୫୭
ସାହାଯ୍ୟ ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ।
୧ ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର;
କାରଣ ମୋ’ ପ୍ରାଣ ତୁମ୍ଭର ଶରଣାଗତ;
ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି।
୨ ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ,
ମୋ’ ପକ୍ଷରେ ସର୍ବସାଧନକର୍ତ୍ତା ପରମେଶ୍ୱରଙ୍କ ନିକଟରେ ଡାକ ପକାଇବି।
୩ ମୋତେ ଗ୍ରାସ କରିବାକୁ ଇଚ୍ଛୁକ ଲୋକ ତିରସ୍କାର କରିବା ବେଳେ,
ସେ ସ୍ୱର୍ଗରୁ ପଠାଇ ମୋତେ ତ୍ରାଣ କରିବେ; [ସେଲା]
ପରମେଶ୍ୱର ଆପଣା ଦୟା ଓ ସତ୍ୟତା ପ୍ରେରଣ କରିବେ।
୪ ମୁଁ ସିଂହମାନଙ୍କ ମଧ୍ୟରେ ଅଛି;
ମୁଁ ପ୍ରଜ୍ୱଳିତ ଲୋକମାନଙ୍କ ମଧ୍ୟରେ,
ଯେଉଁ ମନୁଷ୍ୟ-ସନ୍ତାନଗଣର ଦନ୍ତ ବର୍ଚ୍ଛା ଓ ତୀର ତୁଲ୍ୟ,
ପୁଣି, ଜିହ୍ୱା ତୀକ୍ଷ୍ଣ ଖଡ୍ଗ ତୁଲ୍ୟ, ସେମାନଙ୍କ ମଧ୍ୟରେ ଶୟନ କରେ।
୫ ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ;
ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।
୬ ସେମାନେ ମୋ’ ଚରଣ ପାଇଁ ଜାଲ ପ୍ରସ୍ତୁତ କରିଅଛନ୍ତି;
ମୋ’ ପ୍ରାଣ ଅବନତ ହୋଇଅଛି;
ସେମାନେ ମୋ’ ସମ୍ମୁଖରେ ଗର୍ତ୍ତ ଖୋଳି ଅଛନ୍ତି;
ମାତ୍ର ସେମାନେ ନିଜେ ତହିଁ ମଧ୍ୟରେ ପତିତ ହୋଇଅଛନ୍ତି। [ସେଲା]
୭ ହେ ପରମେଶ୍ୱର, ମୋ’ ଚିତ୍ତ ସୁସ୍ଥିର ଅଛି, ମୋ’ ଚିତ୍ତ ସୁସ୍ଥିର ଅଛି;
ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି।
୮ ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ;
ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି।
୯ ହେ ପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ ଧନ୍ୟବାଦ ଦେବି;
ମୁଁ ଦେଶୀୟଗଣ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି।
୧୦ କାରଣ ତୁମ୍ଭର ଦୟା ସ୍ୱର୍ଗ ପର୍ଯ୍ୟନ୍ତ ମହତ ଓ
ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ।
୧୧ ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ;
ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।