୧ ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା । ୨ ସେ ସେହି ପାତାଳକୁଣ୍ଡ ଫିଟାନ୍ତେ ସେଥିରୁ ବୃହତ୍ ଭାଟିର ଧୂମ ପରି ଧୂମ ଉଠିଲା, ଆଉ ସେହି ପାତାଳକୁଣ୍ଡର ଧୂମ ହେତୁ ସୁର୍ଯ୍ୟ ପୁଣି, ଆକାଶ ଅନ୍ଧକାରାଛନ୍ନ ହେଲା ।
୩ ଧୂମ ମଧ୍ୟରୁ ପଙ୍ଗପାଳ ବାହାର ହୋଇ ପୃଥିବୀକୁ ଆସିଲେ, ସେମାନଙ୍କୁ ପୃଥିବୀର ବିଛାର ଶକ୍ତି ପରି ଶକ୍ତି ଦିଆଗଲା । ୪ ପୃଥିବୀର ଘାସ କି ସବୁଜ ରଙ୍ଗର ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା ।
୫ ସେମାନଙ୍କୁ ବଧ ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ ସେମାନଙ୍କର ଯନ୍ତ୍ରଣା ଘଟାଇବାକୁ ସେମାନଙ୍କୁ କ୍ଷମତା ଦିଆଗଲା; ବିଛା ମନୁଷ୍ୟକୁ ମାରିଲେ ଯେପରି ଯନ୍ତ୍ରଣା ହୁଏ, ଏହି ଯନ୍ତ୍ରଣା ସେହି ପ୍ରକାର । ୬ ସେହି ସମୟରେ ମନୁଷ୍ୟମାନେ ମୃତ୍ୟୁର ଅନ୍ୱେଷଣ କରିବେ, କିନ୍ତୁ କୌଣସି ପ୍ରକାରେ ପାଇବେ ନାହିଁ; ସେମାନେ ମରିବାକୁ ବାଞ୍ଛା କରିବେ, କିନ୍ତୁ ମୃତ୍ୟୁ ସେମାନଙ୍କଠାରୁ ପଳାୟନ କରିବ ।
୭ ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ; ୮ ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ; ୯ ଲୌହ ଉରସ୍ତ୍ରାଣ ପରି ସେମାନଙ୍କର ଉରସ୍ତ୍ରାଣ, ପୁଣି, ରଥ ଓ ରଣକ୍ଷେତ୍ରରେ ଦୌଡ଼ୁଥିବା ଅନେକ ଅଶ୍ୱଙ୍କ ଶବ୍ଦ ପରି ସେମାନଙ୍କ ପକ୍ଷର ଶବ୍ଦ ।
୧୦ ବିଛାର ଲାଙ୍ଗୁଳ ଓ ନାହୁଡ଼ ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼; ପାଞ୍ଚ ମାସ ପର୍ଯ୍ୟନ୍ତ ମନୁଷ୍ୟମାନଙ୍କର କ୍ଷତି କରିବାକୁ ସେମାନଙ୍କ ଲାଙ୍ଗୁଳରେ ଶକ୍ତି ଥିଲା । ୧୧ ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍ ।
୧୨ ପ୍ରଥମ ସନ୍ତାପ ଗତ ହେଲା, ଦେଖ, ଏହାପରେ ଆଉ ଦୁଇଟି ସନ୍ତାପ ଆସୁଅଛି ।
୧୩ ଷଷ୍ଠ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଈଶ୍ୱରଙ୍କ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦିର ଶୃଙ୍ଗମାନଙ୍କ ମଧ୍ୟରୁ ଗୋଟିଏ ସ୍ୱର ଶୁଣିଲି, ୧୪ ତାହା ତୂରୀ ଧରିଥିବା ସେହି ଷଷ୍ଠ ଦୂତଙ୍କୁ କହିଲା, ଫରାତ୍ ମହାନଦୀରେ ବନ୍ଦୀ ଥିବା ଚାରି ଦୂତଙ୍କୁ ମୁକ୍ତ କରିଦିଅ । ୧୫ ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ ।
୧୬ ଅଶ୍ୱାରୋହୀ ସୈନ୍ୟମାନଙ୍କ ସଂଖ୍ୟା କୋଡ଼ିଏ କୋଟି; ମୁଁ ସେମାନଙ୍କ ସଂଖ୍ୟା ଶୁଣିଲି । ୧୭ ଆଉ ମୁଁ ଦର୍ଶନରେ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଏହି ପ୍ରକାର ଦେଖିଲି, ସେମାନଙ୍କ ଉରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ୱମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୁମ ଓ ଗନ୍ଧକ ନିର୍ଗତ ହେଉଥିଲା ।
୧୮ ସେମାନଙ୍କ ମୁଖରୁ ନିର୍ଗତ ଅଗ୍ନି, ଧୂମ ଓ ଗନ୍ଧକରୂପ ଏହି ତିନି କ୍ଲେଶ ଦ୍ୱାରା ମନୁଷ୍ୟମାନଙ୍କର ଏକ ତୃତୀୟାଂଶ ବଧ କରାଗଲେ । ୧୯ କାରଣ ଅଶ୍ୱମାନଙ୍କ ଶକ୍ତି ସେମାନଙ୍କ ମୁଖ ଓ ଲାଙ୍ଗୁଳରେ ଥିଲା, ଯେଣୁ ସେମାନଙ୍କ ଲାଙ୍ଗୁଳ ସର୍ପ ସଦୃଶ ଓ ମସ୍ତକବିଶିଷ୍ଟ; ତଦ୍ୱାରା ସେମାନେ କ୍ଷତି କରନ୍ତି ।
୨୦ ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ, ୨୧ ଆଉ ସେମାନେ ଆପଣାମାନଙ୍କର ନରହତ୍ୟା, କୁହୁକ, ବ୍ୟଭିଚାର ଓ ଚୌର୍ଯ୍ୟକର୍ମରୁ ମନପରିବର୍ତ୍ତନ କଲେ ନାହିଁ ।