୧୧
ଦୁଇ ସାକ୍ଷୀ
୧ ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ୱରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ । ୨ କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୂଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ ।
୩ ଆଉ ଆମ୍ଭେ ଆମ୍ଭର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟ (ଅଖାର ବସ୍ତ୍ର) ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ । ୪ ସେମାନେ ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଦୁଇ ଜୀତବୃକ୍ଷ ଓ ଦୁଇ ପ୍ରଦୀପ ସଦୃଶ । ୫ କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ; କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରି ଭାବେ ହତ ହେବାକୁ ହେବ ।
୬ ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥି ନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି । ୭ ସେମାନଙ୍କ ସାକ୍ଷ୍ୟ ସମାପ୍ତ ହେଲା ଉତ୍ତାରେ ପାତାଳକୁଣ୍ଡରୁ ଯେଉଁ ପଶୁ ଉତ୍ଥିତ ହେବ, ସେ ସେମାନଙ୍କ ସହିତ ଯୁଦ୍ଧ କରିବା ଓ ସମାନଙ୍କୁ ଜୟ କରି ବଧ କରିବ ।
୮ ସେଥିରେ ଯେଉଁ ମହାନଗରୀକୁ ଆତ୍ମିକ ଭାବରେ ସଦୋମ ଓ ମିସର ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କର ପ୍ରଭୁ ମଧ୍ୟ କ୍ରୁଶରେ ହତ ହୋଇଥିଲେ, ସେହି ମହାନଗରୀର ରାଜପଥରେ ସେମାନଙ୍କ ଶବ ପଡ଼ି ରହିବା । ୯ ଆଉ ନାନା ବଂଶ, ଗୋଷ୍ଠୀ, ଭାଷାବାଦୀ ଓ ଜାତିର ଲୋକେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବକୁ ଦେଖିବେ ଓ ସମାଧିସ୍ଥ ହେବାକୁ ଦେବେ ନାହିଁ ।
୧୦ ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ । ୧୧ ସାଢ଼େ ତିନି ଦିନ ଉତ୍ତାରେ ଈଶ୍ୱରଙ୍କଠାରୁ ଜୀବନବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ । ୧୨ ସେତେବେଳେ ସେମାନେ ଆକାଶରୁ ଉଚ୍ଚସ୍ୱରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠିଆସ । ସେଥିରେ ସେମାନେ ମେଘାଛନ୍ନ ହୋଇ ସ୍ୱର୍ଗାରୋହଣ କଲେ, ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ ।
୧୩ ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ ।
୧୪ ଦ୍ୱିତୀୟ ସନ୍ତାପ ଗତ ହେଲା; ଦେଖ, ତୃତୀୟ ସନ୍ତାପ ଶୀଘ୍ର ଆସୁଅଛି ।
ସପ୍ତମ ତୂରୀ ବାଦନ
୧୫ ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ ।
୧୬ ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ୧୭ ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ ।
୧୮ ଅଣଯିହୂଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲେ, ପୁଣି, ମୃତମାନଙ୍କ ବିଚାର କରିବା ସମୟରେ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା ।
୧୯ ସେତେବେଳେ ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମସିନ୍ଦୁକ ଦେଖାଗଲା, ପୁଣି, ବିଦ୍ୟୁତ୍, ବିଭିନ୍ନ ସ୍ୱର, ମେଘଗର୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା ।