୧୭
ଜଣେ ନିରୀହ ଲୋକର ପ୍ରାର୍ଥନା
ଦାଉଦଙ୍କର ପ୍ରାର୍ଥନା।
 
୧ ହେ ସଦାପ୍ରଭୁ, ନ୍ୟାୟବାଦ ଶୁଣ, ମୋ’ କାକୂକ୍ତିରେ ମନୋଯୋଗ କର;
ନିଷ୍କପଟ ଓଷ୍ଠରୁ ନିର୍ଗତ ମୋ’ ପ୍ରାର୍ଥନାରେ କର୍ଣ୍ଣପାତ କର।
୨ ତୁମ୍ଭ ଛାମୁରୁ ମୋ’ ବିଚାରର ନିଷ୍ପତ୍ତି ଆସୁ; ତୁମ୍ଭର ଚକ୍ଷୁ ନ୍ୟାଯ୍ୟ ବିଷୟ ନିରୀକ୍ଷଣ କରୁ।
୩ ତୁମ୍ଭେ ମୋହର ଅନ୍ତଃକରଣ ପରୀକ୍ଷା କରିଅଛ; ତୁମ୍ଭେ ରାତ୍ରିକାଳରେ ମୋର ତତ୍ତ୍ୱାନୁସନ୍ଧାନ କରିଅଛ;
ତୁମ୍ଭେ ମୋତେ ପରଖ କରି କିଛି ପାଇ ନାହଁ;
ମୋହର ମୁଖ ଅପରାଧ ନ କରିବ ବୋଲି ମୁଁ ସ୍ଥିର କରିଅଛି।
୪ ମନୁଷ୍ୟର କାର୍ଯ୍ୟ ବୁଝି ମୁଁ ତୁମ୍ଭ ଓଷ୍ଠାଧରର ବାକ୍ୟ ଦ୍ୱାରା ଦୁର୍ଜ୍ଜନର ପଥରୁ ଆପଣାକୁ ରକ୍ଷା କରିଅଛି।
୫ ମୋହର ପାଦ ତୁମ୍ଭର ମାର୍ଗ ଦୃଢ଼ କରି ଧରିଅଛି, ମୋହର ଚରଣ ଖସିଯାଇ ନାହିଁ।
୬ ମୁଁ ତୁମ୍ଭଙ୍କୁ ଡାକିଅଛି, କାରଣ ହେ ପରମେଶ୍ୱର, ତୁମ୍ଭେ ମୋତେ ଉତ୍ତର ଦେବ; ମୋ’ ପ୍ରତି କର୍ଣ୍ଣ ଡେର ଓ ମୋ’ର କଥା ଶୁଣ।
୭ ଆହେ ସ୍ୱଶରଣାଗତମାନଙ୍କୁ ସେମାନଙ୍କ ବିରୁଦ୍ଧରେ ଉତ୍‍ଥିତ ଲୋକଗଣଠାରୁ ସ୍ୱଦକ୍ଷିଣ ହସ୍ତରେ ତ୍ରାଣକାରକ, ତୁମ୍ଭେ ଆପଣା ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କର।
୮ ମୋହର ଲୁଟକାରୀ ଦୁଷ୍ଟଗଣଠାରୁ, ମୋହର ଚତୁର୍ଦ୍ଦିଗରେ ବେଷ୍ଟିତ ମୋହର ପ୍ରାଣନାଶକ ଶତ୍ରୁଗଣଠାରୁ,
୯ ଚକ୍ଷୁର ତାରା ପରି ମୋତେ ରଖ, ଆପଣା ପକ୍ଷର ଛାୟା ତଳେ ମୋତେ ଲୁଚାଅ।
୧୦ ସେମାନେ ଆପଣା ମେଦରେ ଆଚ୍ଛନ୍ନ ଅଟନ୍ତି; ସେମାନେ ମୁଖରେ ଅହଙ୍କାର କଥା କହନ୍ତି।
୧୧ ଏବେ ସେମାନେ ଆମ୍ଭମାନଙ୍କ ଗମନ ସମୟରେ ଆମ୍ଭମାନଙ୍କୁ ଘେରନ୍ତି; ସେମାନେ ଆମ୍ଭମାନଙ୍କୁ ଭୂମିସାତ୍‍ କରିବାକୁ ଚାହିଁ ରହିଥା’ନ୍ତି।
୧୨ ସେ ଶିକାର ଗ୍ରାସ କରିବାକୁ ଉଦ୍ୟତ ସିଂହ ତୁଲ୍ୟ ଓ ଗୁପ୍ତ ସ୍ଥାନରେ ଛକି ରହିବା ଯୁବା ସିଂହ ସଦୃଶ ଅଟେ।
୧୩ ହେ ସଦାପ୍ରଭୁ, ଉଠ, ତାହାର ସମ୍ମୁଖବର୍ତ୍ତୀ ହୁଅ, ତାହାକୁ ନୁଆଁଇ ପକାଅ; ତୁମ୍ଭେ ଆପଣା ଖଡ୍ଗ ଦ୍ୱାରା ଦୁଷ୍ଟମାନଙ୍କଠାରୁ ମୋ’ ପ୍ରାଣକୁ ଉଦ୍ଧାର କର;
୧୪ ହେ ସଦାପ୍ରଭୁ, ଆପଣା ହସ୍ତ ଦ୍ୱାରା ଲୋକମାନଙ୍କଠାରୁ, ଯେଉଁମାନଙ୍କର ଅଂଶ ଇହଜୀବନରେ ଅଛି ଓ ଯେଉଁମାନଙ୍କ ଉଦର ତୁମ୍ଭେ ନିଜ ଧନରେ ପୂର୍ଣ୍ଣ କରୁଅଛ, ଏପରି ସାଂସାରିକ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର;
ସେମାନେ ସନ୍ତାନସନ୍ତତିରେ ପରିତୃପ୍ତ ଓ ଆପଣା ଆପଣା ଶିଶୁଗଣ ନିମନ୍ତେ ଆପଣାମାନଙ୍କ ଅବଶିଷ୍ଟ ସମ୍ପତ୍ତି ଛାଡ଼ିଯା’ନ୍ତି।
୧୫ ମାତ୍ର ମୁଁ ଧର୍ମରେ ତୁମ୍ଭ ମୁଖ ଦର୍ଶନ କରିବି; ମୁଁ ତୁମ୍ଭ ଆକାରରେ ଜାଗ୍ରତ ହେବା ବେଳେ ପରିତୃପ୍ତ ହେବି।