୪୨
ଦ୍ୱିତୀୟ ଖଣ୍ଡ
42:1—72:20
ନିର୍ବାସିତର ପ୍ରାର୍ଥନା (୧)
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ମସ୍କୀଲ୍‍ (ପ୍ରବୋଧନ)।
 
୧ ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି
ହେ ପରମେଶ୍ୱର, ମୋ’ ପ୍ରାଣ ତୁମ୍ଭ ପାଇଁ ଧକାଏ।
୨ ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ
ନିମନ୍ତେ ମୋ’ ପ୍ରାଣ ତୃଷିତ;
ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି ?
୩ ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ
ହୋଇଅଛି,
କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର
ପରମେଶ୍ୱର କାହାନ୍ତି ?”
୪ ମୁଁ କିପରି ଲୋକସମୂହ ସହିତ ଯାତ୍ରା କଲି, ପୁଣି,
ଆନନ୍ଦ ଓ ପ୍ରଶଂସାଧ୍ୱନି ସହିତ ପର୍ବପାଳନକାରୀ ଜନତାକୁ
ପରମେଶ୍ୱରଙ୍କ ଗୃହକୁ ଘେନିଗଲି, ଏହି କଥାସବୁ ସ୍ମରଣ
କରି ମୁଁ ଆପଣା ପ୍ରାଣ ଆପଣା ଅନ୍ତରରେ ଢାଳି ଦେଉଅଛି।
୫ ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ ?
ତୁ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛୁ ?
ପରମେଶ୍ୱରଙ୍କଠାରେ ଭରସା ରଖ;
କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର
ତାହାଙ୍କର ପ୍ରଶଂସା କରିବି।
୬ ହେ ମୋହର ପରମେଶ୍ୱର, ମୋହର ପ୍ରାଣ ମୋ’
ଅନ୍ତରରେ ଶୋକାକୁଳ ହେଉଅଛି;
ଏଥିପାଇଁ ମୁଁ ଯର୍ଦ୍ଦନ ଦେଶରୁ, ପୁଣି, ହର୍ମୋଣ ଓ
ମିତ୍‍ସୀୟର ପର୍ବତରୁ ତୁମ୍ଭକୁ ସ୍ମରଣ କରୁଅଛି।
୭ ତୁମ୍ଭ ନିର୍ଝର ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ
ଗଭୀରକୁ ଡାକଇ,
ତୁମ୍ଭର ଢେଉ ଓ ତରଙ୍ଗସବୁ ମୋ’ ଉପରେ ଯାଇଅଛି।
୮ ତଥାପି ସଦାପ୍ରଭୁ ଦିନବେଳେ ଆପଣା ସ୍ନେହପୂର୍ଣ୍ଣ
କରୁଣା ଆଜ୍ଞା କରିବେ,
ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ
ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ
ହେବ।
୯ ମୁଁ ଆପଣା ଶୈଳ ସ୍ୱରୂପ ପରମେଶ୍ୱରଙ୍କୁ କହିବି,
“ତୁମ୍ଭେ କାହିଁକି ମୋତେ ପାସୋରିଅଛ ?
ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ହେତୁ ଶୋକ କରି
ବୁଲୁଅଛି ?”
୧୦ ମୋ’ ଅସ୍ଥିରେ ଖଡ୍ଗ ପରି ମୋ’ ବିପକ୍ଷଗଣ
ମୋତେ ତିରସ୍କାର କରନ୍ତି;
କାରଣ ସେମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର
ପରମେଶ୍ୱର କାହାନ୍ତି ?”
୧୧ ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ
ହେଉଅଛ ?
ପୁଣି, ତୁମ୍ଭେ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛ ?
ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ
ପୁନର୍ବାର ତାହାଙ୍କର ପ୍ରଶଂସା କରିବି,
ସେ ମୋ’ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର
ଅଟନ୍ତି।