୮୧
ଉତ୍ସବ ସଙ୍ଗୀତ
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଆସଫର ଗୀତ।
 
୧ ଆମ୍ଭମାନଙ୍କ ବଳ ସ୍ୱରୂପ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉଚ୍ଚସ୍ୱରରେ ଗାନ କର;
ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
୨ ଗୀତ ଉଠାଅ ଓ ଦାରା,
ନେବଲ ସହିତ ମନୋହର ବୀଣାଯନ୍ତ୍ର ଆଣ।
୩ ଅମାବାସ୍ୟାରେ, ପୂର୍ଣ୍ଣିମାରେ,
ଆମ୍ଭମାନଙ୍କ ମହୋତ୍ସବ ଦିନରେ ତୂରୀ ବଜାଅ।
୪ କାରଣ ତାହା ଇସ୍ରାଏଲ ନିମନ୍ତେ ବିଧି ଓ
ଯାକୁବର ପରମେଶ୍ୱରଙ୍କ ବିଧାନ ଅଟେ।
୫ ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ
ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ;
ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ।
୬ ଆମ୍ଭେ ତାହାର ସ୍କନ୍ଧ ଭାରରୁ ଘୁଞ୍ଚାଇ ଦେଲୁ;
ତାହାର ହସ୍ତ ଟୋକାଇରୁ ମୁକ୍ତ ହେଲା।
୭ ତୁମ୍ଭେ ସଙ୍କଟ ବେଳେ ଡାକିଲ, ତହୁଁ ଆମ୍ଭେ ତୁମ୍ଭକୁ ଉଦ୍ଧାର କଲୁ;
ଆମ୍ଭେ ମେଘଗର୍ଜ୍ଜନର ଗୁପ୍ତ ସ୍ଥାନରେ ତୁମ୍ଭକୁ ଉତ୍ତର ଦେଲୁ;
ଆମ୍ଭେ ମିରୀବାଃ ଜଳ ନିକଟରେ ତୁମ୍ଭକୁ ପରୀକ୍ଷା କଲୁ। [ସେଲା]
୮ ହେ ଆମ୍ଭର ଲୋକ, ଶୁଣ, ଆମ୍ଭେ ତୁମ୍ଭ ନିକଟରେ ସାକ୍ଷ୍ୟ ଦେବା;
ହେ ଇସ୍ରାଏଲ, ଯଦି ତୁମ୍ଭେ ଆମ୍ଭ କଥା ଶୁଣନ୍ତ !
୯ ତୁମ୍ଭ ମଧ୍ୟରେ ଅନ୍ୟ କୌଣସି ଦେବତା ରହିବ ନାହିଁ;
କିଅବା ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ।
୧୦ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
ଆମ୍ଭେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ;
ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା।
୧୧ ମାତ୍ର ଆମ୍ଭ ଲୋକେ ଆମ୍ଭ ରବ ଶୁଣିଲେ ନାହିଁ ଓ
ଇସ୍ରାଏଲ ଆମ୍ଭଙ୍କୁ ଚାହିଁଲା ନାହିଁ।
୧୨ ତହିଁରେ ସେମାନେ ଯେପରି ଆପଣା ଆପଣା ମନ୍ତ୍ରଣାନୁସାରେ ଚାଲିବେ,
ଏଥିପାଇଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ହୃଦୟର କଠିନତାନୁସାରେ ଛାଡ଼ି ଦେଲୁ।
୧୩ ଆହା, ଯଦି ଆମ୍ଭ ଲୋକେ ଆମ୍ଭର କଥା ଶୁଣନ୍ତେ !
ଯଦି ଇସ୍ରାଏଲ ଆମ୍ଭ ପଥରେ ଚାଲନ୍ତା !
୧୪ ଆମ୍ଭେ ଶୀଘ୍ର ସେମାନଙ୍କ ଶତ୍ରୁଗଣକୁ ଦମନ କରନ୍ତୁ
ଓ ସେମାନଙ୍କ ବିପକ୍ଷଗଣର ପ୍ରତିକୂଳରେ ଆପଣା ହସ୍ତ ଫେରାନ୍ତୁ।
୧୫ ସଦାପ୍ରଭୁଙ୍କ ଘୃଣାକାରୀମାନେ ତାହାଙ୍କର ବଶତା ସ୍ୱୀକାର କରନ୍ତେ;
ମାତ୍ର ସେମାନଙ୍କର ସମୟ ସଦାକାଳ ରହନ୍ତା।
୧୬ ଆହୁରି, ସେ ଉତ୍ତମ ଗହମରେ ସେମାନଙ୍କୁ ପ୍ରତିପୋଷଣ କରନ୍ତେ
ଓ ଆମ୍ଭେ ଶୈଳରୁ ମଧୁ ଦେଇ ତୁମ୍ଭକୁ ପରିତୃପ୍ତ କରନ୍ତୁ।