୨୭
ସ୍ତୁତି ବନ୍ଦନା
ଦାଉଦଙ୍କର ଗୀତ।
 
୧ ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ;
ମୁଁ କାହାକୁ ଭୟ କରିବି ?
ସଦାପ୍ରଭୁ ମୋ’ ଜୀବନର ବଳ;
ମୁଁ କାହାଠାରୁ ଭୀତ ହେବି ?
୨ ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ
ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ।
୩ ସୈନ୍ୟଦଳ ମୋ’ ବିରୁଦ୍ଧରେ ଛାଉଣି କଲେ ହେଁ
ମୋହର ଅନ୍ତଃକରଣ ଭୟ କରିବ ନାହିଁ;
ଯଦି ଯୁଦ୍ଧ ମୋ’ ବିରୁଦ୍ଧରେ ଉଠେ,
ତେବେ ମଧ୍ୟ ମୁଁ ସାହସିକ ହେବି।
୪ ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ
ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ
ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି,
ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି,
ତାହା ହିଁ ମୁଁ ଅନ୍ୱେଷଣ କରିବି।
୫ କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ;
ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ;
ସେ ମୋତେ ଶୈଳ ଉପରକୁ ଉଠାଇବେ।
୬ ଏଣୁ ଏବେ ମୋ’ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ;
ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି;
ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
୭ ହେ ସଦାପ୍ରଭୁ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ;
ମୋ’ ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ।
୮ ଯେତେବେଳେ ତୁମ୍ଭେ କହିଲ, “ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର,”
ମୋ’ ଅନ୍ତଃକରଣ ତୁମ୍ଭଙ୍କୁ କହିଲା, “ସଦାପ୍ରଭୁ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି।”
୯ ମୋ’ଠାରୁ ଆପଣା ମୁଖ ଲୁଚାଅ ନାହିଁ;
କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ;
ତୁମ୍ଭେ ମୋହର ସହାୟ ହୋଇଅଛ;
ହେ ମୋ’ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ।
୧୦ କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି,
ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।
୧୧ ହେ ସଦାପ୍ରଭୁ, ମୋହର ଶତ୍ରୁଗଣ ସକାଶୁ
ମୋତେ ତୁମ୍ଭର ମାର୍ଗ ଶିଖାଅ;
ଓ ସରଳ ପଥରେ ମୋତେ କଢ଼ାଇ ନିଅ।
୧୨ ମୋ’ ବିପକ୍ଷଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ;
କାରଣ ମିଥ୍ୟାସାକ୍ଷୀମାନେ ଓ ନିଷ୍ଠୁରତାରୂପ ନିଶ୍ୱାସ
ମାରିବା ଲୋକେ ମୋ’ ବିରୁଦ୍ଧରେ ଉଠିଅଛନ୍ତି।
୧୩ ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳ ଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥା’ନ୍ତି।
୧୪ ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର;
ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ;
ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।