ନିରାପତ୍ତା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ।
 
୧ ହେ ସଦାପ୍ରଭୁ, ମୋ’ ବାକ୍ୟରେ କର୍ଣ୍ଣ ଦିଅ,
ମୋହର କାକୂକ୍ତି ବିବେଚନା କର।
୨ ହେ ମୋହର ରାଜନ୍‍, ହେ ମୋହର ପରମେଶ୍ୱର,
ମୋହର ଆର୍ତ୍ତରବରେ ମନୋଯୋଗ କର,
କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ।
୩ ହେ ସଦାପ୍ରଭୁ, ତୁମ୍ଭେ ପ୍ରାତଃକାଳରେ ମୋହର ରବ ଶୁଣିବ;
ମୁଁ ପ୍ରାତଃକାଳରେ ତୁମ୍ଭ ନିକଟରେ ଆପଣା ପ୍ରାର୍ଥନା* ପ୍ରାର୍ଥନା କିମ୍ବା ବଳିଦାନ ସଜାଇବି ଓ ଜଗି ରହିବି।
୪ କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ;
ମନ୍ଦ ତୁମ୍ଭ ସଙ୍ଗେ ପ୍ରବାସ କରିବ ନାହିଁ।
୫ ଅହଂକାରୀ ତୁମ୍ଭ ସାକ୍ଷାତରେ ଠିଆ ହେବ ନାହିଁ;
ତୁମ୍ଭେ ସମସ୍ତ ଅଧର୍ମାଚାରୀଙ୍କୁ ଘୃଣା କରୁଅଛ।
୬ ତୁମ୍ଭେ ମିଥ୍ୟାବାଦୀମାନଙ୍କୁ ବିନାଶ କରିବ;
ସଦାପ୍ରଭୁ ହତ୍ୟାକାରୀ ଓ ପ୍ରବଞ୍ଚକ ଲୋକକୁ ଘୃଣା କରନ୍ତି।
୭ ମାତ୍ର ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର ବାହୁଲ୍ୟରେ, ତୁମ୍ଭ ଗୃହକୁ ଆସିବି;
ମୁଁ ତୁମ୍ଭ ଭୟରେ ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ପ୍ରଣାମ କରିବି।
୮ ହେ ସଦାପ୍ରଭୁ, ମୋ’ ଶତ୍ରୁଗଣ ସକାଶୁ ତୁମ୍ଭେ
ଆପଣା ଧର୍ମଗୁଣରେ ମୋତେ ପଥ କଢ଼ାଇ ନିଅ;
ମୋ’ ସମ୍ମୁଖରେ ତୁମ୍ଭର ପଥ ସରଳ କର।
୯ କାରଣ ସେମାନଙ୍କ ମୁଖରେ କିଛି ବିଶ୍ୱସ୍ତତା ନାହିଁ;
ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ;
ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ୱରୂପ;
ସେମାନେ ଜିହ୍ୱାରେ ଚାଟୁବାଦ କରନ୍ତି।
୧୦ ହେ ପରମେଶ୍ୱର, ସେମାନଙ୍କୁ ଦୋଷୀ କର;
ସେମାନେ ଆପଣାମାନଙ୍କ ମନ୍ତ୍ରଣା ଦ୍ୱାରା ପତିତ ହେଉନ୍ତୁ;
ସେମାନଙ୍କ ଅପରାଧର ବାହୁଲ୍ୟରେ ସେମାନଙ୍କୁ ତଡ଼ି ଦିଅ;
କାରଣ ସେମାନେ ତୁମ୍ଭ ପ୍ରତିକୂଳରେ ବିଦ୍ରୋହ କରିଅଛନ୍ତି।
୧୧ ମାତ୍ର ତୁମ୍ଭର ଶରଣାଗତ ଲୋକ ସମସ୍ତେ ଆନନ୍ଦ କରନ୍ତୁ;
ସେମାନେ ଆନନ୍ଦ ସକାଶୁ ସର୍ବଦା ଜୟଧ୍ୱନି କରନ୍ତୁ; କାରଣ ତୁମ୍ଭେ ସେମାନଙ୍କୁ ରକ୍ଷା କରୁଅଛ;
ଆହୁରି, ଯେଉଁମାନେ ତୁମ୍ଭ ନାମକୁ ପ୍ରେମ କରନ୍ତି, ସେମାନେ ତୁମ୍ଭଠାରେ ଉଲ୍ଲସିତ ହେଉନ୍ତୁ।
୧୨ ଯେଣୁ ତୁମ୍ଭେ ଧାର୍ମିକକୁ ଆଶୀର୍ବାଦ କରିବ; ହେ ସଦାପ୍ରଭୁ,
ତୁମ୍ଭେ ତାହାକୁ ଢାଲ ପରି ଅନୁଗ୍ରହରେ ବେଷ୍ଟନ କରିବ।

*୫:୩ ପ୍ରାର୍ଥନା କିମ୍ବା ବଳିଦାନ