୧୩୫
ସ୍ତୁତି ବନ୍ଦନା
୧ ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର;
ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର।
୨ ସଦାପ୍ରଭୁଙ୍କ ଗୃହରେ,
ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ-ପ୍ରାଙ୍ଗଣରେ ସେବା କରୁଥାଅ ଯେ ତୁମ୍ଭେମାନେ
୩ ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସଦାପ୍ରଭୁ ମଙ୍ଗଳମୟ;
ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର; କାରଣ ତାହା ମନୋହର।
୪ ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ଓ
ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି।
୫ କାରଣ ମୁଁ ଜାଣେ, ସଦାପ୍ରଭୁ ମହାନ ଓ
ଆମ୍ଭମାନଙ୍କ ପ୍ରଭୁ ସକଳ ଦେବତାଗଣ ଅପେକ୍ଷା ଶ୍ରେଷ୍ଠ।
୬ ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି।
୭ ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି;
ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି;
ସେ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।
୮ ସେ ମିସରର ପ୍ରଥମଜାତ ମନୁଷ୍ୟ
ଓ ପଶୁ ଉଭୟକୁ ସଂହାର କଲେ।
୯ ହେ ମିସର, ସେ ତୁମ୍ଭ ମଧ୍ୟକୁ, ଫାରୋ ପ୍ରତିକୂଳରେ, ତାହାର ଦାସଗଣ ପ୍ରତିକୂଳରେ
ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ପ୍ରେରଣ କଲେ।
୧୦ ସେ ଅନେକ ଗୋଷ୍ଠୀଙ୍କୁ ସଂହାର କଲେ,
ପରାକ୍ରାନ୍ତ ରାଜାମାନଙ୍କୁ,
୧୧ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ
ବାଶନର ରାଜା ଓଗ୍‍କୁ,
ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ।
୧୨ ପୁଣି, ସେମାନଙ୍କର ଦେଶ ଅଧିକାର ନିମନ୍ତେ ଦେଲେ,
ଆପଣା ଲୋକ ଇସ୍ରାଏଲକୁ ଅଧିକାରାର୍ଥେ ଦେଲେ।
୧୩ ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳସ୍ଥାୟୀ;
ହେ ସଦାପ୍ରଭୁ, ତୁମ୍ଭ ସ୍ମରଣ ପୁରୁଷ ପରମ୍ପରାରେ ଥାଏ।
୧୪ ଯେହେତୁ ସଦାପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ
ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ।
୧୫ ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା,
ମନୁଷ୍ୟର ହସ୍ତକୃତ କର୍ମ ଅଟେ।
୧୬ ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ,
ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ;
୧୭ ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ;
କିଅବା ସେମାନଙ୍କ ମୁଖରେ ନିଶ୍ୱାସପ୍ରଶ୍ୱାସ ନାହିଁ।
୧୮ ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କ ଠାରେ ନିର୍ଭରକାରୀ
ପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ।
୧୯ ହେ ଇସ୍ରାଏଲ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;
ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;
୨୦ ହେ ଲେବୀ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।
୨୧ ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହେଉନ୍ତୁ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।