ଇସ୍ରାଏଲ ବିରୁଦ୍ଧରେ ପରମେଶ୍ୱରଙ୍କ ଅଭିଯୋଗ
୧ ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;
କାରଣ ଦେଶରେ ସତ୍ୟ ଅବା ଦୟା କିଅବା ପରମେଶ୍ୱର ବିଷୟକ ଜ୍ଞାନ ନ ଥିବାରୁ
ଦେଶନିବାସୀଗଣ ସହିତ ସଦାପ୍ରଭୁଙ୍କର ବିବାଦ ଅଛି।
୨ ଅଭିଶାପ ଦେବା, ବିଶ୍ୱାସଲଙ୍ଘନ, ବଧ, ଚୋରି ଓ ବ୍ୟଭିଚାର ବିନା ସେଠାରେ ଆଉ କିଛି ନାହିଁ;
ଲୋକମାନେ ବିଦ୍ରୋହୀ ହୋଇ ଉଠନ୍ତି ଓ ରକ୍ତପାତ ଉପରେ ରକ୍ତପାତ କରାଯାଏ।
୩ ଏଥିପାଇଁ ଦେଶ ବିଳାପ କରିବ ଓ ତହିଁର ନିବାସୀ ପ୍ରତ୍ୟେକ ଲୋକ,
କ୍ଷେତ୍ରସ୍ଥ ବନ୍ୟ ପଶୁ ଓ ଆକାଶସ୍ଥ ପକ୍ଷୀଗଣ ସହିତ ଦୁର୍ବଳ ହେବେ;
ହଁ, ସମୁଦ୍ରର ମତ୍ସ୍ୟଗଣ ମଧ୍ୟ ଦୂରୀକୃତ ହେବେ।
୪ ତଥାପି କୌଣସି ମନୁଷ୍ୟ ବିବାଦ ନ କରୁ, କିଅବା କୌଣସି ମନୁଷ୍ୟ ଅନୁଯୋଗ ନ କରୁ;
କାରଣ ତୁମ୍ଭର ଲୋକମାନେ ଯାଜକ ସହିତ ବିବାଦକାରୀ ଲୋକମାନଙ୍କର ତୁଲ୍ୟ ଅଟନ୍ତି।
୫ ପୁଣି, ତୁମ୍ଭେ ଦିନବେଳେ ଝୁଣ୍ଟି ପଡ଼ିବ
ଓ ଭବିଷ୍ୟଦ୍‍ବକ୍ତା ମଧ୍ୟ ରାତ୍ରିକାଳରେ ତୁମ୍ଭ ସଙ୍ଗେ ଝୁଣ୍ଟି ପଡ଼ିବ;
ଆଉ, ଆମ୍ଭେ ତୁମ୍ଭର ମାତାକୁ ବିନାଶ କରିବା।
୬ ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି;
କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା,
ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ;
ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ
ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ଯିବା।
୭ ସେମାନେ ଯେତେ ଅଧିକ ବୃଦ୍ଧି ପାଇଲେ
ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କଲେ;
ଆମ୍ଭେ ସେମାନଙ୍କର ଗୌରବ ଅପମାନରେ ପରିଣତ କରିବା।
୮ ସେମାନେ ଆମ୍ଭ ଲୋକମାନଙ୍କ ପାପରେ ପ୍ରତିପୋଷିତ ହୁଅନ୍ତି,
ଆଉ ସେମାନଙ୍କ ଅଧର୍ମରେ ଆପଣା ଆପଣା ଅନ୍ତଃକରଣକୁ ଆସକ୍ତ କରନ୍ତି।
୯ ଏଣୁ ଯେପରି ଲୋକମାନଙ୍କ ଉପରେ ସେହିପରି ଯାଜକମାନଙ୍କ ଉପରେ ବର୍ତ୍ତିବ;
ପୁଣି, ଆମ୍ଭେ ସେମାନଙ୍କ ଆଚରଣ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦେବା
ଓ ସେମାନଙ୍କ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।
୧୦ ତହିଁରେ ସେମାନେ ଭୋଜନ କଲେ ମଧ୍ୟ ତୃପ୍ତ ହେବେ ନାହିଁ;
ବ୍ୟଭିଚାର କଲେ ମଧ୍ୟ ବହୁବଂଶ ହେବେ ନାହିଁ;
କାରଣ ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି।
୧୧ ବ୍ୟଭିଚାର, ମଦ୍ୟ ଓ ନୂତନ ଦ୍ରାକ୍ଷାରସ ବୁଦ୍ଧି ହରଣ କରେ।
୧୨ ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ଡର ନିକଟରେ ମନ୍ତ୍ରଣା ଚାହାନ୍ତି
ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ;
କାରଣ ବ୍ୟଭିଚାରର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି,
ପୁଣି ସେମାନେ ପରମେଶ୍ୱରଙ୍କ ଅଧୀନତାରୁ ଯାଇ ବ୍ୟଭିଚାର କରିଅଛନ୍ତି।
୧୩ ସେମାନେ ପର୍ବତମାନର ଶୃଙ୍ଗରେ ବଳିଦାନ କରନ୍ତି
ଓ ଉପପର୍ବତଗଣର ଉପରେ ଅଲୋନ, ଲିବ୍‍ନି
ଓ ଏଲା ବୃକ୍ଷ ତଳେ ଧୂପ ଜଳାନ୍ତି, କାରଣ ତହିଁର ଛାୟା ଉତ୍ତମ;
ଏଥିପାଇଁ ତୁମ୍ଭର କନ୍ୟାଗଣ ବେଶ୍ୟାଚାର କରନ୍ତି ଓ ତୁମ୍ଭର ବଧୂଗଣ ବ୍ୟଭିଚାର କରନ୍ତି।
୧୪ ତୁମ୍ଭର କନ୍ୟାଗଣ ବେଶ୍ୟାଚାର କଲା ବେଳେ
ଓ ତୁମ୍ଭର ବଧୂଗଣ ବ୍ୟଭିଚାର କଲା ବେଳେ
ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା ନାହିଁ;
କାରଣ ସେମାନେ ଆପେ ବେଶ୍ୟାମାନଙ୍କ ସଙ୍ଗେ ଦେବଗଣର ମନ୍ଦିରକୁ ଯାଆନ୍ତି
ଓ ମାହାରୀମାନଙ୍କ ସଙ୍ଗେ ବଳିଦାନ କରନ୍ତି;
ଯେଉଁ ଲୋକମାନେ ବୁଝନ୍ତି ନାହିଁ, ସେମାନେ ଉତ୍ପାଟିତ ହେବେ।
୧୫ ହେ ଇସ୍ରାଏଲ, ତୁମ୍ଭେ ଯଦ୍ୟପି ବେଶ୍ୟାବୃତ୍ତି କର,
ତଥାପି ଯିହୁଦା ସେପରି ଦୋଷଗ୍ରସ୍ତ ନ ହେଉ;
ଆଉ, ତୁମ୍ଭେମାନେ ଗିଲ୍‍ଗଲ୍‍ରେ ଉପସ୍ଥିତ ହୁଅ ନାହିଁ,
କିଅବା ବେଥ୍-ଆବନକୁ ଯାଅ ନାହିଁ;
ଅଥବା ସେଠାରେ ଜୀବିତ ସଦାପ୍ରଭୁ ବୋଲି ଶପଥ କର ନାହିଁ।
୧୬ କାରଣ ସ୍ଵେଚ୍ଛାଚାରିଣୀ ଗାଭୀ ତୁଲ୍ୟ ଇସ୍ରାଏଲ ଆପେ ସ୍ଵେଚ୍ଛାଚାରୀ ହୋଇଅଛି;
ଏବେ ସଦାପ୍ରଭୁ ସେମାନଙ୍କୁ ମେଷଶାବକ ପରି ପ୍ରଶସ୍ତ ସ୍ଥାନରେ ଚରାଇବେ।
୧୭ ଇଫ୍ରୟିମ ପ୍ରତିମାଗଣ ପ୍ରତି ଆସକ୍ତ ହୋଇଅଛି; ତାକୁ ଛାଡ଼ି ଦିଅ।
୧୮ ସେମାନଙ୍କର ପେୟ ଦ୍ରବ୍ୟ ଅମ୍ଳ ହୋଇଅଛି;
ସେମାନେ ଅବିରତ ବେଶ୍ୟାଗମନ କରନ୍ତି;
ତାହାର ଶାସନକର୍ତ୍ତାମାନେ ଅପମାନକୁ ଅତିଶୟ ଭଲ ପାଆନ୍ତି।
୧୯ ବାୟୁ ତାହାକୁ ଆପଣା ପକ୍ଷରେ ଆଚ୍ଛାଦନ କରିଅଛି
ଓ ସେମାନେ ଆପଣାମାନଙ୍କର ବଳିଦାନ ସକାଶୁ ଲଜ୍ଜିତ ହେବେ।