୧ କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରି ପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ୱରଙ୍କ ସେବା ସମ୍ବନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି । ୨ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ , କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ; ୩ ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ । ୪ ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ୱରଙ୍କ ଦ୍ୱାରା ଆହୂତ ହେବା ଆବଶ୍ୟକ । ୫ ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ୱେଷଣ କରି ନ ଥିଲେ, କିନ୍ତୁ ଈଶ୍ୱର ତାହାଙ୍କୁ ସେହି ଗୌରବର ପଦ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ ।'' ୬ ପୁଣି, ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ ।'' ୭ ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ, ତାହାଙ୍କ ନିକଟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ ୮ ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ, ୯ ପୁଣି, ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ; ୧୦ ଏହେତୁ ସେ ଈଶ୍ୱରଙ୍କ କର୍ତ୍ତୃକ ମଲ୍‍କୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ ।
ବିଶ୍ୱାସ ବର୍ଜନ ବିଷୟରେ ସତର୍କବାଣୀ
୧୧ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମ୍ଭେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର । ୧୨ କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ୍ ଥିଲା, ତଥାପି ଈଶ୍ୱରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ । ୧୩ ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଜାଣେ ନାହିଁ, କାରଣ ସେ ଶିଶୁମାତ୍ର । ୧୪ କିନ୍ତୁ ବୃଦ୍ଧ ଲୋକେ, ଅର୍ଥାତ୍‍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ ।