୬୦
ରକ୍ଷା ନିମନ୍ତେ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍‍-ଏଦୁତ୍‍ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍‍; ଅରାମନହରୟିମ୍‍ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ ରଚିତ।
୧ ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ;
ତୁମ୍ଭେ କ୍ରୁଦ୍ଧ ହୋଇଅଛ; ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
୨ ତୁମ୍ଭେ ଦେଶକୁ କମ୍ପିତ କରିଅଛ; ତୁମ୍ଭେ ତାହାକୁ ବିଦୀର୍ଣ୍ଣ କରିଅଛ;
ତହିଁର ଭଗ୍ନସ୍ଥାନର ପ୍ରତିକାର କର; କାରଣ ତାହା ଟଳ ଟଳ ହେଉଅଛି।
୩ ତୁମ୍ଭେ ଆପଣା ଲୋକମାନଙ୍କୁ କଠିନ ବିଷୟ ଦେଖାଇଅଛ;
ତୁମ୍ଭେ ଆମ୍ଭମାନଙ୍କୁ ଟଳମଳକାରିଣୀ ମଦିରା ପାନ କରାଇଅଛ।
୪ ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମ୍ଭେ
ଆପଣା ଭୟକାରୀମାନଙ୍କୁ ଏକ ପତାକା ଦେଇଅଛ। [ସେଲା]
୫ ଯେପରି ତୁମ୍ଭ ପ୍ରିୟତମ ଉଦ୍ଧାର ପାଇବ,
ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କର ଓ ଆମ୍ଭମାନଙ୍କୁ ଉତ୍ତର ଦିଅ।
୬ ପରମେଶ୍ୱର ଆପଣା ପବିତ୍ର ସ୍ଥାନରେ* ପବିତ୍ର ସ୍ଥାନରେ କିମ୍ବା ପବିତ୍ରତାରେ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା;
ଆମ୍ଭେ ଶିଖିମକୁ ବିଭାଗ କରିବା ଓ ସୁକ୍‍କୋତ ଉପତ୍ୟକାକୁ ମାପିବା।
୭ ଗିଲୀୟଦ ଆମ୍ଭର ଓ ମନଃଶି ଆମ୍ଭର;
ମଧ୍ୟ ଇଫ୍ରୟିମ ଆମ୍ଭ ମସ୍ତକର ଆଶ୍ରୟ;
ଯିହୁଦା ଆମ୍ଭର ରାଜଦଣ୍ଡ।
୮ ମୋୟାବ ଆମ୍ଭର ପ୍ରକ୍ଷାଳନ-ପାତ୍ର;
ଆମ୍ଭେ ଇଦୋମ ଉପରେ ଆପଣା ପାଦୁକା ପକାଇବା;
ହେ ପଲେଷ୍ଟୀୟା, ତୁମ୍ଭେ ଆମ୍ଭ ସକାଶୁ ଉଚ୍ଚ ଧ୍ୱନି କର।
୯ କିଏ ମୋତେ ଦୃଢ଼ ନଗରକୁ ଆଣିବ ?
କିଏ ମୋତେ ଇଦୋମ ଦେଶ ପର୍ଯ୍ୟନ୍ତ କଢ଼ାଇ ନେବ ?”
୧୦ ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ ?
ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।
୧୧ ବିପକ୍ଷ ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର;
କାରଣ ମନୁଷ୍ୟର ସାହାଯ୍ୟ ବୃଥା।
୧୨ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା;
ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।

*୬୦:୬ ପବିତ୍ର ସ୍ଥାନରେ କିମ୍ବା ପବିତ୍ରତାରେ