‍ଲା, ମିଲ୍‍କା ଓ ନୋୟା, ସଲଫାଦର ଏହି କନ୍ୟାଗଣ ଆପଣା ଆପଣା ପିତୃବ୍ୟ ପୁତ୍ରମାନଙ୍କ ସହିତ ବିବାହ କଲେ। ୧୨ ଯୋଷେଫଙ୍କର ପୁତ୍ର ମନଃଶି-ସନ୍ତାନଗଣଙ୍କର ବଂଶ ମଧ୍ୟରେ ସେମାନଙ୍କର ବିବାହ ହେଲା, ତହିଁରେ ସେମାନଙ୍କର ଅଧିକାର ସେମାନଙ୍କ ପିତୃବଂଶୀୟ ବଂଶ ମଧ୍ୟରେ ରହିଲା। ୧୩ ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ମୋଶାଙ୍କ ଦ୍ୱାରା ଇସ୍ରାଏଲ ସନ୍ତାନଗଣଙ୍କ ପ୍ରତି ଏହି ସମସ୍ତ ଆଜ୍ଞା ଓ ଶାସନ ଆଦେଶ କରିଥିଲେ।