୧୧୪
ନିସ୍ତାର ପର୍ବ ସଙ୍ଗୀତ
୧ ଯେତେବେଳେ ଇସ୍ରାଏଲ ମିସରରୁ
ଓ ଯାକୁବ-ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ;
୨ ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ
ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା,
୩ ସମୁଦ୍ର ତାହା ଦେଖି ପଳାଇଲା;
ଯର୍ଦ୍ଦନ ଉଜାଣି ବହିଲା।
୪ ପର୍ବତଗଣ ମେଷ ପରି ଓ
ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ।
୫ ତୁମ୍ଭର କ’ଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ ?
ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ ?
୬ ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି,
ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ ?
୭ ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ,
ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ;
୮ ସେ ଶୈଳକୁ ଜଳାଶୟ,
ଚକ୍‍ମକି ପ୍ରସ୍ତରକୁ ନିର୍ଝର କଲେ।