୨୬
ସୋର ବିରୁଦ୍ଧରେ ଭବିଷ୍ୟଦ୍‍ବାଣୀ
୧ ଏଥିଉତ୍ତାରେ ଏକାଦଶ ବର୍ଷର ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ, ୨ “ହେ ମନୁଷ୍ୟ-ସନ୍ତାନ, ଯିରୂଶାଲମ ବିରୁଦ୍ଧରେ ସୋର ସହର କହିଅଛି, ଭଲ ହେଲା, ଭଲ ହେଲା, ଯେ ଗୋଷ୍ଠୀୟମାନଙ୍କର ନଗର-ଦ୍ୱାର ସ୍ୱରୂପ ଥିଲା, ସେ ଭଗ୍ନ ହୋଇ ଯାଇଅଛି; ସେ ଆମ୍ଭ ପ୍ରତି ଫେରିଅଛି; ସେ ଏବେ ଶୂନ୍ୟ ହେବାରୁ ଆମ୍ଭେ ପରିପୂର୍ଣ୍ଣ ହେବା; ୩ ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସୋର, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ସମୁଦ୍ର ଯେପରି ତରଙ୍ଗ ଉଠାଏ, ସେହିପରି ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅନେକ ଗୋଷ୍ଠୀଙ୍କୁ ଉଠାଇବା। ୪ ତହିଁରେ ସେମାନେ ସୋରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗସବୁ ଭାଙ୍ଗି ପକାଇବେ, ଆମ୍ଭେ ମଧ୍ୟ ତାହାର ଧୂଳିସବୁ ଚାଞ୍ଛି ପକାଇ ତାକୁ ଶୁଷ୍କ ଶୈଳ କରିବା। ୫ ସେ ସମୁଦ୍ର ମଧ୍ୟରେ ଜାଲ ପ୍ରସାରିବାର ସ୍ଥାନ ହେବ; କାରଣ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ; ଆଉ, ସେ ଗୋଷ୍ଠୀୟମାନଙ୍କ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ। ୬ ପୁଣି, କ୍ଷେତ୍ରସ୍ଥିତ ତାହାର କନ୍ୟାଗଣ ଖଡ୍ଗରେ ହତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ। ୭ କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଉତ୍ତର ଦିଗରୁ ଅଶ୍ୱ, ରଥ, ଅଶ୍ୱାରୋହୀଗଣ, ସମାଜ ଓ ଅନେକ ଲୋକ ସହିତ ରାଜାଧିରାଜ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ସୋର ବିରୁଦ୍ଧରେ ଆଣିବା। ୮ ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣକୁ ଖଡ୍ଗରେ ବଧ କରିବ; ଆଉ, ସେ ତୁମ୍ଭ ବିରୁଦ୍ଧରେ ଦୁର୍ଗ ନିର୍ମାଣ କରିବ, ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ। ୯ ପୁଣି, ସେ ତୁମ୍ଭ ପ୍ରାଚୀରରେ ଦୁର୍ଗଭେଦକ ଯନ୍ତ୍ର ସ୍ଥାପନ କରିବ ଓ ତାହାର ଅସ୍ତ୍ରଶସ୍ତ୍ର ଦ୍ୱାରା ସେ ତୁମ୍ଭର ଗଡ଼ସବୁ ଭାଙ୍ଗି ପକାଇବ। ୧୦ ତାହାର ଅଶ୍ୱଗଣର ବାହୁଲ୍ୟ ସକାଶୁ ସେମାନଙ୍କର ଧୂଳି ତୁମ୍ଭକୁ ଆଚ୍ଛାଦନ କରିବ; ଲୋକେ ଭଗ୍ନ ପ୍ରାଚୀର ବିଶିଷ୍ଟ ନଗରରେ ପ୍ରବେଶ କଲା ପରି, ଯେତେବେଳେ ସେ ତୁମ୍ଭ ନଗର-ଦ୍ୱାରରେ ପ୍ରବେଶ କରିବ, ସେତେବେଳେ ଅଶ୍ୱାରୋହୀଗଣର, ଶଗଡ଼ ଓ ରଥସମୂହର ଶବ୍ଦରେ ତୁମ୍ଭର ପ୍ରାଚୀରସବୁ କମ୍ପି ଉଠିବ। ୧୧ ସେ ଆପଣା ଅଶ୍ୱଗଣର ଖୁରାରେ ତୁମ୍ଭର ସଡ଼କସବୁ ଦଳି ପକାଇବ; ସେ ତୁମ୍ଭ ଲୋକମାନଙ୍କୁ ଖଡ୍ଗରେ ବଧ କରିବ ଓ ତୁମ୍ଭର ପରାକ୍ରମସୂଚକ ସ୍ତମ୍ଭସକଳ ଭୂମିସାତ୍‍ କରିବ। ୧୨ ପୁଣି, ସେମାନେ ତୁମ୍ଭ ସମ୍ପତ୍ତିସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ; ଆଉ, ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହସବୁ ଧ୍ୱଂସ କରିବେ; ଆଉ, ସେମାନେ ତୁମ୍ଭର ପ୍ରସ୍ତର, କାଷ୍ଠ ଓ ଧୂଳିସବୁ ଜଳରେ ନିକ୍ଷେପ କରିବେ। ୧୩ ପୁଣି, ଆମ୍ଭେ ତୁମ୍ଭର ଗାୟନ ଶବ୍ଦ ନିବୃତ୍ତ କରାଇବା ଓ ତୁମ୍ଭ ବୀଣାର ଧ୍ୱନି ଆଉ ଶୁଣାଯିବ ନାହିଁ। ୧୪ ପୁଣି, ଆମ୍ଭେ ତୁମ୍ଭକୁ ଶୁଷ୍କ ଶୈଳ କରିବା; ତୁମ୍ଭେ ଜାଲ ପ୍ରସାରିବାର ସ୍ଥାନ ହେବ; ତୁମ୍ଭେ ଆଉ ନିର୍ମିତ ନୋହିବ କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। ୧୫ ପ୍ରଭୁ, ସଦାପ୍ରଭୁ ସୋରକୁ ଏହି କଥା କହନ୍ତି; “ଯେତେବେଳେ ତୁମ୍ଭ ମଧ୍ୟରେ ଆହତ ଲୋକମାନେ କାତରୋକ୍ତି କରିବେ ଓ ସଂହାର ହେବ, ତୁମ୍ଭର ସେହି ପତନ ସମୟର ଶବ୍ଦରେ କିମ୍ବା ଦ୍ୱୀପସମୂହ କମ୍ପିବେ ନାହିଁ ? ୧୬ ସେତେବେଳେ ସମୁଦ୍ରର ଅଧିପତିସକଳ ଆପଣା ଆପଣା ସିଂହାସନରୁ ଓହ୍ଲାଇବେ ଓ ଆପଣା ଆପଣା ଚୋଗା ତ୍ୟାଗ କରି ଶିଳ୍ପକର୍ମର ବସ୍ତ୍ର ଫିଟାଇ ପକାଇବେ; ସେମାନେ ତ୍ରାସରୂପ ବସ୍ତ୍ର ପରିଧାନ କରିବେ; ସେମାନେ ଭୂମିରେ ବସିବେ ଓ ଅନୁକ୍ଷଣ ତ୍ରାସଯୁକ୍ତ ହେବେ ଓ ତୁମ୍ଭ ବିଷୟରେ ବିସ୍ମିତ ହେବେ। ୧୭ ପୁଣି, ସେମାନେ ତୁମ୍ଭ ବିଷୟରେ ବିଳାପ କରି ତୁମ୍ଭକୁ କହିବେ, ହେ ସମୁଦ୍ର ବ୍ୟବସାୟୀମାନଙ୍କର ନିବାସଭୂମି ପ୍ରସିଦ୍ଧ ନଗରୀ, ତୁମ୍ଭେ କିପରି ବିନଷ୍ଟ ହୋଇଅଛ ! ସେ ତ ସମୁଦ୍ରରେ ପରାକ୍ରାନ୍ତ ଥିଲା; ସେ ଓ ତାହାର ନିବାସୀଗଣ ସେଠାରେ ଗତାୟାତକାରୀ ସମସ୍ତଙ୍କ ପ୍ରତି ଭୟଜନକ ଥିଲେ। ୧୮ ଏବେ ତୁମ୍ଭର ପତନ ଦିନରେ ଦ୍ୱୀପସମୂହ କମ୍ପମାନ ହେବେ; ହଁ, ତୁମ୍ଭ ପ୍ରସ୍ଥାନରେ ସମୁଦ୍ରବର୍ତ୍ତୀ ଦ୍ୱୀପସବୁ ବିହ୍ୱଳ ହେବେ। ୧୯ କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସମୟରେ ଆମ୍ଭେ ତୁମ୍ଭକୁ ନିବାସୀବିହୀନ ନଗରସମୂହର ତୁଲ୍ୟ ଉଚ୍ଛିନ୍ନ-ନଗର କରିବା; ଯେଉଁ ସମୟରେ ଆମ୍ଭେ ଗଭୀର ସାଗରକୁ ତୁମ୍ଭ ଉପରକୁ ଆଣିବା ଓ ମହାଜଳରାଶି ତୁମ୍ଭକୁ ଆଚ୍ଛାଦନ କରିବ : ୨୦ ସେହି ସମୟରେ ଆମ୍ଭେ ଗର୍ତ୍ତଗାମୀମାନଙ୍କ ସହିତ, ପୁରାତନ କାଳର ଲୋକମାନଙ୍କ ନିକଟକୁ ତୁମ୍ଭକୁ ଓହ୍ଲାଇ ଆଣିବା ଓ ପୃଥିବୀର ଅଧୋଭାଗରେ, ଚିରକାଳରୁ ଉତ୍ସନ୍ନ ସ୍ଥାନମାନଙ୍କରେ ଗର୍ତ୍ତଗାମୀମାନଙ୍କ ସଙ୍ଗରେ ତୁମ୍ଭକୁ ବାସ କରାଇବା, ତହିଁରେ ତୁମ୍ଭର ବସତି ସ୍ଥାନ ରହିବ ନାହିଁ; ପୁଣି, ଜୀବିତମାନଙ୍କ ଦେଶରେ ଆମ୍ଭେ ଶୋଭା ସ୍ଥାପନ କରିବା; ୨୧ ଆମ୍ଭେ ତୁମ୍ଭକୁ ଭୟଙ୍କରୀ କରିବା, ତୁମ୍ଭେ ଆଉ ନ ଥିବ; ଯଦ୍ୟପି ତୁମ୍ଭର ଅନ୍ଵେଷଣ କରାଯିବ, ତଥାପି ତୁମ୍ଭର ଉଦ୍ଦେଶ୍ୟ ଆଉ କେବେ ମିଳିବ ନାହିଁ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।