୯୭
ସଦାପ୍ରଭୁ ହିଁ ସର୍ବୋପରିସ୍ଥ ଶାସନକର୍ତ୍ତା
୧ ସଦାପ୍ରଭୁ ରାଜ୍ୟ କରନ୍ତି; ପୃଥିବୀ ଉଲ୍ଲାସ କରୁ;
ଦ୍ୱୀପସମୂହ ଆନନ୍ଦିତ ହେଉନ୍ତୁ।
୨ ମେଘମାଳ ଓ ଅନ୍ଧକାର ତାହାଙ୍କ ଚତୁର୍ଦ୍ଦିଗରେ ଥାଏ;
ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ।
୩ ତାହାଙ୍କ ସମ୍ମୁଖରେ ଅଗ୍ନି ଗମନ କରେ ଓ
ତାହାଙ୍କ ଚତୁର୍ଦ୍ଦିଗସ୍ଥ ଶତ୍ରୁଗଣକୁ ଦଗ୍ଧ କରେ।
୪ ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା;
ପୃଥିବୀ ଦେଖି କମ୍ପିଲା।
୫ ପର୍ବତଗଣ ସଦାପ୍ରଭୁଙ୍କ ଛାମୁରେ ମହମ ପରି ତରଳି ଗଲେ,
ସମୁଦାୟ ପୃଥିବୀ ପ୍ରଭୁଙ୍କ ଛାମୁରେ ତରଳି ଗଲେ।
୬ ଆକାଶମଣ୍ଡଳ ତାହାଙ୍କ ଧର୍ମ ପ୍ରଚାର କରଇ ଓ
ସମୁଦାୟ ଗୋଷ୍ଠୀ ତାହାଙ୍କ ମହିମା ଦେଖିଅଛନ୍ତି।
୭ ଖୋଦିତ ପ୍ରତିମାଗଣର ସେବକ ସମସ୍ତେ ଓ
ଦେବତାଗଣର ଦର୍ପକାରୀ ସମସ୍ତେ ଲଜ୍ଜିତ ହେଉନ୍ତୁ;
ହେ ସମସ୍ତ ଦେବତାଗଣ, ତୁମ୍ଭେମାନେ ତାହାଙ୍କୁ ପ୍ରଣାମ କର।
୮ ହେ ସଦାପ୍ରଭୁ, ତୁମ୍ଭ ଶାସନ ବିଷୟ ସିୟୋନ ଶୁଣି ଆନନ୍ଦିତ ହେଲା
ଓ ଯିହୁଦାର କନ୍ୟାଗଣ ଉଲ୍ଲସିତ ହେଲେ।
୯ କାରଣ ହେ ସଦାପ୍ରଭୁ, ତୁମ୍ଭେ ସମୁଦାୟ ପୃଥିବୀରେ ସର୍ବୋପରିସ୍ଥ;
ତୁମ୍ଭେ ସକଳ ଦେବ ଉପରେ ଅତିଶୟ ଉନ୍ନତ।
୧୦ ହେ ସଦାପ୍ରଭୁଙ୍କ ପ୍ରେମକାରୀଗଣ, ତୁମ୍ଭେମାନେ ମନ୍ଦତା ଘୃଣା କର;
ସେ ଆପଣା ସଦ୍‍ଭକ୍ତମାନଙ୍କ ପ୍ରାଣ ରକ୍ଷା କରନ୍ତି।
ସେ ସେମାନଙ୍କୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରନ୍ତି;
୧୧ ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ
ସରଳମନାମାନଙ୍କ ପାଇଁ ଆନନ୍ଦ ବୁଣା ଯାଇଅଛି।
୧୨ ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଆନନ୍ଦ କର;
ପୁଣି, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର।