୧,୪୪,୦୦୦ ଇସ୍ରାଏଲୀୟ ମୁଦ୍ରାଙ୍କିତ
୧ ତା'ପରେ ମୁଁ ଦେଖିଲି, ପୃଥିବୀକୁ ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥି ନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି । ୨ ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ୱରଙ୍କର ମୁଦ୍ରା ଥିଲା । ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, ୩ ଆମ୍ଭେମାନେ ଆପଣାମାନଙ୍କ ଈଶ୍ୱରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ । ୪ ତାପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ, ୫ ଯିହୂଦା ବଂଶରୁ ବାର ହଜାର, ରୂବେନ ବଂଶରୁ ବାର ହଜାର, ଗାଦ ବଂଶରୁ ବାର ହଜାର, ୬ ଆଶେର ବଂଶରୁ ବାର ହଜାର, ନପ୍ତାଲୀ ବଂଶରୁ ବାର ହଜାର, ମନଃଶି ବଂଶରୁ ବାର ହଜାର, ୭ ଶିମିୟୋନ ବଂଶରୁ ବାର ହଜାର, ଲେବୀ ବଂଶରୁ ବାର ହଜାର, ଇସାଖାର ବଂଶରୁ ବାର ହଜାର, ୮ ସବୂଲୂନ୍ ବଂଶରୁ ବାର ହଜାର, ଯୋଷେଫ ବଂଶରୁ ବାର ହଜାର, ବିନ୍ୟାମୀନ ବଂଶରୁ ବାର ହଜାର ।
ସର୍ବ ଦେଶର ଏକ ବିରାଟ ଜନତା
୯ ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରିବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି; ୧୦ ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ । ୧୧ ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି, ୧୨ ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ୱରଙ୍କର; ଆମେନ୍ । ୧୩ ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି ? ୧୪ ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି । ୧୫ ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ । ୧୬ ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, ୧୭ କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।