୧୧
ଯିରୂଶାଲମ ମଣ୍ଡଳୀରେ ପିତରଙ୍କ ବିବୃତି
୧ ଅଣଯିହୂଦୀମାନେ ମଧ୍ୟ ଯେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୂଦା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ । ୨ ଆଉ, ଯେତେବେଳେ ପିତର ଯିରୂଶାଲମକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାହାଙ୍କ ସହିତ ବିବାଦ କରି କହିଲେ, ୩ ତୁମ୍ଭେ ଅସୁନ୍ନତି ଲୋକମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ । ୪ କିନ୍ତୁ ପିତର ବିଷୟଟିର ସବୁ କଥା ବୁଝାଇବାକୁ ଆରମ୍ଭ କରି କହିଲେ, ୫ ମୁଁ ଯାଫୋ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି, ୬ ଆଉ ତାହା ମୋ ପର୍ଯ୍ୟନ୍ତ ଆସିଲା; ମୁଁ ତାହା ପ୍ରତି ଏକଦୃଷ୍ଟିରେ ଚାହିଁ ଚିନ୍ତା କରିବାକୁ ଲାଗିଲି ଓ ସେଥିରେ ପୃଥିବୀର ଚାରିଗୋଡ଼ିଆ ପ୍ରାଣୀ, ବନ୍ୟପଶୁ, ସରୀସୃପ ଓ ଆକାଶର ପକ୍ଷୀସବୁ ଦେଖିଲି, ୭ ପୁଣି, ମୋତେ କୁହାଯାଉଥିବା ଗୋଟିଏ ବାଣୀ ମଧ୍ୟ ମୁଁ ଶୁଣିଲି, ହେ ପିତର, ଉଠ, ବଧ କରି ଭୋଜନ କର । ୮ କିନ୍ତୁ ମୁଁ କହିଲି, ନାହିଁ, ପ୍ରଭୁ ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେହେଲେ ପ୍ରବେଶ କରି ନାହିଁ । ୯ କିନ୍ତୁ ଦ୍ୱିତୀୟ ଥର ଆକାଶରୁ ଗୋଟିଏ ସ୍ୱର ଉତ୍ତର ଦେଲା, ଈଶ୍ୱର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ । ୧୦ ଏହି ପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା । ୧୧ ପୁଣି, ଦେଖନ୍ତୁ, ସେହିକ୍ଷଣି ତିନି ଜଣ ଲୋକ, ଆମ୍ଭେମାନେ ଯେଉଁ ଗୃହରେ ଥିଲୁ, ସେଥିର ସମ୍ମୁଖରେ ଆସି ଠିଆ ହେଲେ, ସେମାନେ କାଇସରିୟାରୁ ମୋ ନିକଟକୁ ପ୍ରେରିତ ହୋଇଥିଲେ । ୧୨ ପୁଣି, କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯିବା ନିମନ୍ତେ ଆତ୍ମା ମୋତେ କହିଲେ । ଆଉ, ଏହି ଛଅ ଜଣ ଭାଇ ମଧ୍ୟ ମୋ ସାଙ୍ଗରେ ଗଲେ, ପୁଣି, ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ଗୃହରେ ପ୍ରବେଶ କଲୁ । ୧୩ ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ, ତାହା ଆମ୍ଭମାନଙ୍କୁ ଜଣାଇଲେ, ସେହି ଦୂତ କିପରି ତାହାଙ୍କ ଗୃହରେ ଠିଆ ହୋଇ କହିଲେ, ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ; ୧୪ ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହି ସବୁ କହିବେ । ୧୫ ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲାପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ । ୧୬ ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ । ୧୭ ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସମୟରେ ଈଶ୍ୱର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ୱରଙ୍କୁ ପ୍ରତିରୋଧ କରି ପାରିଥାନ୍ତି ? ୧୮ ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି ।
ଆନ୍ତିୟଖିଆର ମଣ୍ଡଳୀ
୧୯ ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଲେଶ ହେତୁ ଯେଉଁମାନେ ଛିନ୍ନଭିନ୍ନ ହୋଇ ଯାଇଥିଲେ, ସେମାନେ ଫୈନିକିଆ, ସାଇପ୍ରସ୍ ଓ ଆନ୍ତିୟଖିଆ ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଯିହୂଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁ ନ ଥିଲେ । ୨୦ କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସାଇପ୍ରସ୍ ଓ କୂରୀଣୀୟ ଲୋକ ଆନ୍ତିୟଖିଆକୁ ଗ୍ରୀକ୍‌ମାନଙ୍କ ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ । ୨୧ ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା, ପୁଣି, ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ । ୨୨ ସେମାନଙ୍କ ବିଷୟକ ସମ୍ବାଦ ଯିରୂଶାଲମସ୍ଥ ମଣ୍ଡଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିୟଖିଆ ପର୍ଯ୍ୟନ୍ତ ବର୍ଣ୍ଣବ୍ବାଙ୍କୁ ପ୍ରେରଣ କଲେ । ୨୩ ସେ ଉପସ୍ଥିତ ହୋଇ ଈଶ୍ୱରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ, ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥିନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ; ୨୪ କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି, ପବିତ୍ର ଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ । ଏହି ପ୍ରକାରେ ଅନେକ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ । ୨୫ ପରେ ସେ ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷକୁ ବାହାରିଗଲେ, ୨୬ ପୁଣି, ସେ ତାହାଙ୍କୁ ପାଇ ଆନ୍ତିୟଖିଆକୁ ଘେନି ଆସିଲେ । ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ । ୨୭ ସେହି ସମୟରେ କେତେକ ଜଣ ଭାବବାଦୀ ଯିରୂଶାଲମରୁ ଆନ୍ତିୟଖିଆକୁ ଆସିଲେ । ୨୮ ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ବ୍ୟକ୍ତି ଉଠି ସମୁଦାୟ ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ ବୋଲି ଆତ୍ମାଙ୍କ ଦ୍ୱାରା ଜଣାଇଲେ; ତାହା କ୍ଲାଉଦିଅଙ୍କ ସମୟରେ ଘଟିଲା । ୨୯ ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୂଦା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ, ୩୦ ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ ।