୧୯
ସ୍ୱର୍ଗରେ ଆନନ୍ଦ
୧ ଏଥିଉତ୍ତାରେ ମୁଁ ସ୍ଵର୍ଗରେ ମହାଜନତାର ଶଦ୍ଦ ପରି ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା; ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ୱରଙ୍କର, ୨ କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାଯ୍ୟ; ଯେଉଁ ମହା ବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି । ୩ ପୁଣି, ସେ ଦ୍ୱିତୀୟ ଥର କହିଲେ, ହାଲ୍ଲିଲୂୟା; ତାହାର ଅଗ୍ନିର ଧୂମ ଯୁଗେ ଯୁଗେ ଉଠୁଥିବ । ୪ ସେଥିରେ ସେହି ଚବିଶ ପ୍ରାଚୀନ ଓ ଚାରି ପ୍ରାଣୀ ଉବୁଡ଼ ହୋଇ ସିଂହାସନ ଉପବିଷ୍ଟ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ଆମେନ୍ ହାଲ୍ଲିଲୂୟା ।
ମେଷଶାବକଙ୍କ ବିବାହ ଭୋଜ
୫ ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ୱରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର । ୬ ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁଜଳକଲ୍ଲୋଳ ଓ ଘୋର ମେଘଗର୍ଜନର ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି । ୭ ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି । ୮ ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ । ୯ ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ । ଆଉ ସେ ମୋତେ କହିଲେ, ଏହି ସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ । ୧୦ ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି । ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇଗଣ, ସେମାନଙ୍କର ସହଦାସ; ଈଶ୍ୱରଙ୍କୁ ପ୍ରଣାମ କର । ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର ।
ଶ୍ୱେତ ଅଶ୍ୱ ଆରୋହୀ
୧୧ ତତ୍ପରେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ୱେତବର୍ଣ୍ଣ ଅଶ୍ୱ; ତାହାର ଆରୋହୀଙ୍କ ନାମ ବିଶ୍ୱସ୍ତ ଓ ସତ୍ୟ; ନ୍ୟାୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି । ୧୨ ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ । ୧୩ ସେ ରକ୍ତନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ । ୧୪ ସ୍ୱର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶୁଭ୍ରବର୍ଣ୍ଣ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ୍‍ଗମନ କଲେ । ୧୫ ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ଼୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ । ୧୬ ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘ ଦେଶରେ ଏହି ନାମ ଲିଖିତ ଅଛି, ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ । ୧୭ ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ଡାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ଆସ, ଈଶ୍ୱରଙ୍କ ମହାଭୋଜରେ ଏକତ୍ର ହୁଅ, ୧୮ ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧିନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭୋଜନ କରିବ । ୧୯ ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକୁ ସେହି ଅଶ୍ୱାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି । ୨୦ ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ । ୨୧ ଅବଶିଷ୍ଟ ଲୋକେ ସେହି ଅଶ୍ୱାରୋହୀଙ୍କ ମୁଖ ନିର୍ଗତ ଖଡ଼୍ଗ ଦ୍ୱାରା ହତ ହେଲେ; ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ ।