୧୦୮
ଶତ୍ରୁ କବଳରୁ ରକ୍ଷା ନିମିତ୍ତ ପ୍ରାର୍ଥନା
ଦାଉଦଙ୍କର ଗାନାର୍ଥକ ଗୀତ।
 
୧ ହେ ପରମେଶ୍ୱର, ମୋହର ଚିତ୍ତ ସୁସ୍ଥିର ଅଛି;
ମୁଁ ଗାନ କରିବି, ହଁ, ମୁଁ ଆପଣା ଗୌରବ ସହିତ ପ୍ରଶଂସା ଗାନ କରିବି।
୨ ହେ ନେବଲ ଓ ବୀଣେ, ଜାଗ;
ମୁଁ ନିଜେ ଅତି ପ୍ରଭାତରେ ଜାଗିବି।
୩ ହେ ସଦାପ୍ରଭୁ, ମୁଁ ଗୋଷ୍ଠୀବର୍ଗ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି
ଓ ମୁଁ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି।
୪ ଯେହେତୁ ତୁମ୍ଭର ଦୟା ଆକାଶ ଅପେକ୍ଷା ମହତ
ଓ ତୁମ୍ଭର ସତ୍ୟତା ଗଗନସ୍ପର୍ଶୀ;
୫ ହେ ପରମେଶ୍ୱର, ତୁମ୍ଭେ ଆକାଶମଣ୍ଡଳ ଉପରେ ଉନ୍ନତ ହୁଅ
ଓ ତୁମ୍ଭର ଗୌରବ ସମୁଦାୟ ପୃଥିବୀରେ ଉନ୍ନତ ହେଉ।
୬ ଯେପରି ତୁମ୍ଭର ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ
ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କରି ଆମ୍ଭମାନଙ୍କୁ ଉତ୍ତର ଦିଅ।
୭ ପରମେଶ୍ୱର ଆପଣା ପବିତ୍ରତାରେ* ପବିତ୍ରତାରେ କିମ୍ବା ପବିତ୍ର ସ୍ଥାନରୁ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା;
ମୁଁ ଶିଖିମକୁ ବିଭାଗ କରିବି ଓ ସୁକ୍‍କୋତ ଉପତ୍ୟକା ମାପିବି।
୮ ଗିଲୀୟଦ ମୋହର; ମନଃଶି ମୋହର;
ଇଫ୍ରୟିମ ମଧ୍ୟ ମୋ’ ମସ୍ତକର ଆଶ୍ରୟ;
ଯିହୁଦା ମୋହର ରାଜଦଣ୍ଡ।
୯ ମୋୟାବ ମୋ’ ପ୍ରକ୍ଷାଳନ-ପାତ୍ର;
ଇଦୋମ ଉପରେ ମୁଁ ଆପଣା ପାଦୁକା ପକାଇବି।
ପଲେଷ୍ଟୀୟ ଉପରେ ଜୟଧ୍ୱନି କରିବି।
୧୦ କିଏ ମୋତେ ଦୃଢ଼ ନଗରକୁ ଆଣିବ ?
କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି ?”
୧୧ ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ ?
ପୁଣି, ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।
୧୨ ବିପକ୍ଷର ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର;
କାରଣ ମନୁଷ୍ୟର ସାହାଯ୍ୟ ବୃଥା।
୧୩ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା;
ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।

*୧୦୮:୭ ପବିତ୍ରତାରେ କିମ୍ବା ପବିତ୍ର ସ୍ଥାନରୁ