୮୫
ଜାତିର ମଙ୍ଗଳାର୍ଥେ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣର ଗୀତ।
 
୧ ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ;
ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ।
୨ ତୁମ୍ଭେ ଆପଣା ଲୋକମାନଙ୍କ ଅପରାଧ କ୍ଷମା କରିଅଛ,
ତୁମ୍ଭେ ସେମାନଙ୍କ ପାପସବୁ ଆଚ୍ଛାଦନ କରିଅଛ। [ସେଲା]
୩ ତୁମ୍ଭେ ଆପଣା ସମସ୍ତ କୋପରୁ ନିବୃତ୍ତ ହୋଇଅଛ;
ତୁମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତାରୁ ବିମୁଖ ହୋଇଅଛ।
୪ ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ
ଓ ଆମ୍ଭମାନଙ୍କ ପ୍ରତି ତୁମ୍ଭ ବିରକ୍ତି ନିବୃତ୍ତ କର।
୫ ତୁମ୍ଭେ କି ସଦାକାଳ ଆମ୍ଭମାନଙ୍କ ଉପରେ କ୍ରୁଦ୍ଧ ହେବ ?
ତୁମ୍ଭେ କି ପୁରୁଷ-ପରମ୍ପରା ପ୍ରତି ଆପଣା କ୍ରୋଧ ରଖିଥିବ ?
୬ ତୁମ୍ଭର ଲୋକମାନେ ଯେପରି ତୁମ୍ଭଠାରେ ଆନନ୍ଦ କରିବେ,
ଏଥିପାଇଁ ତୁମ୍ଭେ କି ପୁନର୍ବାର ଆମ୍ଭମାନଙ୍କୁ ସଜୀବ କରିବ ନାହିଁ ?
୭ ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଆପଣା ଦୟା ପ୍ରକାଶ କର
ଓ ଆମ୍ଭମାନଙ୍କୁ ତୁମ୍ଭ ପରିତ୍ରାଣ ପ୍ରଦାନ କର।
୮ ସଦାପ୍ରଭୁ ପରମେଶ୍ୱର ଯାହା କହିବେ, ତାହା ଆମ୍ଭେ ଶୁଣିବୁ;
କାରଣ ସେ ଆପଣା ଲୋକମାନଙ୍କୁ ଓ ଆପଣା ସଦ୍‍ଭକ୍ତମାନଙ୍କୁ ଶାନ୍ତିର କଥା କହିବେ;
ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ।
୯ ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ,
ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ ତାହାଙ୍କ ପରିତ୍ରାଣ ଅଛି।
୧୦ ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି;
ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି।
୧୧ ପୃଥିବୀରୁ ସତ୍ୟତା ଅଙ୍କୁରିତ ହେଉଅଛି;
ପୁଣି, ଧାର୍ମିକତା ସ୍ୱର୍ଗରୁ ଦୃଷ୍ଟିପାତ କରିଅଛି।
୧୨ ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ;
ତହିଁରେ ଆମ୍ଭମାନଙ୍କ ଦେଶ ଫଳ ଉତ୍ପନ୍ନ କରିବ।
୧୩ ଧର୍ମ ତାହାଙ୍କର ଆଗେ ଆଗେ ଯିବ ଓ
ତାହାଙ୍କ ପଦଚିହ୍ନକୁ ଗମନର ପଥ କରିବ।