ଦେବ ପୂଜକଙ୍କ ସଂହାର
୧ ତେବେ ସେ ଉଚ୍ଚସ୍ୱରରେ ମୋ’ କର୍ଣ୍ଣରେ ଏହି କଥା କହିଲେ, “ତୁମ୍ଭେମାନେ ନଗରରେ ନିଯୁକ୍ତ କର୍ମଚାରୀମାନଙ୍କୁ ନିକଟକୁ ଅଣାଅ, ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ।” ୨ ଏଥିରେ ଦେଖ, ଉତ୍ତର ଦିଗସ୍ଥ ଉଚ୍ଚତର ଦ୍ୱାରର ପଥରୁ ଛଅ ଜଣ ପୁରୁଷ ଆସିଲେ, ସେମାନଙ୍କର ପ୍ରତ୍ୟେକର ହସ୍ତରେ ସଂହାରକ ଅସ୍ତ୍ର ଥିଲା ଓ ସେମାନଙ୍କର ମଧ୍ୟସ୍ଥାନରେ ଶୁକ୍ଳବସ୍ତ୍ର ପରିହିତ ଏକ ପୁରୁଷ ଥିଲେ, ତାଙ୍କର ପାର୍ଶ୍ୱରେ ଲେଖକର କାଳୀଘଡ଼ି ଥିଲା। ପୁଣି, ସେମାନେ ଭିତରକୁ ଯାଇ ପିତ୍ତଳମୟ ଯଜ୍ଞବେଦିର ପାର୍ଶ୍ୱରେ ଠିଆ ହେଲେ। ୩ ପୁଣି, ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଯେଉଁ କିରୂବର ଉପରେ ଥିଲା, ତାହା ତାହାଠାରୁ ଉଠି ଗୃହର ଏରୁଣ୍ଡି ନିକଟକୁ ଯାଇଥିଲା; ଆଉ, ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳୀଘଡ଼ିଧାରୀ ପୁରୁଷକୁ ଡାକିଲେ। ୪ ପୁଣି, ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭେ ନଗରର ମଧ୍ୟ ଦେଇ, ଯିରୂଶାଲମର ମଧ୍ୟ ଦେଇ ଯାଅ ଓ ତହିଁ ମଧ୍ୟରେ କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ ଯେଉଁ ଲୋକମାନେ ଦୀର୍ଘ ନିଃଶ୍ୱାସ ଛାଡ଼ନ୍ତି ଓ କାତରୋକ୍ତି କରନ୍ତି, ସେମାନଙ୍କର କପାଳରେ ଚିହ୍ନ ଦିଅ।” ୫ ଆଉ, ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣଗୋଚରରେ କହିଲେ, “ତୁମ୍ଭେମାନେ ତାହାର ପଛେ ପଛେ ନଗର ମଧ୍ୟକୁ ଯାଇ ସଂହାର କର; ଚକ୍ଷୁଲଜ୍ଜା କି ଦୟା କର ନାହିଁ। ୬ ବୃଦ୍ଧ, ଯୁବା, କୁମାରୀ, ଶିଶୁ ଓ ସ୍ତ୍ରୀଲୋକ ସମସ୍ତଙ୍କୁ ନିଃଶେଷ ରୂପେ ବଧ କର; ମାତ୍ର ଯେଉଁମାନଙ୍କଠାରେ ଚିହ୍ନ ଅଛି, ସେମାନଙ୍କ ନିକଟକୁ ଯାଅ ନାହିଁ; ଆଉ, ଆମ୍ଭର ଧର୍ମଧାମଠାରୁ ଆରମ୍ଭ କର।” ତହିଁରେ ସେମାନେ ଗୃହର ସମ୍ମୁଖସ୍ଥିତ ପ୍ରାଚୀନଗଣଠାରୁ ଆରମ୍ଭ କଲେ। ୭ ପୁଣି, ସେ ସେମାନଙ୍କୁ କହିଲେ, “ଗୃହ ଅଶୁଚି କର ଓ ହତ ଲୋକରେ ପ୍ରାଙ୍ଗଣସବୁ ପରିପୂର୍ଣ୍ଣ କର; ତୁମ୍ଭେମାନେ ବାହାରି ଯାଅ।” ତହିଁରେ ସେମାନେ ବାହାରି ଯାଇ ନଗର ମଧ୍ୟରେ ସଂହାର କଲେ। ୮ ଆଉ, ସେମାନେ ଯେତେବେଳେ ସଂହାର କରୁଥିଲେ, ସେତେବେଳେ ମୁଁ ଅବଶିଷ୍ଟ ରହିଲି, ତହିଁରେ ମୁଁ ଉବୁଡ଼ ହୋଇ କ୍ରନ୍ଦନ କରି କହିଲି, “ଆହା, ପ୍ରଭୁ, ସଦାପ୍ରଭୁ ! ତୁମ୍ଭେ କି ଯିରୂଶାଲମ ଉପରେ ଆପଣା କୋପ ଢାଳି ଦେଇ ଇସ୍ରାଏଲର ସମୁଦାୟ ଅବଶିଷ୍ଟାଂଶକୁ ବିନାଶ କରିବ ?” ୯ ତହିଁରେ ସେ ମୋତେ କହିଲେ, “ଇସ୍ରାଏଲ ଓ ଯିହୁଦା ବଂଶର ଅଧର୍ମ ଅତ୍ୟନ୍ତ ବଡ଼ ଓ ଦେଶ ରକ୍ତରେ ପରିପୂର୍ଣ୍ଣ, ଆଉ ନଗର ଅନ୍ୟାୟ ବିଚାରରେ ପରିପୂର୍ଣ୍ଣ ହୋଇଅଛି; କାରଣ ସେମାନେ କହନ୍ତି, ସଦାପ୍ରଭୁ ପୃଥିବୀକୁ ତ୍ୟାଗ କରିଅଛନ୍ତି ଓ ସଦାପ୍ରଭୁ ଦେଖନ୍ତି ନାହିଁ। ୧୦ ଏହେତୁ ଆମ୍ଭେ ମଧ୍ୟ ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଦୟା କରିବା ନାହିଁ, ମାତ୍ର ଆମ୍ଭେ ସେମାନଙ୍କ ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା।” ୧୧ ଏଉତ୍ତାରେ ଦେଖ, ଶୁକ୍ଳବସ୍ତ୍ର ପରିହିତ ଓ ଆପଣା ପାର୍ଶ୍ୱରେ କାଳୀଘଡ଼ିଧାରୀ ସେହି ପୁରୁଷ ସମ୍ବାଦ ଦେଇ କହିଲେ, “ଆପଣ ଆମ୍ଭକୁ ଯେପରି ଆଜ୍ଞା କଲେ, ଆମ୍ଭେ ସେହିପରି କରିଅଛୁ।”