୧୪୮
ସଦାପ୍ରଭୁଙ୍କ ସ୍ତୁତି ପାଇଁ ବିଶ୍ୱକୁ ଆହ୍ୱାନ
୧ ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ତୁମ୍ଭେମାନେ ଆକାଶମଣ୍ଡଳରୁ ତାହାଙ୍କର ପ୍ରଶଂସା କର;
ଊର୍ଦ୍ଧ୍ୱ ସ୍ଥାନରେ ତାହାଙ୍କର ପ୍ରଶଂସା କର।
୨ ହେ ତାହାଙ୍କର ଦୂତ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର;
ହେ ତାହାଙ୍କର ସୈନ୍ୟ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
୩ ହେ ସୂର୍ଯ୍ୟ ଓ ଚନ୍ଦ୍ର, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
ହେ ଦୀପ୍ତିମୟ ତାରା ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
୪ ହେ ସ୍ୱର୍ଗର ସ୍ୱର୍ଗ ଓ ଗଗନୋପରିସ୍ଥ ଜଳସମୂହ,
ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର।
୫ ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ;
କାରଣ ସେ ଆଜ୍ଞା କରନ୍ତେ, ଏମାନେ ସୃଷ୍ଟ ହେଲେ।
୬ ଆହୁରି, ସେ ସଦାକାଳ ପାଇଁ ଏମାନଙ୍କୁ ସ୍ଥାପନ କରିଅଛନ୍ତି;
ସେ ନିୟମ କରିଅଛନ୍ତି, ତାହା ଲୁପ୍ତ ହେବ ନାହିଁ।
୭ ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର,
ହେ ତିମିଙ୍ଗିଳ ଓ ସକଳ ବାରିଧି;
୮ ଅଗ୍ନି* ଅଗ୍ନି ବିଜୁଳି ଓ ଶିଳା, ହିମ ଓ ବାଷ୍ପ;
ତାହାଙ୍କ ବାକ୍ୟସାଧକ ପ୍ରଚଣ୍ଡ ବାୟୁ;
୯ ପର୍ବତ ଓ ସକଳ ଉପପର୍ବତ;
ଫଳବାନ ବୃକ୍ଷ ଓ ସକଳ ଏରସ ବୃକ୍ଷ;
୧୦ ବନ୍ୟ ଓ ସକଳ ଗ୍ରାମ୍ୟ ପଶୁ;
ଉରୋଗାମୀ ଓ ଉଡ୍‍ଡୀୟମାନ ପକ୍ଷୀଗଣ;
୧୧ ପୃଥିବୀର ରାଜାଗଣ ଓ ସକଳ ଗୋଷ୍ଠୀ;
ଅଧିପତିଗଣ ଓ ପୃଥିବୀର ସକଳ ବିଚାରକର୍ତ୍ତା।
୧୨ ଯୁବକ ଓ ଯୁବତୀମାନେ;
ବୃଦ୍ଧ ଓ ବାଳକମାନେ;
୧୩ ସେସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ;
କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ;
ତାହାଙ୍କର ମହିମା ପୃଥିବୀ ଓ ସ୍ୱର୍ଗର ଉପରିସ୍ଥ।
୧୪ ସେ ଆପଣା ଲୋକମାନଙ୍କ ଶୃଙ୍ଗ ଉଠାଇ ଅଛନ୍ତି,
ତାହା ତାହାଙ୍କ ସଦ୍‍ଭକ୍ତମାନଙ୍କର ଓ
ତାହାଙ୍କ ନିକଟବର୍ତ୍ତୀ ଇସ୍ରାଏଲ ସନ୍ତାନଗଣର ପ୍ରଶଂସାର ବିଷୟ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

*୧୪୮:୮ ଅଗ୍ନି ବିଜୁଳି