୧ ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ ।
ପରାମର୍ଶ ଏବଂ ଉତ୍ସାହ
୨ ପ୍ରଭୁଙ୍କଠାରେ ଏକମନା ହେବା ନିମନ୍ତେ ମୁଁ ଇୟଦିଆ ଓ ସୁନ୍ତୁଖୀ ଉଭୟଙ୍କୁ ଅନୁରୋଧ କରୁଅଛି । ୩ ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍‍ସ୍‍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋ' ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି । ୪ ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର । ୫ ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ । ୬ କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ୱରଙ୍କ ନିକଟରେ ଜଣାଅ । ୭ ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ । ୮ ଅବଶେଷରେ, ହେ ଭ୍ରାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରିୟ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍‍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର । ୯ ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋ'ଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋ'ଠାରେ ଦେଖିଅଛ, ସେହି ସବୁ କର; ସେଥିରେ ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ।
ଦାନ ନିମନ୍ତେ ଧନ୍ୟବାଦ ଜ୍ଞାପନ
୧୦ ଏବେ ଅବଶେଷରେ ମୋ' ନିମନ୍ତେ ତୁମ୍ଭମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇ ପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି; ପ୍ରକୃତରେ ମୋ' ବିଷୟରେ ତୁମ୍ଭମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନ ଥିଲା । ୧୧ ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି । ୧୨ ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ- ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି । ୧୩ ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ । ୧୪ ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ । ୧୫ ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋ' ସହିତ ଦେବା ନେବାର ହିସାବ ରଖି ନ ଥିଲେ । ୧୬ କାରଣ ଥେସଲନୀକୀରେ ମୁଁ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ, ହଁ, ଦୁଇ ଥର ଦାନ ପଠାଇଥିଲ । ୧୭ ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ । ୧୮ ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହି ସବୁ ମୋ' ପାଇଁ ଯଥେଷ୍ଟ; ସେହି ସବୁ ଈଶ୍ୱରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ । ୧୯ ପୁଣି, ମୋହର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ । ୨୦ ଆମ୍ଭମାନଙ୍କର ଈଶ୍ୱର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ । ଆମେନ୍‍ ।
ଶେଷ ସମ୍ଭାଷଣ
୨୧ ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ। ମୋହର ସଙ୍ଗୀ ଭ୍ରାତୃଗଣ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । ୨୨ ସାଧୁମାନେ ସମସ୍ତେ, ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । ୨୩ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ ।