୧୨୭
ମଙ୍ଗଳମୟ ସଦାପ୍ରଭୁଙ୍କ ସ୍ତୁତି
ଆରୋହଣ-ଗୀତ; ଶଲୋମନଙ୍କ ରଚିତ।
 
୧ ସଦାପ୍ରଭୁ ଯଦି ଗୃହ ନିର୍ମାଣ ନ କରନ୍ତି,
ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି;
ଯଦି ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ।
୨ ତୁମ୍ଭେମାନେ ଯେ ପ୍ରଭାତରେ ଉଠ ଓ
ଏତେ ବିଳମ୍ବରେ ବିଶ୍ରାମ କର,
ଆଉ ଶାନ୍ତିର ଖାଦ୍ୟ ଭୋଜନ କର, ଏହା ତୁମ୍ଭମାନଙ୍କ ପକ୍ଷରେ ବୃଥା।
କାରଣ ସେହି ପ୍ରକାରେ ସଦାପ୍ରଭୁ ଆପଣା ପ୍ରିୟତମକୁ ନିଦ୍ରା ଦିଅନ୍ତି।
୩ ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର
ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର* ପୁରସ୍କାର ଅର୍ଥାତ୍ ଆଶୀର୍ବାଦ
୪ ଯୌବନର ସନ୍ତାନଗଣ ବୀର ପୁରୁଷର ହସ୍ତସ୍ଥିତ ତୀର ସଦୃଶ।
୫ ଯାହାର ତୂଣ ତାଦୃଶ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ;
ସେମାନେ ନଗର-ଦ୍ୱାରରେ ଶତ୍ରୁଗଣ ସଙ୍ଗେ କଥା କହିବା ବେଳେ
ଲଜ୍ଜିତ ହେବେ ନାହିଁ।

*୧୨୭:୩ ପୁରସ୍କାର ଅର୍ଥାତ୍ ଆଶୀର୍ବାଦ