୧୦
ଇସ୍ରାଏଲ ବର୍ଦ୍ଧିଷ୍ଣୁ ଦ୍ରାକ୍ଷାଲତା, ସେ ଆପଣା ଫଳ ଉତ୍ପନ୍ନ କରେ;
୧ ଇସ୍ରାଏଲ ଆପଣା ଦ୍ରାକ୍ଷାଫଳର ବାହୁଲ୍ୟାନୁସାରେ ଆପଣା ଯଜ୍ଞବେଦିର ସଂଖ୍ୟା ବୃଦ୍ଧି କରିଅଛି;
ତାହାର ଦେଶର ଉନ୍ନତି ଅନୁସାରେ ଲୋକମାନେ ମନୋହର ସ୍ତମ୍ଭ ନିର୍ମାଣ କରିଅଛନ୍ତି।
୨ ସେମାନଙ୍କର ଅନ୍ତଃକରଣ ବିଭକ୍ତ ହୋଇଅଛି;
ଏବେ ସେମାନେ ଦୋଷୀ ଗଣାଯିବେ;
ସେ ସେମାନଙ୍କର ଯଜ୍ଞବେଦିସବୁକୁ ଆଘାତ କରିବେ,
ସେ ସେମାନଙ୍କର ସ୍ତମ୍ଭସବୁକୁ ନଷ୍ଟ କରିବେ।
୩ ଅବଶ୍ୟ ଏବେ ସେମାନେ କହିବେ, “ଆମ୍ଭମାନଙ୍କର ରାଜା ନାହିଁ;
କାରଣ ଆମ୍ଭେମାନେ ତ ସଦାପ୍ରଭୁଙ୍କୁ ଭୟ କରୁ ନାହୁଁ,
ଏଣୁ ରାଜା ଆମ୍ଭମାନଙ୍କ ପାଇଁ କଅଣ କରି ପାରିବ ?”
୪ ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି;
ଏଥିପାଇଁ କ୍ଷେତ୍ରର ଶିଆରରେ ଯେପରି ବିଷ ବୃକ୍ଷ,
ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ।
୫ ଶମରୀୟା ନିବାସୀଗଣ ବେଥ୍-ଆବନର ଗୋବତ୍ସ ପ୍ରତିମା ସକାଶୁ ତ୍ରାସଯୁକ୍ତ ହେବେ;
କାରଣ ତହିଁର ଲୋକମାନେ ତାହା ପାଇଁ ବିଳାପ କରିବେ
ଓ ତହିଁର ଯେଉଁ ପୁରୋହିତମାନେ ତାହାର ଗୌରବ ସକାଶୁ ଆନନ୍ଦ କରିଥିଲେ,
ସେମାନେ ବିଳାପ କରିବେ; କାରଣ ତାହାର ଗୌରବ ତାହାକୁ ଛାଡ଼ି ଯାଇଅଛି।
୬ ତାହା ମଧ୍ୟ ଯାରେବ ରାଜାର ଭେଟୀ ନିମନ୍ତେ ଅଶୂରକୁ ନୀତ ହେବ;
ଇଫ୍ରୟିମ ଲଜ୍ଜାପ୍ରାପ୍ତ ହେବ ଓ ଇସ୍ରାଏଲ ନିଜ ମନ୍ତ୍ରଣା ବିଷୟରେ ଲଜ୍ଜିତ ହେବ।
୭ ଶମରୀୟାର ରାଜା ଜଳ ଉପରିସ୍ଥ ଫେଣ ତୁଲ୍ୟ ଉଚ୍ଛିନ୍ନ ହେଲା।
୮ ଆହୁରି, ଇସ୍ରାଏଲର ପାପ ସ୍ୱରୂପ ଆବେନର ଉଚ୍ଚସ୍ଥଳୀସକଳ ବିନଷ୍ଟ ହେବ;
କଣ୍ଟା ଓ ଅଗରା ଗଛ ସେମାନଙ୍କର ଯଜ୍ଞବେଦି ଉପରେ ଉତ୍ପନ୍ନ ହେବ;
ଆଉ, ସେମାନେ ପର୍ବତଗଣକୁ କହିବେ, “ଆମ୍ଭମାନଙ୍କୁ ଘୋଡ଼ାଅ
ଓ ଉପପର୍ବତଗଣକୁ କହିବେ, ଆମ୍ଭମାନଙ୍କ ଉପରେ ପଡ଼।”
୯ ହେ ଇସ୍ରାଏଲ, ତୁମ୍ଭେ ଗିବୀୟାର ସମୟଠାରୁ ପାପ କରି ଆସିଅଛ;
ଅଧର୍ମର ସନ୍ତାନଗଣର ବିରୁଦ୍ଧ ଯୁଦ୍ଧ ଯେପରି ଗିବୀୟାରେ ଲୋକମାନଙ୍କୁ ନ ଧରିବ,
ଏଥିପାଇଁ ସେମାନେ ସେହି ସ୍ଥାନରେ ଠିଆ ହେଲେ।
୧୦ ଯେତେବେଳେ ଆମ୍ଭର ଇଚ୍ଛା, ସେତେବେଳେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବୁ
ଓ ସେମାନେ ଆପଣାମାନଙ୍କର ଦୁଇ ଅପରାଧରେ ବନ୍ଧାଯିବା ସମୟରେ
ଗୋଷ୍ଠୀଗଣ ସେମାନଙ୍କ ବିରୁଦ୍ଧରେ ସଂଗୃହୀତ ହେବେ।
୧୧ ଆଉ ଇଫ୍ରୟିମ ଶିକ୍ଷିତା ଗାଭୀ, ସେ ଶସ୍ୟ ମର୍ଦ୍ଦନ କରିବାକୁ ଭଲ ପାଏ;
ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁ;
ଆମ୍ଭେ ଇଫ୍ରୟିମ ଉପରେ ଏକ ଆରୋହୀକୁ ବସାଇବା;
ଯିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ।
୧୨ ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ,
ଦୟାନୁଯାୟୀ ଶସ୍ୟ କାଟ; ଆପଣାମାନଙ୍କର ପଡ଼ିଆ ଭୂମି ଭାଙ୍ଗ;
କାରଣ ଯେପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମ୍ଭମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି,
ସେପର୍ଯ୍ୟନ୍ତ ତାହାଙ୍କର ଅନ୍ଵେଷଣ କରିବାର ସମୟ ଅଛି।
୧୩ ତୁମ୍ଭେମାନେ ଦୁଷ୍ଟତାରୂପ ଚାଷ କରି ଅଧର୍ମ ସ୍ୱରୂପ ଶସ୍ୟ କାଟିଅଛ;
ତୁମ୍ଭେମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ;
କାରଣ ତୁମ୍ଭେ ଆପଣା ପଥରେ, ଆପଣାର ବୀରସମୂହରେ ବିଶ୍ୱାସ କରିଅଛ।
୧୪ ଏଥିନିମନ୍ତେ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଏକ କୋଳାହଳ ଉଠିବ
ଓ ଯୁଦ୍ଧ ଦିନରେ ଯେପରି ଶଲମନ ବେଥ୍-ଅରବେଲକୁ ବିନାଶ କରିଥିଲା,
ସେପରି ତୁମ୍ଭ ଦୁର୍ଗସକଳ ବିନଷ୍ଟ ହେବ;
ମାତା ଆପଣା ସନ୍ତାନଗଣ ସହିତ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହୋଇଥିଲା।
୧୫ ତୁମ୍ଭର ମହା ଦୁଷ୍ଟତା ସକାଶୁ ବେଥେଲ୍‍ ତୁମ୍ଭ ପ୍ରତି ସେହି ପ୍ରକାର କରିବ;
ଇସ୍ରାଏଲର ରାଜା ଅରୁଣୋଦୟ ସମୟରେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହେବ।