ପ୍ରଥମ ଦର୍ଶନ - ପଙ୍ଗପାଳ
୧ ପ୍ରଭୁ ସଦାପ୍ରଭୁ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ବିଳମ୍ବରେ ଉତ୍ପନ୍ନ ତୃଣ ଅଙ୍କୁରିବା ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ବିଳମ୍ବରେ ଉତ୍ପନ୍ନ ତୃଣ ବଢ଼ୁଥିଲା। ୨ ପୁଣି, ସେହି ପଙ୍ଗପାଳମାନେ ଦେଶର ତୃଣ ଖାଇବାର ଶେଷ କଲା ଉତ୍ତାରେ ମୁଁ କହିଲି,
“ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, କ୍ଷମା କର !
ଯାକୁବ କିପରି ଠିଆ ହେବ ? କାରଣ ସେ ସାନ।”
୩ ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ଏହା ହେବ ନାହିଁ,” ଏହା ସଦାପ୍ରଭୁ କହନ୍ତି।
ଦ୍ୱିତୀୟ ଦର୍ଶନ - ଅଗ୍ନି ଉତ୍ପାତ
୪ ପ୍ରଭୁ ସଦାପ୍ରଭୁ ମୋତେ ଏହିରୂପେ ଦେଖାଇଲେ; ଆଉ ଦେଖ, ପ୍ରଭୁ ସଦାପ୍ରଭୁ ଅଗ୍ନି ଦ୍ୱାରା ବିବାଦ କରିବା ପାଇଁ ଆହ୍ୱାନ କଲେ; ତହିଁରେ ତାହା ମହାସାଗରକୁ ଗ୍ରାସ କଲା, ଆଉ ଭୂମିକୁ ଗ୍ରାସ କରିଥା’ନ୍ତା। ୫ ଏପରି ସମୟରେ ମୁଁ କହିଲି,
“ହେ ପ୍ରଭୁ, ସଦାପ୍ରଭୁ, ବିନୟ କରେ, କ୍ଷାନ୍ତ ହୁଅ;
ଯାକୁବ କିପରି ଠିଆ ହେବ ? କାରଣ ସେ ସାନ।”
୬ ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ତାହା ମଧ୍ୟ ହେବ ନାହିଁ,” ପ୍ରଭୁ ସଦାପ୍ରଭୁ ଏହା କହନ୍ତି।
ତୃତୀୟ ଦର୍ଶନ - ଓଳମ
୭ ସେ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ପ୍ରଭୁ ଆପଣା ହସ୍ତରେ ଓଳମ ଘେନି ଓଳମ ଦ୍ୱାରା ନିର୍ମିତ ଏକ କାନ୍ଥ ନିକଟରେ ଠିଆ ହେଲେ। ୮ ପୁଣି, ସଦାପ୍ରଭୁ ମୋତେ ପଚାରିଲେ, “ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ଗୋଟିଏ ଓଳମ।” ତେବେ ପ୍ରଭୁ କହିଲେ,
“ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲ ମଧ୍ୟରେ ଓଳମ ପକାଇବା;
ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ;
୯ ପୁଣି, ଇସ୍‍ହାକର ଉଚ୍ଚସ୍ଥଳୀସକଳ ଧ୍ୱଂସିତ ହେବ
ଓ ଇସ୍ରାଏଲର ଧର୍ମଧାମସକଳ ବିନଷ୍ଟ ହେବ;
ଆଉ ଆମ୍ଭେ ଖଡ୍ଗ ଘେନି ଯାରବୀୟାମର ବଂଶ ବିରୁଦ୍ଧରେ ଉଠିବା।”
ଆମୋଷଙ୍କ ଦୋଷାରୋପ
୧୦ ଯେତେବେଳେ ବେଥେଲ୍‍ର ଯାଜକ ଅମତ୍‍ସୀୟ ଇସ୍ରାଏଲର ରାଜା ଯାରବୀୟାମଙ୍କ ନିକଟକୁ ଏହି କଥା କହି ପଠାଇଲା, “ଇସ୍ରାଏଲ ବଂଶ ମଧ୍ୟରେ ଆମୋଷ ଆପଣଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଅଛନ୍ତି; ଦେଶ ତାଙ୍କର ବାକ୍ୟସବୁ ସହି ପାରୁ ନାହିଁ।”
୧୧ କାରଣ ଆମୋଷ ଏରୂପ କହୁଅଛନ୍ତି,
“ଯାରବୀୟାମ ଖଡ୍ଗରେ ହତ ହେବ
ଓ ଇସ୍ରାଏଲ ନିଶ୍ଚୟ ଆପଣା ନିଜ ଦେଶରୁ ନିର୍ବାସିତ ହେବ।”
୧୨ ଆହୁରି, ଅମତ୍‍ସୀୟ ଆମୋଷଙ୍କୁ କହିଲା,
“ହେ ଦର୍ଶକ, ତୁମ୍ଭେ ଯାଅ, ଯିହୁଦା ଦେଶକୁ ପଳାଅ,
ସେଠାରେ ଭୋଜନ କର ଓ ସେଠାରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର;
୧୩ ମାତ୍ର ବେଥେଲ୍‍ରେ ପୁନର୍ବାର ଆଉ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ;
କାରଣ ତାହା ରାଜାଙ୍କର ପବିତ୍ର ସ୍ଥାନ ଓ ତାହା ରାଜକୀୟ ଗୃହ ଅଟେ।”
୧୪ ତହିଁରେ ଆମୋଷ ଉତ୍ତର କରି ଅମତ୍‍ସୀୟକୁ କହିଲେ,
“ମୁଁ ଭବିଷ୍ୟଦ୍‍ବକ୍ତା ନ ଥିଲି, କିଅବା କୌଣସି ଭବିଷ୍ୟଦ୍‍ବକ୍ତାଙ୍କ ପୁତ୍ର ନ ଥିଲି;
ମାତ୍ର ମୁଁ ଗୋପାଳକ ଓ ଡିମ୍ବିରି ବୃକ୍ଷର କୃଷକ ଥିଲି;
୧୫ ପୁଣି, ସଦାପ୍ରଭୁ ପଲର ପଶ୍ଚାଦ୍‍ଗମନରୁ ମୋତେ ନେଲେ
ଓ ସଦାପ୍ରଭୁ ମୋତେ କହିଲେ,
ଯାଅ, ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର।”
୧୬ ଏଥିପାଇଁ ଏବେ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
ତୁମ୍ଭେ କହୁଅଛ, ‘ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ
ଓ ଇସ୍‍ହାକ ବଂଶ ବିରୁଦ୍ଧରେ ତୁମ୍ଭର ବାକ୍ୟ ବର୍ଷାଅ ନାହିଁ।’
୧୭ ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି;
“ତୁମ୍ଭର ଭାର୍ଯ୍ୟା ନଗର ମଧ୍ୟରେ ବେଶ୍ୟା ହେବ
ଓ ତୁମ୍ଭର ପୁତ୍ର କନ୍ୟାଗଣ ଖଡ୍ଗରେ ପତିତ ହେବେ,
ଆଉ ତୁମ୍ଭର ଭୂମି ପରିମାପକ ଦଉଡ଼ି ଦ୍ୱାରା ବିଭାଗ କରାଯିବ;
ପୁଣି, ତୁମ୍ଭେ ନିଜେ ଅଶୁଚି ଦେଶରେ ମରିବ,
ଆଉ ଇସ୍ରାଏଲ ନିଶ୍ଚୟ ଆପଣା ଦେଶରୁ ନିର୍ବାସିତ ହେବ।”