ଇସ୍ରାଏଲ ପ୍ରତି ପରମେଶ୍ୱରଙ୍କ ଶାସ୍ତି
୧ ହେ ଇସ୍ରାଏଲ, ତୁମ୍ଭେ ଆନନ୍ଦ ସକାଶୁ ନାନା ଗୋଷ୍ଠୀୟମାନଙ୍କ ତୁଲ୍ୟ ଆନନ୍ଦ କର ନାହିଁ;
କାରଣ ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଛାଡ଼ି ବ୍ୟଭିଚାର କରିଅଛ,
ତୁମ୍ଭେ ଶସ୍ୟପୂର୍ଣ୍ଣ ପ୍ରତ୍ୟେକ ଖମାରରେ ବେତନ ଭଲ ପାଇଅଛ।
୨ ଶସ୍ୟ ଖଳା କିଅବା ଦ୍ରାକ୍ଷାପେଷଣ ଯନ୍ତ୍ର ସେମାନଙ୍କୁ ପ୍ରତିପୋଷଣ କରିବ ନାହିଁ
ଓ ନୂତନ ଦ୍ରାକ୍ଷାରସରୁ ସେମାନେ ବଞ୍ଚିତ ହେବେ।
୩ ସେମାନେ ସଦାପ୍ରଭୁଙ୍କ ଦେଶରେ ବାସ କରିବେ ନାହିଁ;
ମାତ୍ର ଇଫ୍ରୟିମ ମିସରକୁ ଫେରି ଯିବ, ଆଉ ସେମାନେ ଅଶୂରରେ ଅଶୁଚି ଦ୍ରବ୍ୟ ଭୋଜନ କରିବେ।
୪ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦ୍ରାକ୍ଷାରସର ଉପହାର ଢାଳିବେ ନାହିଁ,
କିଅବା ସେହିସବୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ହେବ ନାହିଁ।
ସେମାନଙ୍କର ବଳିଦାନସକଳ ସେମାନଙ୍କ ପ୍ରତି ବିଳାପକାରୀଗଣର ଖାଦ୍ୟର ସମାନ ହେବ;
ଯେଉଁମାନେ ତାହା ଭୋଜନ କରିବେ, ସେମାନେ ସମସ୍ତେ ଅଶୁଚି ହେବେ;
କାରଣ ସେମାନଙ୍କର ଖାଦ୍ୟ ସେମାନଙ୍କ କ୍ଷୁଧାର ତୃପ୍ତି ନିମନ୍ତେ ହେବ;
ତାହା ସଦାପ୍ରଭୁଙ୍କ ଗୃହକୁ ଆସିବ ନାହିଁ।
୫ ମହାସଭା ଦିନରେ ଓ ସଦାପ୍ରଭୁଙ୍କ ଉତ୍ସବ ଦିନରେ ତୁମ୍ଭେମାନେ କଅଣ କରିବ ?
୬ କାରଣ ଦେଖ, ସେମାନେ ଧ୍ୱଂସ ସ୍ଥାନରୁ ଯାଇଅଛନ୍ତି,
ତଥାପି ମିସର ସେମାନଙ୍କୁ ଏକତ୍ର କରିବ, ମେମ୍ଫିସ (ମିସରର ରାଜଧାନୀ) ସେମାନଙ୍କୁ କବର ଦେବ।
ସେମାନଙ୍କର ରୂପାର ମନୋହର ପଦାର୍ଥ ସବୁ ବିଛୁଆତି ଗଛର ଅଧିକାର ହେବ;
ସେମାନଙ୍କ ତମ୍ବୁସବୁରେ କଣ୍ଟକ ବୃକ୍ଷ ଉତ୍ପନ୍ନ ହେବ।
୭ ପ୍ରତିଫଳର ଦିନ ଉପସ୍ଥିତ, ଦଣ୍ଡର ଦିନ ଉପସ୍ଥିତ; ଇସ୍ରାଏଲ ଏହା ଜାଣିବ।
ଭବିଷ୍ୟଦ୍‍ବକ୍ତା ନିର୍ବୋଧ, ଆତ୍ମାପ୍ରାପ୍ତ ଲୋକ ଉତ୍ତେଜିତ,
କାରଣ ତୁମ୍ଭର ଅଧର୍ମ ବହୁଳ ଓ ଶତ୍ରୁତାଭାବ ବଡ଼।
୮ ଇଫ୍ରୟିମ ମୋ’ ପରମେଶ୍ୱରଙ୍କ ସହିତ ପ୍ରହରୀ ଥିଲା;
ଭବିଷ୍ୟଦ୍‍ବକ୍ତାଙ୍କର ସକଳ ପଥରେ ଶିକାରୀର ଫାନ୍ଦ
ଓ ତାହାର ପରମେଶ୍ୱରଙ୍କ ଗୃହରେ ଶତ୍ରୁତାଭାବ ଅଛି।
୯ ଗିବୀୟାର ସମୟରେ ଯେପରି,
ସେମାନେ ଆପଣାମାନଙ୍କୁ ସେପରି ଅତିଶୟ ଭ୍ରଷ୍ଟ କରିଅଛନ୍ତି;
ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପସକଳର ପ୍ରତିଫଳ ଦେବେ।
୧୦ ସଦାପ୍ରଭୁ କହନ୍ତି, “ଆମ୍ଭେ ଦ୍ରାକ୍ଷାଫଳର ନ୍ୟାୟ ଇସ୍ରାଏଲକୁ ପ୍ରାନ୍ତରରେ ପାଇଲୁ;
ଆମ୍ଭେ ଡିମ୍ବିରି ବୃକ୍ଷର ପ୍ରଥମକାଳୀନ ଆଦ୍ୟପକ୍ୱ ଡିମ୍ବିରି ଫଳ ସଦୃଶ୍ୟ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଦେଖିଲୁ;
ମାତ୍ର ସେମାନେ ବାଲ୍‍-ପିୟୋରର ନିକଟକୁ ଆସି
ସେହି ଲଜ୍ଜାସ୍ପଦର ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କଲେ
ଓ ଯାହାକୁ ସେମାନେ ପ୍ରେମ କଲେ, ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ।
୧୧ ଇଫ୍ରୟିମର ଗୌରବ ପକ୍ଷୀ ପରି ଉଡ଼ିଯିବ;
ତାହାର କୌଣସି ଜନ୍ମ, ଗର୍ଭ କିଅବା ଗର୍ଭଧାରଣ ହେବ ନାହିଁ।
୧୨ ଯଦ୍ୟପି ସେମାନେ ସନ୍ତାନଗଣକୁ ପ୍ରତିପାଳନ କରିବେ,
ତଥାପି ଆମ୍ଭେ ସେମାନଙ୍କୁ ନିଃସନ୍ତାନ କରିବା,
ତହିଁରେ ଜଣେ ମନୁଷ୍ୟ ମଧ୍ୟ ସେଠାରେ ରହିବ ନାହିଁ;
ହଁ, ଆମ୍ଭେ ସେମାନଙ୍କୁ ଯେତେବେଳେ ପରିତ୍ୟାଗ କରିବା,
ସେତେବେଳେ ସେମାନଙ୍କର ସନ୍ତାପ ହେବ !
୧୩ ଆମ୍ଭେ ସୋରକୁ ଯେପରି ଦେଖିଅଛୁ, ଇଫ୍ରୟିମ ସେପରି ମନୋହର ସ୍ଥାନରେ ରୋପିତ ହୋଇଅଛି;
ମାତ୍ର ଇଫ୍ରୟିମ ଆପଣା ସନ୍ତାନଗଣକୁ ହତ୍ୟାକାରୀର ନିକଟକୁ ବାହାର କରି ଆଣିବ।”
୧୪ ହେ ସଦାପ୍ରଭୁ, ସେମାନଙ୍କୁ ଦିଅ; ତୁମ୍ଭେ ସେମାନଙ୍କୁ କଅଣ ଦେବ ?
ସେମାନଙ୍କୁ ଗର୍ଭସ୍ରାବ ଉଦର ଓ ଶୁଷ୍କ ସ୍ତନ ଦିଅ।
୧୫ ସେମାନଙ୍କର ଦୁଷ୍ଟତାସକଳ ଗିଲ୍‍ଗଲ୍‍ରେ ଅଛି;
କାରଣ ସେଠାରେ ଆମ୍ଭେ ସେମାନଙ୍କୁ ଘୃଣା କଲୁ;
ଆମ୍ଭେ ସେମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ସେମାନଙ୍କୁ ଆମ୍ଭ ଗୃହରୁ ତଡ଼ିଦେବା;
ଆମ୍ଭେ ସେମାନଙ୍କୁ ଆଉ ସ୍ନେହ କରିବା ନାହିଁ;
ସେମାନଙ୍କର ଅଧିପତି ସମସ୍ତେ ବିଦ୍ରୋହୀ।
୧୬ ଇଫ୍ରୟିମ ଆହତ ହୋଇଅଛି, ସେମାନଙ୍କର ମୂଳ ଶୁଷ୍କ ହୋଇଅଛି;
ସେମାନେ ଫଳ ଧାରଣ କରିବେ ନାହିଁ; ହଁ, ଯଦ୍ୟପି ସେମାନେ ପ୍ରସବ କରିବେ,
ତଥାପି ଆମ୍ଭେ ସେମାନଙ୍କ ଗର୍ଭର ପ୍ରିୟତମ ଫଳକୁ ସଂହାର କରିବା।
୧୭ ମୋର ପରମେଶ୍ୱର ସେମାନଙ୍କୁ ଦୂର କରି ଦେବେ,
କାରଣ ସେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ;
ଆଉ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଭ୍ରମଣକାରୀ ହେବେ।