୧୧
୧ ପୁଣି, ମାଦୀୟ ଦାରୀୟାବସର ଅଧିକାରର ପ୍ରଥମ ବର୍ଷରେ ଆମ୍ଭେ ତାହାକୁ ସୁସ୍ଥିର ଓ ସବଳ କରିବା ପାଇଁ ଠିଆ ହେଲୁ।
ଉତ୍ତର ଓ ଦକ୍ଷିଣ ଦେଶର ରାଜା
୨ ଏବେ, ଆମ୍ଭେ ତୁମ୍ଭଙ୍କୁ ସତ୍ୟ କଥା ଜଣାଇବା। ଦେଖ, ପାରସ୍ୟରେ ଆଉ ତିନି ରାଜା ଉତ୍ପନ୍ନ ହେବେ ଓ ଚତୁର୍ଥ ରାଜା ସେହି ସମସ୍ତଙ୍କ ଅପେକ୍ଷା ଅଧିକ ଧନଶାଳୀ ହେବ; ଆଉ, ସେ ଆପଣା ଧନରେ ବଳବାନ ହେଲେ ଗ୍ରୀସ୍‍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ। ୩ ତହୁଁ ଏକ ବିକ୍ରମୀ ରାଜା ଉତ୍ପନ୍ନ ହେବ, ସେ ମହାକର୍ତ୍ତୃତ୍ୱରେ ଶାସନ କରିବ ଓ ସ୍ଵେଚ୍ଛାନୁସାରେ କର୍ମ କରିବ। ୪ ଆଉ, ସେ ଉତ୍ପନ୍ନ ହେଲେ ତାହାର ରାଜ୍ୟ ଭଗ୍ନ ହେବ ଓ ଆକାଶର ଚାରି ଦିଗରେ ବିଭକ୍ତ ହେବ; ମାତ୍ର ତାହାର ବଂଶ ନିମନ୍ତେ କିଅବା ତାହାର କର୍ତ୍ତୃତ୍ୱାନୁଯାୟୀ ଶାସନ ନିମନ୍ତେ ନୋହିବ; କାରଣ ସେମାନଙ୍କ ନିମନ୍ତେ ନୁହେଁ, ମାତ୍ର ଅନ୍ୟମାନଙ୍କ ନିମନ୍ତେ ତାହାର ରାଜ୍ୟ ଉତ୍ପାଟିତ ହେବ। ୫ ପୁଣି, ଦକ୍ଷିଣ ଦେଶର (ମିସର) ରାଜା ଶକ୍ତିଶାଳୀ ହେବ କିନ୍ତୁ ତାହାର ଅଧିପତିମାନଙ୍କ ମଧ୍ୟରୁ ଜଣେ ତାହା ଅପେକ୍ଷା ଅଧିକ ବଳବାନ ହୋଇ କର୍ତ୍ତୃତ୍ୱ ପ୍ରାପ୍ତ ହେବ; ତାହାର ରାଜ୍ୟ ଏକ ବୃହତ୍‍ ରାଜ୍ୟ ହେବ। ୬ ମାତ୍ର କେତେକ ବର୍ଷର ଉତ୍ତାରେ ସେମାନେ ପରସ୍ପର ମିଳିତ ହେବେ ଓ ଦକ୍ଷିଣ ଦେଶସ୍ଥ ରାଜାର କନ୍ୟା ନିୟମ ସ୍ଥାପନାର୍ଥେ ଉତ୍ତର ଦେଶସ୍ଥ ରାଜାର ନିକଟକୁ ଆସିବ; ମାତ୍ର କନ୍ୟା ନିଜ ବାହୁବଳ ରକ୍ଷା କରିବ ନାହିଁ; କିଅବା ରାଜା ଓ ତାହାର ବାହୁ ସ୍ଥାୟୀ ନୋହିବ; ମାତ୍ର ସେ କନ୍ୟା ଓ ଯେଉଁମାନେ ତାହାକୁ ଆଣିଲେ ଓ ଯେ ତାହାକୁ ଜନ୍ମ କଲା, ଆଉ ସେହି ସମୟରେ ଯେ ତାହାକୁ ବଳ ଦେଲା, ସମସ୍ତେ ସମର୍ପିତ ହେବେ। ୭ ମାତ୍ର କନ୍ୟାର ମୂଳର ଏକ ପଲ୍ଲବରୁ ଜଣେ ସ୍ୱସ୍ଥାନରେ ଉତ୍ପନ୍ନ ହେବ, ସେ ସୈନ୍ୟଶ୍ରେଣୀକୁ ଆସି ଉତ୍ତର ଦେଶୀୟ ରାଜାର ଦୁର୍ଗରେ ପ୍ରବେଶ କରିବ ଓ ସେମାନଙ୍କର ବିପକ୍ଷାଚରଣ କରି ଜୟଯୁକ୍ତ ହେବ; ୮ ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ। ୯ ପୁଣି, ସେ ଦକ୍ଷିଣ ଦେଶୀୟ ରାଜାର ରାଜ୍ୟକୁ ଆସିବ, ମାତ୍ର ଆପଣା ଦେଶକୁ ସେ ଫେରିଯିବ। ୧୦ ଆଉ, ତାହାର ପୁତ୍ରଗଣ ଯୁଦ୍ଧ କରିବେ ଓ ମହା-ସୈନିକ ଜନତା ସଂଗ୍ରହ କରିବେ, ସେମାନେ ଆସି ବଢ଼ି ତୁଲ୍ୟ ଉଚ୍ଛୁଳି ବହି ଚାଲି ଯିବେ; ଆଉ, ସେମାନେ ଫେରି ତାହାର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ। ୧୧ ତହିଁରେ ଦକ୍ଷିଣ ଦେଶର ରାଜା କ୍ରୋଧାନ୍ବିତ ହୋଇ ଉତ୍ତର ଦେଶୀୟ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବ; ତହିଁରେ ସେ (ଉତ୍ତର ଦେଶୀୟ ରାଜା) ମହାଜନତା ସଂଗ୍ରହ କରିବ, ମାତ୍ର ସେହି ଜନତା ତାହାର (ଦକ୍ଷିଣ ଦେଶର ରାଜାଙ୍କ) ହସ୍ତରେ ସମର୍ପିତ ହେବ। ୧୨ ପୁଣି, ସେହି ଜନତା ଉତ୍‍ଥାପିତ ହେଲେ, ତାହାର ଚିତ୍ତ ଗର୍ବିତ ହେବ ଓ ସେ ଅୟୁତ ଅୟୁତ ଲୋକଙ୍କୁ ନିପାତ କରିବ; ତଥାପି ସେ ଜୟଯୁକ୍ତ ନୋହିବ। ୧୩ ଆଉ, ଉତ୍ତର ଦେଶର ରାଜା ଫେରି ପୂର୍ବ ଅପେକ୍ଷା ଏକ ବୃହତ୍‍ ଜନତା ସଂଗ୍ରହ କରିବ; ପୁଣି ସେ, କାଳର ଅର୍ଥାତ୍‍, ବର୍ଷମାନର ଶେଷରେ ମହାସୈନ୍ୟ ଓ ଅପାର ସାମଗ୍ରୀ ନେଇ ଆସିବ। ୧୪ ପୁଣି, ସେହି ସମୟରେ ଅନେକ ଲୋକ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଉଠିବେ; ମଧ୍ୟ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଅତ୍ୟାଚାରୀଗଣର ସନ୍ତାନମାନେ ଏହି ଦର୍ଶନ ସଫଳାର୍ଥେ ଆପଣାମାନଙ୍କୁ ଉନ୍ନତ କରିବେ; ମାତ୍ର ସେମାନେ ପତିତ ହେବେ। ୧୫ ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ; ତହିଁରେ ଦକ୍ଷିଣ ଦେଶର ସହାୟଗଣ ଓ ମନୋନୀତ ଲୋକମାନେ ପ୍ରତିବାଧା ଦେଇ ପାରିବେ ନାହିଁ; କିଅବା ପ୍ରତିବାଧା କରିବା ପାଇଁ କୌଣସି ଶକ୍ତି ରହିବ ନାହିଁ। ୧୬ ମାତ୍ର ଯେ ତାହାର ବିରୁଦ୍ଧରେ ଆସିବ, ସେ ସ୍ଵେଚ୍ଛାନୁସାରେ କାର୍ଯ୍ୟ କରିବ ଓ ତାହା ସାକ୍ଷାତରେ କେହି ଠିଆ ହେବ ନାହିଁ; ଆଉ, ସେ ରମ୍ୟ (ଇସ୍ରାଏଲ) ଦେଶରେ ଠିଆ ହେବ ଓ ତାହାର ହସ୍ତରେ ବିନାଶ ରହିବ। ୧୭ ପୁଣି, ସେ ଆପଣା ସମୁଦାୟ ରାଜ୍ୟର ପରାକ୍ରମ ସହିତ ଆସିବା ପାଇଁ ଆପଣା ମନସ୍ଥ କରିବ ଓ ସରଳ ଲୋକମାନେ ତାହା ସଙ୍ଗରେ ଆସିବେ; ସେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରିବ; ସେ ନଷ୍ଟ କରିବା ପାଇଁ ନାରୀଗଣର କନ୍ୟା ତାହାକୁ ଦେବ; ମାତ୍ର କନ୍ୟା ସ୍ଥିର ରହିବ ନାହିଁ, କିଅବା ତାହା ପାଇଁ ହେବ ନାହିଁ। ୧୮ ଏଥିଉତ୍ତାରେ ସେ ଦ୍ୱୀପଗଣର ବିରୁଦ୍ଧରେ ଯାଇ ଅନେକଙ୍କୁ ହସ୍ତଗତ କରିବ; ମାତ୍ର ଜଣେ ଅଧିପତି ତାହାର କୃତ ଅପମାନ ନିବୃତ କରାଇବ; ଆହୁରି, ସେ ତାହାର ଅପମାନ ତାହା ଉପରେ ବର୍ତ୍ତାଇବ। ୧୯ ତହୁଁ ସେ ଆପଣା ଦେଶର ଦୁର୍ଗସକଳର ଆଡ଼େ ଫେରିବ; ମାତ୍ର ସେ ଝୁଣ୍ଟି ପତିତ ହେବ; ପୁଣି, ଦେଖାଯିବ ନାହିଁ। ୨୦ ଏଥିଉତ୍ତାରେ ଯେଉଁ ଜନ ତାହାର ପଦ ପ୍ରାପ୍ତ ହେବ, ସେ ରାଜ୍ୟର ଶୋଭା ସ୍ଥାନର ମଧ୍ୟ ଦେଇ ଯିବା ପାଇଁ ଜଣେ ପ୍ରଜାପୀଡ଼କକୁ ପ୍ରେରଣ କରିବ; ମାତ୍ର ଅଳ୍ପ ଦିନ ମଧ୍ୟରେ ସେ ବିନଷ୍ଟ ହେବ, ମାତ୍ର କ୍ରୋଧରେ ନୁହେଁ, କିଅବା ଯୁଦ୍ଧରେ ନୁହେଁ। ୨୧ ପୁଣି, ଯାହାକୁ ସେମାନେ ରାଜାର ସମ୍ମାନ ଦେଇ ନ ଥିଲେ, ଏପରି ଜଣେ ତୁଚ୍ଛ ଲୋକ ତାହାର ପଦ ପ୍ରାପ୍ତ ହେବ; ମାତ୍ର ସେ ନିଶ୍ଚିନ୍ତ ସମୟରେ ଆସିବ ଓ ଚାଟୁବାକ୍ୟ ଦ୍ୱାରା ରାଜ୍ୟ ପାଇବ। ୨୨ ଆଉ, ପ୍ଲାବନରୂପ ସୈନ୍ୟଦଳ ଦ୍ୱାରା ସେମାନେ ତାହା ସମ୍ମୁଖରୁ ବହି ଯିବେ ଓ ଭଗ୍ନ ହେବେ; ହଁ, ନିୟମର ଅଧିପତି ମଧ୍ୟ ଭଗ୍ନ ହେବ। ୨୩ ପୁଣି, ତାହାର ସହିତ ଚୁକ୍ତି ସ୍ଥିର କରାଗଲା ପରେ ସେ ପ୍ରତାରଣାପୂର୍ବକ କାର୍ଯ୍ୟ କରିବ; କାରଣ ସେ ଆସି ଅଳ୍ପ ଲୋକ ଦ୍ୱାରା ପରାକ୍ରମୀ ହେବ। ୨୪ ସେ ନିଶ୍ଚିନ୍ତ ସମୟରେ ଦେଶର ଅତ୍ୟୁତ୍ତମ ସ୍ଥାନରେ ପ୍ରବେଶ କରିବ ଓ ତାହାର ପିତୃ ଓ ପିତାମହଗଣ ଯାହା କରି ନ ଥିଲେ, ତାହା ସେ କରିବ; ସେ ସେମାନଙ୍କ ମଧ୍ୟରେ ଲୁଟିତ ଦ୍ରବ୍ୟ ଓ ଅପହୃତ ବସ୍ତୁ ଓ ଧନ ବିଞ୍ଚି ଦେବ ଓ ଦୃଢ଼ ଗଡ଼ସକଳର ବିରୁଦ୍ଧରେ ସେ କିଛିକାଳ କୌଶଳ କଳ୍ପନା କରିବ। ୨୫ ପୁଣି, ସେ ମହାସୈନ୍ୟଦଳ ସଙ୍ଗେ ନେଇ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଆପଣା ବଳ ଓ ସାହସ ଉତ୍ତେଜିତ କରିବ; ତହିଁରେ ଦକ୍ଷିଣ ଦେଶର ରାଜା ଅତି ବୃହତ୍‍ ଓ ପରାକ୍ରାନ୍ତ ସୈନ୍ୟ ଘେନି ତାହା ସଙ୍ଗେ ଯୁଦ୍ଧ କରିବ; ମାତ୍ର ସେ ସ୍ଥିର ହୋଇ ରହିବ ନାହିଁ; କାରଣ ସେମାନେ ତାହା ବିରୁଦ୍ଧରେ ନାନା କୌଶଳ କଳ୍ପନା କରିବେ। ୨୬ ଯେଉଁମାନେ ତାହାର ଆହାର ଭୋଜନ କରନ୍ତି, ସେମାନେ ତାହାକୁ ବିନାଶ କରିବେ, ପୁଣି ତାହାର ସୈନ୍ୟଦଳ ବହି ଯିବେ ଓ ଅନେକେ ହତ ହୋଇ ପଡ଼ିବେ। ୨୭ ପୁଣି, ଏହି ଦୁଇ ରାଜାର ଚିତ୍ତ ଅନିଷ୍ଟ କରିବାକୁ ପ୍ରବୃତ୍ତ ହେବ ଓ ସେମାନେ ଏକ ମେଜରେ ବସି ମିଥ୍ୟା କଥା କହିବେ; ମାତ୍ର ତାହା ସଫଳ ନୋହିବ; କାରଣ ସେତେବେଳେ ହେଁ ପରିଣାମ ନିରୂପିତ କାଳର ଅପେକ୍ଷା କରିବ। ୨୮ ସେତେବେଳେ ସେ ଅନେକ ସମ୍ପତ୍ତି ନେଇ ଆପଣା ଦେଶକୁ ଫେରି ଯିବ ଓ ତାହାର ଚିତ୍ତ ପବିତ୍ର ନିୟମର ପ୍ରତିଫଳ ହେବ; ଆଉ, ସେ ସ୍ଵେଚ୍ଛାମତ କର୍ମ କରି ଆପଣା ଦେଶକୁ ଫେରି ଯିବ। ୨୯ ନିରୂପିତ କାଳରେ ସେ ଫେରି ଦକ୍ଷିଣ ଦେଶରେ ପ୍ରବେଶ କରିବ; ମାତ୍ର ପୂର୍ବ କାଳରେ ଯେପରି ହୋଇଥିଲା, ଶେଷ କାଳରେ ସେପରି ନୋହିବ। ୩୦ କାରଣ କିତ୍ତୀମର ଜାହାଜସକଳ ତାହାର ବିରୁଦ୍ଧରେ ଆସିବ, ଏଥିପାଇଁ ସେ ଦୁଃଖିତ ହୋଇ ଫେରି ଯିବ ଓ ପବିତ୍ର ନିୟମର ପ୍ରତିକୂଳରେ କ୍ରୋଧ କରି ସ୍ଵେଚ୍ଛାମତ କାର୍ଯ୍ୟ କରିବ; ସେ ଫେରି ଯିବ ଓ ପବିତ୍ର ନିୟମତ୍ୟାଗୀ ଲୋକମାନଙ୍କ ପ୍ରତି ମନୋଯୋଗ କରିବ। ୩୧ ଆଉ, ତାହାର ପକ୍ଷସ୍ଥ ସୈନ୍ୟଗଣ ଉଠି ଧର୍ମଧାମ, ଅର୍ଥାତ୍‍, ଦୁର୍ଗ ଅଶୁଚି କରିବେ ଓ ନିତ୍ୟ ନୈବେଦ୍ୟ ନିବୃତ୍ତ କରିବେ, ଆଉ ସର୍ବନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରିବେ। ୩୨ ପୁଣି, ଯେଉଁମାନେ ନିୟମର ପ୍ରତିକୂଳରେ ଦୁଷ୍ଟାଚରଣ କରନ୍ତି, ସେ ଚାଟୁବାକ୍ୟ ଦ୍ୱାରା ସେମାନଙ୍କୁ ବିପଥଗାମୀ କରାଇବ; ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ୱରଙ୍କୁ ଜାଣନ୍ତି, ସେମାନେ ବଳବାନ ହେବେ ଓ ମହତ୍‍ କର୍ମ କରିବେ। ୩୩ ଆଉ, ଲୋକମାନଙ୍କ ମଧ୍ୟରେ ଜ୍ଞାନୀମାନେ ଅନେକଙ୍କୁ ଉପଦେଶ ଦେବେ; ତଥାପି ଅନେକ ଦିନ ପର୍ଯ୍ୟନ୍ତ ସେମାନେ ଖଡ୍ଗରେ, ଅଗ୍ନିଶିଖାରେ, ବନ୍ଦୀଦଶାରେ ଓ ଲୁଟରେ ପତିତ ହେବେ। ୩୪ ଯେତେବେଳେ ସେମାନେ ପତିତ ହେବେ, ସେତେବେଳେ ସେମାନେ ଅଳ୍ପ ସାହାଯ୍ୟ ପ୍ରାପ୍ତ ହେବେ; ମାତ୍ର ଅନେକେ ଚାଟୁବାକ୍ୟ ଦ୍ୱାରା ସେମାନଙ୍କ ସହିତ ଯୋଗ ଦେବେ। ୩୫ ପୁଣି, ସେମାନଙ୍କ ମଧ୍ୟରେ ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ପରିଣାମର ସମୟ ପର୍ଯ୍ୟନ୍ତ ପତିତ ହେବେ; କାରଣ ତାହା ନିରୂପିତ କାଳର ଅପେକ୍ଷା କରେ। ୩୬ ଆଉ, ରାଜା ଆପଣା ଇଚ୍ଛାନୁସାରେ କର୍ମ କରିବ ଓ ସକଳ ଦେବତା ଅପେକ୍ଷା ଆପଣାକୁ ବଡ଼ କରି ଦର୍ପ କରିବ, ପୁଣି ଈଶ୍ୱରଗଣର ଈଶ୍ୱରଙ୍କ ବିରୁଦ୍ଧରେ ଅଦ୍ଭୁତ କଥା କହିବ ଓ କ୍ରୋଧ ସଫଳ ହେବା ପର୍ଯ୍ୟନ୍ତ ସମୃଦ୍ଧି ହେବ; କାରଣ ଯାହା ନିରୂପିତ ହୋଇଅଛି, ତାହା କରାଯିବ। ୩୭ ସେ ଆପଣା ପୂର୍ବପୁରୁଷଗଣର ଦେବତାମାନଙ୍କୁ ମାନିବ ନାହିଁ; ଅଥବା ସ୍ତ୍ରୀମାନଙ୍କ ବାଞ୍ଛାକୁ କିଅବା କୌଣସି ଦେବତାକୁ ମାନିବ ନାହିଁ; କାରଣ ସେ ସମସ୍ତଙ୍କ ଅପେକ୍ଷା ଆପଣାକୁ ବଡ଼ କରିବ। ୩୮ ମାତ୍ର ଆପଣା ସ୍ଥାନରେ ସେ ଦୁର୍ଗର ଦେବତାକୁ ସମ୍ମାନ କରିବ ଓ ତାହାର ପିତୃଗଣର ଅଜ୍ଞାତ ଦେବତାକୁ ସୁନା, ରୂପା, ବହୁମୂଲ୍ୟ ପ୍ରସ୍ତର ଓ ମନୋହର ଦ୍ରବ୍ୟ ଦେଇ ସମ୍ମାନ କରିବ। ୩୯ ପୁଣି, ସେ ବିଦେଶୀୟ ଦେବତାର ସାହାଯ୍ୟରେ ଦୃଢ଼ତମ ଦୁର୍ଗମାନର ପ୍ରତିକୂଳରେ କାର୍ଯ୍ୟ କରିବ, ଯେକେହି ତାହାକୁ ସ୍ୱୀକାର କରିବ, ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନେକଙ୍କ ଉପରେ ସେମାନଙ୍କୁ କର୍ତ୍ତୃତ୍ୱ ପଦ ଦେବ ଓ ପାରିତୋଷିକ ରୂପେ ଭୂମି ବିଭାଗ କରିବ। ୪୦ ଆଉ, ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ ଓ ଉତ୍ତର ଦେଶର ରାଜା ରଥ, ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁ ତୁଲ୍ୟ ଆସିବ ଓ ସେ ନାନା ଦେଶ ମଧ୍ୟରେ ପ୍ରବେଶ କରି ବଢ଼ି ତୁଲ୍ୟ ପ୍ଲାବନ କରି ବହିଯିବ। ୪୧ ସେ ମଧ୍ୟ ରମ୍ୟ (ଇସ୍ରାଏଲ) ଦେଶରେ ପ୍ରବେଶ କରିବ, ତହିଁରେ ଅନେକ ଦେଶ ପରାସ୍ତ ହେବ; ମାତ୍ର ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣର ଶ୍ରେଷ୍ଠାଂଶ ତାହାର ହସ୍ତରୁ ରକ୍ଷା ପାଇବେ। ୪୨ ଆହୁରି, ସେ ନାନା ଦେଶ ଉପରେ ଆପଣା ହସ୍ତ ପ୍ରସାରିବ ଓ ମିସର ଦେଶ ରକ୍ଷା ପାଇବ ନାହିଁ। ୪୩ ମାତ୍ର ମିସରର ସୁନା ଓ ରୂପାର ଭଣ୍ଡାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟସକଳ ତାହାର ହସ୍ତଗତ ହେବ; ଆଉ, ଲୂବୀୟ ଓ କୂଶୀୟମାନେ ତାହାର ଅନୁଚର ହେବେ। ୪୪ ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉଦ୍‍ବିଗ୍ନ କରିବ; ତହିଁରେ ସେ ଅନେକଙ୍କୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ପାଇଁ ମହାକୋପରେ ଯାତ୍ରା କରିବ। ୪୫ ପୁଣି, ସେ ସମୁଦ୍ର ଓ ରମ୍ୟ ପବିତ୍ର ପର୍ବତର ମଧ୍ୟରେ ଆପଣା ରାଜକୀୟ ତମ୍ବୁ ସ୍ଥାପନ କରିବ; ତଥାପି ତାହାର ଅନ୍ତିମ କାଳ ଉପସ୍ଥିତ ହେବ, ଆଉ କେହି ତାହାର ସାହାଯ୍ୟ କରିବ ନାହିଁ।