୧୦
ଲୋକଙ୍କ ପାପ ସ୍ୱୀକାର
୧ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାଙ୍କ ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ। ୨ ଏଥିରେ ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାଙ୍କୁ ଉତ୍ତର କରି କହିଲା, “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅନ୍ୟଦେଶୀୟ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି। ୩ ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରି ଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ। ୪ ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ; ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।”
୫ ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ଶପଥ କରାଇଲେ। ତହିଁରେ ସେମାନେ ଶପଥ କଲେ। ୬ ତହୁଁ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲୀୟାଶୀବର ପୁତ୍ର ଯିହୋହାନନ୍‍ର କୋଠରିକୁ ଗଲେ; ଆଉ, ସେଠାରେ ଉପସ୍ଥିତ ହୁଅନ୍ତେ, ରୁଟି ଭୋଜନ କି ଜଳପାନ କଲେ ନାହିଁ; କାରଣ ସେ ବନ୍ଦୀତ୍ୱର ଲୋକମାନଙ୍କ ସତ୍ୟ-ଲଙ୍ଘନ ସକାଶୁ ଶୋକ କରୁଥିଲେ। ୭ ଏଥିଉତ୍ତାରେ ଲୋକମାନେ ଯିହୁଦା ଓ ଯିରୂଶାଲମର ସର୍ବତ୍ର ବନ୍ଦୀତ୍ୱର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ, “ସେମାନେ ଯିରୂଶାଲମରେ ଏକତ୍ରିତ ହେବେ; ୮ ଆଉ, ଅଧିପତିମାନଙ୍କର ଓ ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେକେହି ତିନି ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ୱ ହରଣ କରାଯିବ ଓ ସେ ନିଜେ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।”
୯ ତହୁଁ ଯିହୁଦା ଓ ବିନ୍ୟାମୀନ୍‍ର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୂଶାଲମରେ ଏକତ୍ରିତ ହେଲେ, ସେହି ନବମ ମାସର ବିଂଶତିତମ ଦିନ ଥିଲା; ଆଉ, ସମଗ୍ର ଲୋକ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ। ୧୦ ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସତ୍ୟ-ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ। ୧୧ ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ସନ୍ତୋଷଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।”
୧୨ ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚୈଃସ୍ୱରରେ କହିଲେ, “ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ। ୧୩ ମାତ୍ର ଲୋକ ଅନେକ ଓ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ। ୧୪ ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।”
୧୫ ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଯୋନାଥନ ଓ ତିକ୍‍ବର ପୁତ୍ର ଯହସୀୟ ଉଠିଲେ, ଆଉ ମଶୁଲ୍ଲମ୍‍ ଓ ଲେବୀୟ ଶବ୍ବଥୟ ସେମାନଙ୍କର ସାହାଯ୍ୟ କଲେ। ୧୬ ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି, ଏଜ୍ରା ଯାଜକ ଓ ଆପଣା ଆପଣା ପିତୃବଂଶାନୁସାରେ ଓ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ ପ୍ରଧାନ କେତେକ ଲୋକ ପୃଥକ୍‍ କରାଗଲେ; ଆଉ, ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ। ୧୭ ପୁଣି, ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ-ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ।
ବିଦେଶିନୀ ପତ୍ନୀ ଥିବା ଲୋକମାନେ
୧୮ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ଏହି, ଯଥା, ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଜର, ଯାରିବ ଓ ଗଦଲୀୟ। ୧୯ ଏମାନେ ଆପଣା ଆପଣା ଭାର୍ଯ୍ୟାକୁ ଦୂର କରି ଦେବେ ବୋଲି ହସ୍ତ ଦେଲେ; ଆଉ, ଦୋଷୀ ହେବାରୁ ସେମାନେ ଆପଣା ଆପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ। ୨୦ ଆଉ, ଇମ୍ମେରର ସନ୍ତାନମାନଙ୍କ ମଧ୍ୟରୁ ହନାନି ଓ ସବଦୀୟ ୨୧ ଓ ହାରୀମର ସନ୍ତାନମାନଙ୍କ ମଧ୍ୟରୁ ମାସେୟ,ଏଲୀୟ,ଶମୟୀୟ, ଯିହୀୟେଲ ଓ ଉଷୀୟ; ୨୨ ଆଉ, ପଶ୍‍ହୂରର ସନ୍ତାନମାନଙ୍କ ମଧ୍ୟରୁ ଇଲୀୟୋଐନୟ, ମାସେୟ, ଇଶ୍ମାୟେଲ, ନଥନେଲ, ଯୋଷାବଦ୍‍ ଓ ଇଲୀୟାସା।
୨୩ ଆଉ, ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍‍ ଓ ଶିମୀୟି ଓ କଲାୟ, ଏହାକୁ କଲିଟ କହନ୍ତି, ପଥାହୀୟ, ଯିହୁଦା ଓ ଇଲୀୟେଜର; ୨୪ ଆଉ, ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ; ଦ୍ୱାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ୍‍ ଓ ଟେଲମ୍‍ ଓ ଊରି। ୨୫ ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ, ଯିଷୀୟ, ମଲ୍‍କୀୟ, ମିୟାମୀନ୍‍, ଇଲୀୟାସର, ମଲ୍‍କୀୟ ଓ ବନାୟ। ୨୬ ଆଉ, ଏଲମ୍‍ର ସନ୍ତାନଗଣ ମଧ୍ୟରୁ ମତ୍ତନୀୟ, ଜିଖରୀୟ ଓ ଯିହୀୟେଲ ଓ ଅବ୍‍ଦି ଓ ଯେରେମୋତ୍‍ ଓ ଏଲୀୟ। ୨୭ ଆଉ, ସତ୍ତୂର ସନ୍ତାନଗଣ ମଧ୍ୟରୁ ଇଲୀୟୋଐନୟ, ଇଲୀୟାଶୀବ ଓ ମତ୍ତନୀୟ ଓ ଯେରେମୋତ୍‍ ଓ ସାବଦ୍‍ ଓ ଅସୀସା ୨୮ ଓ ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍‍, ହନାନୀୟ, ସବ୍ବେୟ, ଅତ୍ତଲୟ; ୨୯ ଆଉ, ବାନିର ସନ୍ତାନଗଣ ମଧ୍ୟରୁ ମଶୁଲ୍ଲମ୍‍, ମଲ୍ଲୁକ ଓ ଅଦାୟା, ଯାଶୂବ ଓ ଶାଲ, ଯିରେମୋତ୍‍।
୩୦ ଆଉ, ପହତ୍‍-ମୋୟାବର ସନ୍ତାନଗଣ ମଧ୍ୟରୁ ଅଦନ୍‍ ଓ କଲାଲ, ବନାୟ, ମାସେୟ, ମତ୍ତନୀୟ, ବତ୍ସଲେଲ ଓ ବିନ୍ନୁୟି ଓ ମନଃଶି; ୩୧ ଆଉ, ହାରୀମର ସନ୍ତାନଗଣ ମଧ୍ୟରୁ ଇଲୀୟେଜର, ଯିଶୀୟ, ମଲ୍‍କୀୟ, ଶମୟୀୟ, ଶିମୀୟୋନ; ୩୨ ବିନ୍ୟାମୀନ୍, ମଲ୍ଲୁକ, ଶେମରୀୟ; ୩୩ ହଶୂମର ସନ୍ତାନଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍‍, ଇଲୀଫେଲଟ୍‍, ଯିରେମୟ, ମନଃଶି, ଶିମୀୟି; ୩୪ ବାନିର ସନ୍ତାନଗଣ ମଧ୍ୟରୁ ମାଦୟ, ଅମ୍ରାମ୍‍ ଓ ଉୟେଲ; ୩୫ ବନାୟ, ବେଦୀୟା, କଲୂହୂ; ୩୬ ବନୀୟ, ମରେମୋତ୍‍, ଇଲୀୟାଶୀବ; ୩୭ ମତ୍ତନୀୟ, ମତ୍ତନୟ ଓ ଯାଶୟ; ୩୮ ଆଉ, ବାନି ଓ ବିନ୍ନୁୟି, ଶିମୀୟି; ୩୯ ଶେଲିମୀୟ ଓ ନାଥନ ଓ ଅଦାୟା; ୪୦ ମଗ୍ନଦ୍‍ବୟ, ଶାଶୟ, ଶାରୟ; ୪୧ ଅସରେଲ୍‍ ଓ ଶେଲିମୀୟ, ଶେମରୀୟ; ୪୨ ଶଲ୍ଲୁମ୍‍, ଅମରୀୟ, ଯୋଷେଫ୍‍। ୪୩ ନବୋର ସନ୍ତାନଗଣ ମଧ୍ୟରୁ ଯିୟୀୟେଲ୍‍, ମତ୍ତଥୀୟ, ସାବଦ୍‍, ସବୀନଃ, ଯଦ୍ଦୋୟ ଓ ଯୋୟେଲ, ବନାୟ; ୪୪ ଏସମସ୍ତେ ଅନ୍ୟ ଦେଶୀୟା ଭାର୍ଯ୍ୟା ଗ୍ରହଣ କରିଥିଲେ; ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ।* ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ। କିଅବା ସେମାନେ ଭାର୍ଯ୍ୟାମାନଙ୍କୁ ଆପଣା ଆପଣା ସନ୍ତାନସନ୍ତତି ସହ ପଠାଇ ଦେଇଥିଲେ

*୧୦:୪୪ ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ। କିଅବା ସେମାନେ ଭାର୍ଯ୍ୟାମାନଙ୍କୁ ଆପଣା ଆପଣା ସନ୍ତାନସନ୍ତତି ସହ ପଠାଇ ଦେଇଥିଲେ