୨୦
ବିଜୟ ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
 
୧ ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ;
ଯାକୁବର ପରମେଶ୍ୱରଙ୍କ ନାମ ତୁମ୍ଭକୁ ରକ୍ଷା ସ୍ଥାପନ କରନ୍ତୁ;
୨ ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ,
ସିୟୋନଠାରୁ ତୁମ୍ଭକୁ ବଳବାନ କରନ୍ତୁ;
୩ ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ,
ପୁଣି, ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ;
[ସେଲା]
୪ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ
ଓ ତୁମ୍ଭର ଯୋଜନାସବୁ ସଫଳ କରନ୍ତୁ।
୫ ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ୱନି କରିବୁ
ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଆମ୍ଭେମାନେ ଧ୍ୱଜା ସ୍ଥାପନ କରିବୁ;
ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ।
୬ ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତକୁ ଉଦ୍ଧାର କରନ୍ତି,
ସେ ଆପଣା ଡାହାଣ ହସ୍ତର ତ୍ରାଣ ଶକ୍ତିରେ
ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ।
୭ କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି;
ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ।
୮ ସେମାନେ ନତ ହୋଇ ପତିତ ହୋଇଅଛନ୍ତି;
ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ।
୯ ହେ ସଦାପ୍ରଭୁ, ପରିତ୍ରାଣ କର;
ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ।