୯୯
ସଦାପ୍ରଭୁ ହିଁ ରାଜାଧିରାଜ
୧ ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ;
ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ।
୨ ସଦାପ୍ରଭୁ ସିୟୋନରେ ମହାନ ଓ
ସେ ସର୍ବଦେଶୀୟମାନଙ୍କ ଉପରେ ଉନ୍ନତ।
୩ ସେମାନେ ତୁମ୍ଭ ମହତ ଓ ଭୟଙ୍କର ନାମର ପ୍ରଶଂସା କରନ୍ତୁ;
ସେ ପବିତ୍ର ଅଟନ୍ତି।
୪ ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ;
ତୁମ୍ଭେ ନ୍ୟାୟ ସ୍ଥିର କରୁଥାଅ,
ତୁମ୍ଭେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ।
୫ ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର
ଓ ତାହାଙ୍କ ପାଦପୀଠରେ ପ୍ରଣାମ କର;
ସେ ପବିତ୍ର ଅଟନ୍ତି।
୬ ତାହାଙ୍କ ଯାଜକଗଣ ମଧ୍ୟରେ ମୋଶା, ହାରୋଣ
ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ଶାମୁୟେଲ;
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ।
୭ ସେ ମେଘ ସ୍ତମ୍ଭରେ ସେମାନଙ୍କ ନିକଟରେ କଥା କହିଲେ;
ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧିସବୁ ପାଳନ କଲେ।
୮ ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଉତ୍ତର ଦେଲ।
ତୁମ୍ଭେ ସେମାନଙ୍କ କର୍ମର ପରିଶୋଧ ନେଲେ ହେଁ
ସେମାନଙ୍କର କ୍ଷମାକାରୀ ପରମେଶ୍ୱର ହୋଇଥିଲ।
୯ ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର
ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର;
କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି।